Home News in Odia ନିମୟିତ ଯାଞ୍ଚ ହେଉନି ସ୍କୁଲ ଗାଡି

ନିମୟିତ ଯାଞ୍ଚ ହେଉନି ସ୍କୁଲ ଗାଡି

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଯାନଗୁଡିକର ନିୟମିତ ଯାଞ୍ଚ ହେଉନଥିବାରୁ ଅନେକ ପୁରୁଣା ଯାନ ବିପଦଜନକ ଭାବେ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବାବେଳେ ସେଗୁଡିକର ନିୟମିତ ଭାବେ ବୀମା ଓ ଅନ୍ୟାନ୍ୟ ପୂରଣ କରାଯାଉ ନାହିିଁ । ମଝିରେ ମଝିରେ ପରିବହନ ଓ ପୁଲିସ୍‍ ବିଭାଗ ପକ୍ଷରୁ ଚଢାଉ କରି କାମ ସାରିଦିଆଯାଉଥିବାବେଳେ ବର୍ଷ ତମାମ ଏଭଳି ଯାନଗୁଡିକୁ ଯାଞ୍ଚ ପାଇଁ ମତପ୍ରକାଶ ପାଉଛି ।

ସ୍କୁଲ ପିଲାଙ୍କ ବିପଦଜନକ ପରିବହନ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ପରିବହନ ଓ ପୁଲିସ୍‍ ବିଭାଗ ଆକ୍ସନମୁଡ୍‍କୁ ଆସିବା ସହିତ ରାଜ୍ୟ ସାରା ଯାଞ୍ଚ କରିଥାନ୍ତି । କେତେ ଗାଡିମୋଟର ଯାଞ୍ଚ ହେଲା ତାହାର ସୂଚନା ଦିଆଯାଇଥାଏ । ହେଲେ ଗୋଟିଏ ଦିନର ଯାଞ୍ଚ ପରେ କାଗଜପତ୍ର ସଠିକ୍‍ ନଥିବା ଏବଂ ବୋଝ ଭଳି ପିଲାଙ୍କୁ ପରିବହନ କରୁଥିବା ଗାଡିଗୁଡିକ ରାସ୍ତାକୁ ଅର୍ନ୍ତଧ୍ୟାନ ହୋଇଥାନ୍ତି । ଯାଞ୍ଚ ସରିବାର ଖବର ପାଇଲା ପରେ ସେମାନେ ପୁଣି ନିଜର ବ୍ୟବସାୟ ଆରମ୍ଭ କରିଥାନ୍ତି ।

ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ୍‍, ଭ୍ୟାନ, ଅଟୋଗୁଡିକର ପରମିଟ୍‍, ଫିଟ୍‍ନେସ୍‍ ଓ ବୀମା ସହିତ ଚାଳକମାନଙ୍କର ଲାଇସେନ୍ସ ଯାଞ୍ଚ ହୋଇଥାଏ । ସୂଚନା ଅନୁଯାୟୀ ୨୦୨୨-୨୩ ରେ ୧୩୦୬ ଟି ଗାଡି ଯାଞ୍ଚ ସମୟରେ ଧରାପଡିଥିଲେ । ୨୦୨୩-୨୪ରେ ଏହି ସଂଖ୍ୟା ୨୬୬ ଏବଂଚଳିତ ଆର୍ôଥକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଯାଞ୍ଚ ସମୟରେ ଧରାପଡିଥିବା ୩୮ଟି ଗାଡି ମାଲିକଙ୍କ ବିରୁଦ୍ଧରେ ମୋଟରଯାନ ଆଇନ୍‍, ୧୯୮୮ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।

ତେବେ ସ୍କୁଲ ପରିବହନରେ ଲିପ୍ତ ଥିବା କିଛି ଘରୋଇ ଗାଡି ଉପରେ ଏହି ଯାଞ୍ଚର ସେଭଳି ପ୍ରଭାବ ପଡୁନଥିବା ଲକ୍ଷ୍ୟ କରାଯାଉଛି । ସେମାନେ ଅତ୍ୟନ୍ତ ପୁରୁଣା ଓ ଦଦରା ଯାନରେ ପିଲାଙ୍କୁ ନେବା ଆଣିବା କରୁଛନ୍ତି । ଯେଉଁ ଯାନରେ ୮/୧୦ ଜଣ ପିଲା ଯିବାର କ୍ଷମତା ରହିଛି ସେମାନେ ଲାଭ ପାଇଁ ୧୫/୧୮ ଜଣ ପିଲାଙ୍କୁ ସେଥିରେ ଖୁନ୍ଦାଖୁନ୍ଦି କରି ନେଇଥାନ୍ତି । ଅଭିଭାବକମାନେ ଅଭିଯୋଗ କଲେ କମ୍‍ ପିଲା ନେଲେ ସେମାନଙ୍କୁ ଅଧିକ ଦେୟ ଦେବାକୁ ପଡିବ ବୋଲି ବୁଝାଇ ଦିଆଯାଇଥାଏ ।

ତେବେ ରାଜ୍ୟ ସରକାର ସମସ୍ତ ପ୍ରକାର ଯାନ ପାଇଁ ପରିବହନ ଦର ଧାର୍ଯ୍ୟ କରୁଥିବାବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଉଥିବା ଯାନ ପାଇଁ ଦର ଧାର୍ଯ୍ୟ କରିନାହାନ୍ତି । ଏହାର ଫାଇଦା ନେଇ ବିଦ୍ୟାଳୟଗୁଡିକ ଅଭିଭାବକମାନଙ୍କ ଠାରୁ ମୋଟା ଅଙ୍କର ଭଡା ଆଦାୟ କରୁଥିବାବେଳେ ଘରୋଇ ଯାନଗୁଡିକ ବି ମନଇଚ୍ଛା ଅର୍ଥ ଆଦାୟ କରୁଛନ୍ତି । କେତେକ ବିଦ୍ୟାଳୟର ନିଜସ୍ୱ ସ୍କୁଲ୍‍ ଯାନ ଥିବାବେଳେ ଆଉ କେତେକ ବିଦ୍ୟାଳୟ ଏହି ବ୍ୟବସାୟରୁ ଏକ ପ୍ରକାର ଦୂରେଇ ରହିଛନ୍ତି । ବିଶେଷକରି ସରକାରୀ ବିଦ୍ୟାଳୟଗୁଡିକର ନିଜସ୍ୱ ପରିବହନ ବ୍ୟବସ୍ଥା ନାହିଁ । ତେଣୁ ପିଲାମାନେ କିଭଳି କେଉଁ ସ୍ଥିତିରେ ଆସୁଛନ୍ତି ତାହା ସେମାନେ ଯାଞ୍ଚ କରିନଥାନ୍ତି ।

ପିଲାଙ୍କ ସୁରକ୍ଷା କଥା କହି ମଝିରେ ମଝିରେ ସ୍କୁଲଯାନକୁ ଯାଞ୍ଚ କରାଯାଉଥିବାରୁ ବିନା କାଗଜପତ୍ର ଓ ଫିଟ୍‍ସେନ୍‍ରେ ଚଳାଉଥିବା ଗାଡିମାଲିକଙ୍କ ଉପରେ ଏହାର ସେଭଳି ପ୍ରଭାବ ପଡୁନାହି । ତେଣୁ ବିଦ୍ୟାଳୟ ଆଖପାଖରେ ନିୟମିତ ଭାବେ ପରିବହନ ବିଭାଗ ଏହିସବୁ ଯାନଗୁଡିକୁ ଯାଞ୍ଚ କରିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)