Home General ନିମୟମିତଙ୍କ ଠାରୁ ଅଧିକ ଆଉଟସୋର୍ସିଂ କର୍ମଚାରୀ

ନିମୟମିତଙ୍କ ଠାରୁ ଅଧିକ ଆଉଟସୋର୍ସିଂ କର୍ମଚାରୀ

ଭୁବନେଶ୍ୱର : ଲାଭରେ ଚାଲୁଥିବା ନିଗମଗୁଡିକରେ ଯେତିକି ନିୟମିତ କର୍ମଚାରୀ ଅଛନ୍ତି ତାହାଠାରୁ ଅଧିକ ଆଉଟସୋର୍ସିଂ କର୍ମଚାରୀ କାର୍ଯ୍ୟ କରୁଛନ୍ତି । କାଁ ଭାଁ କେତୋଟି ନିଗମକୁ ବାଦ ଦେଲେ ପ୍ରାୟତଃ ଅଧିକାଂଶ ନିଗମରେ ଏଭଳି ଅବସ୍ଥା ।

ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ୩୧ଟି ସରକାରୀ ଉଦ୍ୟୋଗ ଥିବାବେଳେ ଏଥିରୁ ୨୫ଟି ଲାଭରେ ଚାଲୁଛି ।

ଲାଭରେ ଚାଲୁଥିବା ନିଗମ ତାଲିକାରେ ଆଗରେ ରହିଛି ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ । ଏଠାରେ ୬୧୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଅଛନ୍ତି ମାତ୍ର ୩୪ଜଣ ନିୟମିତ କର୍ମଚାରୀ । ଏହି ନିଗମରେ ୨୨୧ ଜଣ ଆଉସୋର୍ସିଂ କର୍ମଚାରୀ ରହିଛନ୍ତି । ସେହିଭଳି ଲାଭରେ ଥିବା ବିହନ ନିଗମରେ ୧୮୭ଟି ମଞ୍ଜୁରୀପ୍ରାପ୍ତ ଥିବାବେଳେ ସେଠାରେ ୭୦ଜଣ ନିୟମିତ ଓ ୯୯ଜଣ ଆଉଟସୋର୍ସିଂ କର୍ମଚାରୀ ରହିଛନ୍ତି ।

ରାଜ୍ୟରେ ଆଉଗୋଟିଏ ଲାଭଜନକ ନିଗମ ହେଉଛି ଓଡିଶା ଖଣି ନିଗମ । ଏହି ନିଗମରେ ରହିଛି ୩୨୪୨ଟି ମଞ୍ଜୁରୀପ୍ରାପ୍ତ ପଦବୀ । ଏହି ପଦବୀରେ ରହିଛନ୍ତି ୨୦୯୩ ନିୟମିତ କର୍ମଚାରୀ । ତେବେ ଖଣି ନିଗମରେ ଅଛନ୍ତି ୧୨,୬୮୭ଜଣ ଆଉଟସୋର୍ସିଂ କର୍ମଚାରୀ । ସେହିଭଳି ଓଡିଶା ସେତୁ ଓ ନିର୍ମାଣ ନିଗମରେ ମଞ୍ଜୁରୀପ୍ରାପ୍ତ ସମସ୍ତ ୧୮ଟି ପଦବୀରେ କର୍ମଚାରୀ ଥିବାବେଳେ ଆଉଟସୋର୍ସିଂ କର୍ମଚାରୀଙ୍କ ସଂଖ୍ୟା ଏଠାରେ ୧୬୫ ରହିଛି ।

ଲାଭରେ ଚାଲୁଥିବା ସରକାରୀ ନିଗମ ଓଡିଶା ପର୍ଯ୍ୟଟନ ନିଗମରେ ୨୧୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିବାବେଳେ ଏଠାରେ ୧୨୬ଜଣ ନିୟମିତ କର୍ମଚାରୀ ଓ ୭୩୦ଜଣ ଆଉସୋର୍ସିଂ କର୍ମଚାରୀ କାର୍ଯ୍ୟ କରଛନ୍ତି । ଲାଭରେ ଚାଲୁଥିବା ଓଡିଶା ରାଜ୍ୟ ଔଷଧ ନିଗମ ଲିମିଟେଡରେ ୧୩୦ଟି ମଞ୍ଜୁରୀପ୍ରାପ୍ତ ପଦବୀରେ ୧୦୫ ଜଣ ନିୟମିତ କର୍ମଚାରୀ ରହିଥିବାବେଳେ ଆଉଟିସୋର୍ସିଂ କର୍ମଚାରୀଙ୍କ ସଂଖ୍ୟା ଏଠାରେ ୧୪୪ ରହିଛି ।

ତେବେ ରାଜ୍ୟ ସରକାର ବାରମ୍ବାର କଳିଙ୍ଗ ଷ୍ଟିଡିଓର ପୁନରୁଦ୍ଧାର କଥା କହି ଆସୁଥିବାବେଳେ ଏଠାରେ ଜଣେହେଲେ କେହି କର୍ମଚାରୀ ନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ସେହିଭଳି ଆଉଗୋଟିଏ ଲାଭଜନକ ସଂସ୍ଥା ଜେଡକୋଲରେ ୩୦ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଠାରେ ୧୪ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏମାନେ ସମସ୍ତେ ଓଡିଶା ଜଳ ବିଦ୍ୟୁତ୍‍ ନିଗମରୁ ଆସିଛନ୍ତି ଏବଂ ଦୁଇଟି ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ଏହି ନିଗମରେ କୌଣସି ଆଉଟସୋର୍ସିଂ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି । ସେହିଭଳି କ୍ଷତିରେ ଚାଲୁଥିବା ରାଜ୍ୟ ଅର୍ଥ ନିଗମରେ ମଧ୍ୟ କୌଣସି ଆଉଟସୋର୍ସିଂ କର୍ମଚାରୀ ନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)