Home General ନିମ୍ନମାନ ଖାଦ୍ୟର ପେଣ୍ଠସ୍ଥଳୀ ରାଜଧାନୀ

ନିମ୍ନମାନ ଖାଦ୍ୟର ପେଣ୍ଠସ୍ଥଳୀ ରାଜଧାନୀ

ଭୁବନେଶ୍ୱର : ରାଜଧାନୀ ଏବେ ଏକ ପ୍ରକାର ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରିର ପେଣ୍ଠସ୍ଥଳୀ ପାଲଟିଛି । ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ ସାଙ୍ଗକୁ କର୍ତ୍ତୃପକ୍ଷଙ୍କ ଉଦାସୀତାକୁ ଏହାକୁ ଖୋରାକ ଯୋଗାଉଛି ।

ସହରର ଚାରିଆଡେ ଏବେ ଫାଷ୍ଟଫୁଡ୍‍ ସାଙ୍ଗକୁ ମାଳ ମାଳ ଚଟ୍‍ପଟି ଖାଦ୍ୟର ସମ୍ଭାର । ରାସ୍ତାକଡ, ଫୁଟ୍‍ଫାଥ୍‍ ଯିଏ ଯେଉଁଠି ପାରିଲା ଦୋକାନ ଖୋଲିଲା । ଲୋକେ ବି ସେଠାରେ ଭିଡ ଲଗାଉଛନ୍ତି ଖାଇବାପାଇଁ । ହେଲେ ଏହି ଦୋକାନୀମାନେ କେଉଁ ମାନର ଖାଦ୍ୟ ଦେଉଛନ୍ତି ତାହା ଜାଣିବାର ଅବକାଶ କାହାରି ପାଖରେ ନାହିଁ ।

ଫାଷ୍ଟଫୁଡ୍‍ ଦୋକାନ ଠାରୁ ଆରମ୍ଭ କରି ଚାଟ୍‍ ଆଦି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀରେ ଏବେ ଟମାଟୋ, ଚିଲି ଓ ସୋୟା ସସ୍‍ର ବହୁଳ ବ୍ୟବହାର ହେଉଛି । ବ୍ୟବସାୟୀମାନେ ଅତି ଶସ୍ତାରେ ମିଳୁଥିବା ସସ୍‍ ବ୍ୟବହାର କରୁଛନ୍ତି । ବିଭିନ୍ନ ନାମୀ ଦାମୀ କମ୍ପାନୀର ଟମାଟୋ ସସ୍‍ ଗୋଟଏ ବୋତଲର ଦାମ୍‍୍‍ ପ୍ରାୟ ୧୦୦ ଟଙ୍କା ହୋଇଥିବାବେଳେ ବଜାରରେ ୨୦ ରୁ ୩୦ ଟଙ୍କାରେ ଟମାଟୋ ସସ୍‍ ମିଳୁଛି । ଅଧିକାଂଶ ଦୋକାନୀ ଏଭଳି ନିମ୍ନମାନର ସସ୍‍ ବ୍ୟବହାର କରୁଛନ୍ତି । ଖାଦ୍ୟ ଅନୁପଯୋଗୀ ଆଳୁ, କଖାରୁ, ଅମୃତଭଣ୍ଡା ଆଦିରୁ ଏହି ସସ୍‍ ପ୍ରସ୍ତୁତ ହେଉଥିବାବେଳେ ଏଥିରେ ନିମ୍ନମାନର ରଙ୍ଗ ଓ ରସାୟନିକ ପଦାର୍ଥ ଦିଆଯାଉଛି । କାଳେ ଖାଉଟିମାନେ ଏହି ନିମ୍ନମାନର ସସ୍‍ବୋତଲ ଦେଖିଦେବେ ତେଣୁ ଦୋକାନୀମାନେ ତାହାକୁ ଛୋଟ ଛୋଟ ପ୍ଲାଷ୍ଟିକ ବୋତଲରେ ଭର୍ତ୍ତିକରି ରଖୁଛନ୍ତି ।

କେବଳ ଟମାଟୋ ସସ୍‍ ନୁହେଁ, ଚିଲି ଓ ସୋୟା ସସ୍‍ର ମଧ୍ୟ ଅନୁରୂପ ଅବସ୍ଥା । ଅତି ଶସ୍ତାରେ ମିଳୁଥିବା ସସ୍‍କୁ ହିଁ ରାସ୍ତାକଡ ଦୋକାନଗୁଡିକରେ ବ୍ୟବହାର କରାଯାଉଛି । ଏହାବାଦ୍‍ ଚାଇନା ଲୁଣ, ଶସ୍ତାରେ ମିଳୁଥିବା ଖାଇବା ତେଲ, ପୋଡା ତେଲ ଆଦିକୁ ମଧ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି ।

ଏଭଳି ଖାଦ୍ୟ ସାମଗ୍ରୀ ବାଦ୍‍ ସହରରେ ମାଛ, ମାଂସ ଆଦି ବିପୁଳ ପରିମାଣରେ ବି କାରବାର ହେଉଛି । ହେଲେ ଏହାର ମାନ ଯାଞ୍ଚ ପାଇଁ ଆବଶ୍ୟକ ଅଧିକାରୀ ନାହାନ୍ତି । ଦଶ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ରାଜଧାନୀର ଖାଦ୍ୟ ବ୍ୟବସ୍ଥା ଉପରେ ମାତ୍ର ୭ଜଣ ଅଧିକାରୀ ଓ କର୍ମଚାରୀ ନଜର ରଖିଛନ୍ତି । ତେଣୁ ସମଗ୍ର ସହରରେ ଖାଦ୍ୟର ମାନ ଯେଭଳି ଯାଞ୍ଚ ହେବାକଥା ତାହା ହେଉନାହିଁ । ପରୀକ୍ଷା କରିବା ତ ଦୂରରକଥା ଯାଞ୍ଚ ପାଇଁ ଆବଶ୍ୟକ ଅଧିକାରୀ ନାହାନ୍ତି । ଏଠାରେ ଅତି କମ୍‍ରେ ୧୨/୧୩ ଜଣ ଅଧିକାରୀ ରହିବାକଥା ।

ସରକାରଙ୍କର ଏଭଳି ଉଦାସୀନତାର ସୁଯୋଗ ନେଇ ନିମ୍ନମାନର ଏଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ସଂସ୍ଥାମାନେ ଏବେ ରାଜଧାନୀକୁ ଟାର୍ଗେଟ କରିଛନ୍ତି । ଏଠାରେ ଜୋରଦାର ବେପାର ହେଉଥିବାରୁ ସେମାନେ ଅଧିକରୁ ଅଧିକ ନିମ୍ନମାନର ସାମଗ୍ରୀ ପଠାଉଛନ୍ତି । ତେବେ ଏଗୁଡିକୁ ନିୟମିତ ଭାବେ ଖାଉଥିବା ଲୋକେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପଡିବେ ବୋଲି ବିଶେଷଜ୍ଞମାନେ ବାରମ୍ବାର ଚେତାବନୀ ଦେଉଛନ୍ତି । ଏହା ସତ୍ୱେ ବି ସରକାରୀ କଳ ଖାଦ୍ୟ ସୁରକ୍ଷା ପାଇଁ ଯେଭଳି ପଦକ୍ଷେପ ନେବାକଥା ତାହା କରୁନାହିଁ । (ତଥ୍ୟ)