Home Forest ନିପାତ ହେବେ ଶିକାରୀ

ନିପାତ ହେବେ ଶିକାରୀ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ କୁଲଡିହା ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଆକ୍ରମଣ କୁ ନେଇ ପିସିସିଏଫ୍ ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ଉଦବେଗ ପ୍ରକାଶ କରି ଶିକାରୀମାନଙ୍କୁ ନିପାତ କରିବା ପାଇଁ ବୁଧବାରଠାରୁ ଅଭୟାରଣ୍ୟ ଭିତରେ କମ୍ବିଂ ଅପରେସନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତାକାଲିଠାରୁ କୁଲଡିହା ଅଭୟାରଣ୍ୟରେ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ଓ ପୂର୍ବତନ ସେନା ଯବାନଙ୍କୁ ନେଇ ଗଠିତ ଏକ ମିଳିତ ଟିମ୍ କମ୍ବିଂ ଅପରେସନକୁ ଜୋରଦାର କରିବେ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ସୂଚନା ଦେଇଛନ୍ତି। ନନ୍ଦ ଶିକାରୀମାନଙ୍କୁ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ କହିଛନ୍ତି, ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୁଅନ୍ତୁ।

ମଙ୍ଗଳବାର ଭୋର ସମୟରେ କୁଲଡିହା ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ବନ ବିଭାଗର ଶିକାର ନିରୋଧୀ ଦଳର ଅନ୍ୟୂନ ଦୁଇ ଜଣ ସଦସ୍ୟ ଆହତ ହୋଇଛନ୍ତି।

ଗତ ୧୯ ତାରିଖ ରାତି ପ୍ରାୟ ୨ଟା ବେଳେ ବାଲେଶ୍ୱର ଡିଭିଜନ ଅଧୀନ କୁଲଡିହା ବନାଞ୍ଚଳର କର୍ମଚାରୀମାନେ କୁଲଡିହା ଅଭୟାରଣ୍ୟ ଭିତରେ ଦୁଇ ଶିକାରୀଙ୍କୁ ଦେଖିଥିଲେ। ସେମାନଙ୍କୁ ଗିରଫ କରାଯାଇଛି ବୋଲି ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।

ସୋମବାର ରାତି ୮ଟାରୁ ବନ ବିଭାଗ କର୍ମଚାରୀମାନେ ଶିକାରୀମାନଙ୍କୁ ପିଛା କରୁଥିବା ବେଳେ ରାତି ପ୍ରାୟ ୨ଟାବେଳେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ହଠାତ୍ ଶିକାରୀମାନେ ଟିମ୍ ଉପରକୁ ଗୁଳି ଚଳାଇଥିଲେ। ଗୁଳିଚାଳନା ସତ୍ତ୍ୱେ ବନ ବିଭାଗ ଟିମ୍ ଦୁଇ ସଶସ୍ତ୍ର ଶିକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ଆହତ ବନ କର୍ମଚାରୀଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୨ ଶିକାରୀଙ୍କୁ ଗିରଫ କରିବା ସହ ରାଇଫଲ ଜବତ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ଜଣେ ବନ ଅଧିକାରୀ କହିଛନ୍ତି।

ଗୁଳିମାଡ଼ରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ବିପଦମୁକ୍ତ ଅଛନ୍ତି। ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଦଳକୁ ଅଭିନନ୍ଦନ, କହିଛନ୍ତି ପିସିସିଏଫ୍ ବନ୍ୟପ୍ରାଣୀ ।