ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଧୂଳିମାଟିର ସନ୍ଥ ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ନାମରେ ନାମିତ ଯାଜପୁର ଜିଲ୍ଲାର ରାମଚନ୍ଦ୍ରପୁରସ୍ଥିତ ଗୋପବନ୍ଧୁ ଚୌଧୁରୀ କଲେଜରେ ଖୋଦ୍ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିକୃତ ହୋଇ ପଡିଛି । ଏହାର ରକ୍ଷଣାବେକ୍ଷଣ ତ ଦୂରର କଥା ପ୍ରତିମୂର୍ତ୍ତି ଆଖିରୁ ଚଷମା କାଢି ବାମ ଆଖିକୁ ବିକୃତ କରିଦିଆଯାଇଥିଲେ ମଧ୍ୟ ତାହାର ମରାମତି କରାଯାଉନାହିଁ । ଏଥିଘେନି ବରୀ ସମେତ ଅନ୍ୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।
ନିକଟରେ ଏହି କଲେଜ ପରିସରରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଧୁମ୍ଧାମ୍ରେ ପାଳିତ ହୋଇଛି । ଏଥିଲାଗି ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଇଛି । ଅନେକ ସ୍ଥାନରେ ବଡ ବଡ ହୋଡିଂ ଲାଗିଛି । କେତେକ ସ୍ଥାନରେ ବି କାନ୍ଥବାଡରେ ରଙ୍ଗ ଦିଆଯାଇଛି । ତେବେ ଏହି କଲେଜ ପରିସରରେ ୧୯୭୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ପ୍ରତିମୂର୍ତ୍ତିର ପରିସର ଦେଖିଲେ ଯେକୌଣସି ସଭ୍ୟ ଓ ସଚେତନ ଲୋକ ମନରେ ପ୍ରତିକ୍ରିୟା ଉପୁଯିବା ସ୍ୱାଭାବିକ ।
ଯେଉଁଠି ଏହି ପ୍ରତିମୂର୍ତ୍ତିଟି ରହିଛି ସେହି ପରିସରକୁ ଚାବି ପକାଇ ରଖାଯାଇଛି । ବର୍ଷ ବର୍ଷ ଧରି ପରିସର ସଫେଇ ହେଉନଥିବାରୁ ଆଣ୍ଠୁଏ ଉଚ୍ଚର ଘାସ ସହ ଅନ୍ୟ ଅନାବନା ଗଛ ବି ବଢିଛି । ଏହାଛଡ଼ା ଏଠାରେ ଯେତେ ଅଳିଆ ଆବର୍ଜନା ପଡିଛି ତାହା ନଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ରାଜ୍ୟ ସରକାର ସମାଜସେବା, ସଂସ୍କୃତି ଓ କ୍ରୀଡାକୁ କଲେଜ ପରିସରରେ ପ୍ରୋତ୍ସାହିତ କରୁଛନ୍ତି । ଏଥିଲାଗି ବିପୁଳ ଅର୍ଥ ମଧ୍ୟ ଯୋଗା ଯାଉଛି ।
ଏହିକ୍ରମରେ ସରକାରୀ ଅର୍ଥରେ ନିକଟରେ ଏହି କଲେଜରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଧୁମ୍ଧାମ୍ରେ ପାଳିତ ହୋଇଛି । ତେବେ ଗତ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଓ ତାହାର ଚାରିପଟ ପରିବେଶ ଅତି ଖରାପ ସ୍ଥିତିରେ ରହିଛି । ଅନ୍ୟ କଲେଜ ଭଳି ଏଠାରେ ବି ଏନ୍ଏସ୍ଏସ୍, ଏନ୍ସିସି ଆଦିର ଶାଖା ରହିଛି । ପରିସର ସଫେଇ ପାଇଁ କଲେଜ କର୍ତ୍ତୃପକ୍ଷ ମଧ୍ୟ ଅର୍ଥ ବ୍ୟୟ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ବରୀ-ରାମଚନ୍ଦ୍ରପୁର-ବିଞ୍ଝାରପୁର ଅଞ୍ଚଳର ସାଂଘାତିକ ବନ୍ୟାସ୍ଥିତି ଗୋପବନ୍ଧୁ ଚୌଧୁରୀଙ୍କୁ ଏତେ ବିଚଳିତ କରିଥିଲା ଯେ ସେ ୧୯୨୧ ମସିହାରେ ସରକାରୀ ଚାକିରୀରୁ ଇସ୍ତଫା ଦେଇ ଅସହଯୋଗ ଆନ୍ଦୋଳନରେ ସପରିବାର ସାମିଲ ହୋଇଥିଲେ । କେବଳ ସେତିକି ନୁହେଁ, କାଇପଡ଼ା-କଳାମାଟିଆ, ଅନ୍ୟାସିପୁର, ବରୀ ବାଟ ଦେଇ ୧୯୩୪ ଜୁନ୍ ମାସରେ ଗାନ୍ଧୀଜୀଙ୍କ ପଦଯାତ୍ରାବେଳେ ମା’ ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀ ମଧ୍ୟ ଅନ୍ୟତମ ବ୍ୟବସ୍ଥାପକ ଥିଲେ । ସେହିବର୍ଷ ଅଗଷ୍ଟ ୧୫ ତାରିଖରେ ଚୌଧୁରୀ ଦମ୍ପତି ସେବା କାର୍ଯ୍ୟ ପାଇଁ ବରୀରେ ଆସ୍ଥାନ ପକାଇଥିଲେ ଓ ତା’ ପରେ ଝାଟିମାଟିର କୁଡିଆ ଘରଟିଏ କରି ସେଠାରେ ସେବା ଓ ସଂଗ୍ରାମର ସାଧନା ଚଳାଇଥିଲେ ।
ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମର ପ୍ରୟୋଗ ପାଇଁ ରାମଚନ୍ଦ୍ରପୁରରେ ବାଣୀଶ୍ରୀ ମୌଳିକ ବିଦ୍ୟାଳୟ, ନୟୀ ତାଲିମ କେନ୍ଦ୍ର ସମେତ କୃଷି ଓ କୁଟୀରଶିଳ୍ପର ବ୍ୟାପକ ପ୍ରୟୋଗ ହୋଇଥିଲା । ୧୯୪୨ ଆନ୍ଦୋଳନରେ ବରୀ-ରାମଚନ୍ଦ୍ରପୁର ନିକଟବର୍ତ୍ତୀ କାଇପଡ଼ା-କଳାମାଟିଆଠାରେ ପୁଲିସ ଗୁଳିରେ ୪ଜଣ ସହିଦ ହୋଇଥିଲେ । ରାଜେନ୍ଦ୍ର ପ୍ରସାଦ, ବିନୋବା ଭାବେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଏ ଅଞ୍ଚଳକୁ ଟାଣି ଆଣୁଥିଲା ମା’ ରମାଦେବୀ ଓ ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଆକର୍ଷଣ । ସ୍ୱାଧୀନତା ସଂଗ୍ରାମରେ ଏ ଅଞ୍ଚଳର ଗାଁରେ ଗାଁରେ ଅନେକ କାରାବରଣ କରିଥିଲେ ।
ଏଠାରୁ ପ୍ରଶିକ୍ଷିତ ବହୁ ସଂଗ୍ରାମୀ ଅନ୍ୟ ଅଞ୍ଚଳରେ ସ୍ୱାଧୀନତା ଆନ୍ଦୋଳନକୁ ବ୍ୟାପକ କରିବା ସହ ସାରା ରାଜ୍ୟରେ ଓ ରାଜ୍ୟ ବାହାରେ ରଚନାତ୍ମକ କାର୍ଯ୍ୟ କରି ପ୍ରଶଂସା ସାଉଁଟି ଥିଲେ । ରାମଚନ୍ଦ୍ରପୁରର ବ୍ରାହ୍ମଣୀନଦୀ କୂଳବର୍ତ୍ତୀ ଏହି ଶିକ୍ଷାନୁଷ୍ଠାନ ପରିସରରେ କସ୍ତୁରବା ଗାନ୍ଧୀ ସ୍ମାରକନିଧି ସମେତ ଅନେକ ଅନୁଷ୍ଠାନର ରାଜ୍ୟ କାର୍ଯ୍ୟାଳୟ ଏକଦା ଚାଲୁଥିଲା ।
ଏଠିବି ଦିନେ ଥିଲା ମହିଳା ତାଲିମ ଶିବିର । ଗୋପବନ୍ଧୁ ଚୌଧୁରୀଙ୍କ ଅବର୍ତ୍ତମାନରେ ଏହି ପରିସରରେ ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ମହାବିଦ୍ୟାଳୟ ସ୍ଥାପନ କରାଯାଇ ସର୍ବସମ୍ମତିକ୍ରମେ ତାହାକୁ ଗୋପବନ୍ଧୁ ଚୌଧୁରୀଙ୍କ ନାମରେ ନାମିତ କରାଯାଇଥିଲା । ବୀର ମାଟି ବରୀ-ରାମଚନ୍ଦ୍ରପୁରରେ ଥିବା ଏହି ଶିକ୍ଷାନୁଷ୍ଠାନ ପରିସରରେ ସ୍ଥାପିତ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢି ନିଆଯିବା ସହିତ ବାମ ଆଖିକୁ ବିକୃତ କରାଯାଇଥିଲେ ମଧ୍ୟ ଉତ୍ସବ ପୂର୍ବରୁ ତାହାର ମରାମତି କରାନଯିବା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । (ତଥ୍ୟ)