Home Election ନିଜସ୍ୱ ଇଭିଏମ୍‍ କିଣିବେ ନିର୍ବାଚନ କମିଶନ

ନିଜସ୍ୱ ଇଭିଏମ୍‍ କିଣିବେ ନିର୍ବାଚନ କମିଶନ

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନ ଏଣିକି କେନ୍ଦ୍ର ନିର୍ବାଚନ କମିଶନଙ୍କ ଭୋଟିଂ ମେସିନ ବଦଳରେ ନିଜସ୍ୱ ଇଲେଟ୍ରୋନିକ ଭୋଟିଂ ମେସିନ୍‍ (ଇଭିଏମ୍‍)ରେ ଭୋଟ କରାଇବେ । ନିକଟରେ ଅନୁଷ୍ଠିତ ସର୍ବଭାରତୀୟ ନିର୍ବାଚନ କମିଶନରଙ୍କ ସମ୍ମିଳନୀରେ ଭୋଟିଂ ମେସିନ ପ୍ରସ୍ତୁତ କରୁଥିବା ରାଷ୍ଟ୍ରାୟତ ସଂସ୍ଥାରୁ ଅତ୍ୟାଧୁନିକ ଏମ୍‍୩ ଇଭିଏମ୍‍ ଖରିଦ ପାଇଁ ସ୍ଥିର ହୋଇଛି ।

ଫଳରେ ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନରେ ନିଜସ୍ୱ ଇଭିଏମ୍‍ ବ୍ୟବହାର ଲାଗି ନିର୍ବାଚନ କମିଶନ ସ୍ଥିର କରିଛନ୍ତି । ଓଡିଶା ରାଜ୍ୟ ନିର୍ବାଚନ କମିଶନର ନିକଟରେ ସଫଳତାର ସହ ପୌର ଓ ପଞ୍ଚାୟତ ନିର୍ବାଚନ କରିଛନ୍ତି । ତେବେ କେବଳ ପୌର ନିର୍ବାଚନରେ ଇଭିଏମ୍‍ ବ୍ୟବହାର ହୋଇଥିବାବେଳେ ପଞ୍ଚାୟତ ନିର୍ବାଚନ ବାଲାଟ ପେପର ଜରିଆରେ ହୋଇଥିଲା ।

ଭାରତର ନିର୍ବାଚନ କମିଶନ ତାଙ୍କର ଇଭିଏମ୍‍ ଓ ଭିଭିପାଟ୍‍ଗୁଡିକ ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ (ବେଲ୍‍) ଓ ଇଲେକଟ୍ରୋନିକ୍ସ କର୍ପୋରେଟସନ ଅଫ୍‍ ଇଣ୍ଡିଆ ଲିମିଟେଡ (ଇସିଆଇଏଲ୍‍) ଆଣୁଛନ୍ତି । ଏହାବାଦ୍‍ ଟେଲିକମ୍ୟୁନିକେସନ କନସଲଟ୍ସ ଅଫ୍‍ ଇଣ୍ଡିଆ (ଟିସିଆଇଏଲ୍‍) ମଧ୍ୟ ଏହି ବ୍ୟବସାୟରେ ରହିଛି । ତେବେ ଏହି ତିନି ସଂସ୍ଥା ବାଦ୍‍ ବି ଆଉ ଗୋଟିଏ ରାଷ୍ଟ୍ରାୟତ ସଂସ୍ଥା ଏବେ ଏହା ନିର୍ମାଣ ପାଇଁ ଆଗେଇ ଆସୁଥିବାରୁ ରାଜ୍ୟ ନିର୍ବାଚନ କମିଶନ ତାହାକୁ ମଧ୍ୟ ବିଚାରକୁ ନେଇପାରନ୍ତି ବୋଲି ଜଣାଯାଇଛି ।

ବର୍ତ୍ତମାନ ସୁଦ୍ଧା ଭାରତର ନିର୍ବାଚନ କମିଶନ ରାଜ୍ୟ ର୍ନିବାଚନ କମିଶନଙ୍କୁ ଯେଉଁ ଇଭିଏମ୍‍ ଯୋଗାଇ ଦେଉଛନ୍ତି ସେଗୁଡିକ ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ପାଇଁ ବ୍ୟବହାର ହେଉନାହିଁ । ତେବେ ଏହିସବୁ ନିର୍ବାଚନରେ ବ୍ୟବହାର ହେଉଥିବା ଏମ୍‍୩ ଇଭିଏମ୍‍ ଯୋଗାଇ ଦେବାକୁ ରାଜ୍ୟ ନିର୍ବାଚନ କମିଶନ ଭାରତର ନିର୍ବାଚନ କମିଶନଙ୍କୁ ଅନୁରୋଧ କଲେ ମଧ୍ୟ ତାହାକୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଗ୍ରହଣ କରୁନାହାନ୍ତି । ତେଣୁ ରାଜ୍ୟ ନିର୍ବାଚନ କମିଶନର ତାଙ୍କର ନିଜସ୍ୱ ଏମ୍‍୩ଇଭିଏମ୍‍ ରାଷ୍ଟ୍ରାୟତ ସଂସ୍ଥାଗୁଡିକରୁ କିଣିବାପାଇଁ ସ୍ଥିର କରିଛନ୍ତି ।

ତେବେ ନିର୍ବାଚନ କମିଶନ ନିର୍ବାଚନରେ ଅଧିକରୁ ଅଧିକ ଇଭିଏମ୍‍ ବ୍ୟବହାର କଲେ ସେଥିପାଇଁ ନିଜସ୍ୱ ଇଭିଏମ୍‍ ଆବଶ୍ୟକ ପଡିବ । ସଂଖ୍ୟାଧିକ ରାଜ୍ୟ ନିର୍ବାଚନ କମିଶନ ଇଭିଏମ୍‍ ଜରିଆରେ ର୍ନିବାଚନ କରୁଥିବାରୁ କେନ୍ଦ୍ର ନିର୍ବାଚନ କମିଶନଙ୍କ ପକ୍ଷେ ସମସ୍ତଙ୍କୁ ଚାହିଦା ମୁତାବକ ଇଭିଏମ୍‍ ଯୋଗାଇଦେବା ସମ୍ଭବପର ନୁହେଁ । ୧୯୯୯ ମସିହାରୁ କେତେକ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଭିଏମ୍‍ ବ୍ୟବହାର ହେଉଛି । ୨୦୦୦ ମସିହାରେ ଆମ ରାଜ୍ୟରେ ଏଭଳି ନିର୍ବାଚନ ପାଇଁ ଇଭିଏମ୍‍ ବ୍ୟବହାର ହେଉଥିବାବେଳେ ନିର୍ବାଚନକୁ ଅଧିକ ସ୍ୱଚ୍ଛ କରିବାଲାଗି ୨୦୧୩ ମସିହାରୁ ଇଭିଏମ୍‍ ସହିତ ଭିଭିପାଟ୍‍ ମେସିନ ବି ବ୍ୟବହାର ହେବାରେ ଲାଗିଛି । (ତଥ୍ୟ)