Home News in Odia ନିଗମ ନିଯୁକ୍ତି ପାଇଁ ନିଦ ହଜିଲାଣି

ନିଗମ ନିଯୁକ୍ତି ପାଇଁ ନିଦ ହଜିଲାଣି

ଭୁବନେଶ୍ୱର : ଚଳିତ ମାସ ଶେଷସୁଦ୍ଧା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ବିଭିନ୍ନ କମିଶନ, ନିଗମ ଓ ଅନ୍ୟାନ୍ୟ ସଂସ୍ଥାରେ ରାଜନୈତିକ ବ୍ୟକ୍ତିବିଶେଷମାନଙ୍କୁ ନିଯୁକ୍ତି ଦିଆଯାଇପାରେ ବୋଲି ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇବାପରେ ଏବେ ଆଶାୟୀମାନଙ୍କ ନିଦ ହଜିଯାଇଛି । ବିଭିନ୍ନ ଦଳୀୟ ନେତା ଓ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନିକଟରେ ସେମାନଙ୍କ ଜୋରଦାର ଲବି ଚାଲିଥିବା ଦେଖିବାକୁ ମିଳୁଛି । ତେବେ କେଉଁଦିନ ଓ କେଉଁମାନଙ୍କୁ ଏହି ନିଯୁକ୍ତି ସବୁ ମିଳିବ ସେ ସଂକ୍ରାନ୍ତରେ କେହି କିଛି ନିର୍ଦ୍ଦିଷ୍ଟ ଭାବେ କହିବାକୁ ପସନ୍ଦ କରୁନାହାନ୍ତି ।

ଜୁନ୍‍ ୧୨ତାରିଖରେ ଓଡିଶାରେ ମୋହନ ମାଝିଙ୍କ ନେତୃତ୍ୱରେ ବିଜେପି ସରକାର ଗଢାଯିବାର ଇତି ମଧ୍ୟରେ ଆଠମାସ ଅତିକ୍ରମ କରିଯାଇଛି । କେବଳ ଆଡଭୋକେଟ ଜେନେରାଲଙ୍କ ସମେତ ହାଇକୋର୍ଟ ପ୍ୟାନେଲରେ କିଛି ସରକାରୀ ଓକିଲ ନିଯୁକ୍ତି, ଆଇନ୍‍ କମିଶନ ଗଠନ ଓ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କ ବ୍ୟତିତ ପ୍ରାୟତଃ ଅନ୍ୟ କୌଣସି ସଂସ୍ଥାରେ ରାଜନୈତିକ ଥଇଥାନ ନିଯୁକ୍ତି ହୋଇନାହିଁ ।

ବିଜେଡି ସରକାର କ୍ଷମତାଚ୍ୟୁତ ହେବା ପରେ ପରେ ଅଧିକାଂଶ ନିଗମ ଓ ଅନ୍ୟାନ୍ୟ ସଂସ୍ଥାରୁ ବିଜେଡି ନେତାମାନେ ଇସ୍ତଫା ଦେଇଛନ୍ତି । ଏମିତିକି ବିଭିନ୍ନ ସଂସ୍ଥାରେ ଉପଦ୍ଦେଷ୍ଟାଭାବେ ନିଯୁକ୍ତ ହୋଇଥିବା ଦଳୀୟ ନେତା ଓ ନେତ୍ରୀମାନେ ବି ପଦ ଛାଡିଛନ୍ତି । ମହିଳା କମିଶନ ଭଳି ଆଉ କେତେକ ସଂସ୍ଥାରେ ନିଯୁକ୍ତ ବ୍ୟକ୍ତିମାନଙ୍କୁ ସରକାର ହଟାଇ ଦେଇଛନ୍ତି । ଏହାଛଡା ରାଜ୍ୟ ଯୋଜନା ବୋର୍ଡ, ଓଡିଶା ସାହିତ୍ୟ ଏକାଡେମୀ, ସଙ୍ଗୀତନାଟକ ଏକାଡେମୀ, ଉର୍ଦ୍ଦୁ ଏକାଡେମୀ, ଭାଷା ପ୍ରତିଷ୍ଠାନ ଆଦି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡିକର ମୁଖିଆ ଓ ସଦସ୍ୟ ପଦବୀଗୁଡିକ ମଧ୍ୟ ଖାଲି ପଡିଛି । ଖଦି ବୋର୍ଡ, ଗୃହ ନିର୍ମାଣ ବୋର୍ଡ ଠାରୁ ଆରମ୍ଭକରି ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସଂସ୍ଥାରେ ମଧ୍ୟ ମୁଖ୍ୟ ପଦବୀଗୁଡିକ ଖାଲି ରହିଛି ।

ନିର୍ବାଚନରେ ହାରିଥିବା ଏବଂ ନିର୍ବାଚନ ନଲଢି ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ସାଂଗଠନିକ କାର୍ଯ୍ୟ କରିଥିବା ବହୁ ବିଜେପି ନେତାଙ୍କର ଏସବୁ ପଦବୀ ଉପରେ ନଜର ରହିବା ସ୍ୱାଭାବିକ । ଏମାନଙ୍କ ବ୍ୟତିତ ଅନ୍ୟ ଦଳଗୁଡିକରୁ ଆସି ବିଜେପିରେ ମିଶିଥିବା ଆଉ କିଛି ନେତା ନେତ୍ରୀ ମଧ୍ୟ ରାଜନୈତିକ ଥଇଥାନ ପାଇଁ ଚାତକ ଭଳି ଅନାଇ ବସିଛନ୍ତି ।

ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ୬ଟି ଆସନ ଖାଲି ରହିଛି । ବିଧାନସଭାର ବଜେଟ୍‍ ଅଧିବେଶନ ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ପରାମର୍ଶକ୍ରମେ ରାଜ୍ୟ ମନ୍ତ୍ରୀମଣ୍ଡଳର ପ୍ରଥମ ସମ୍ପ୍ରସାରଣ ସହ ବିଭାଗ ଅଦଳ ବଦଳ ହୋଇପାରେ ବୋଲି ଦଳୀୟ ନେତାମାନେ କହୁଥିଲେ ମଧ୍ୟ ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସୂଚାଉଛନ୍ତି ।

ନିଗମ, ବୋର୍ଡ, କମିଶନ, ଏକାଡେମୀ ଆଦିର ମୁଆଁ ଖାଇବାକୁ ଆଗ୍ରହୀ ନେତା ନେତ୍ରୀମାନେ ନିର୍ବାଚନ ପରଠାରୁ ଅପେକ୍ଷା କରି କରି ଅଧୈର୍ଯ୍ୟ ହୋଇପଡିଲେଣି । ପ୍ରଥମ ଦଫାରେ ନିଯୁକ୍ତି ନମିଳିଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପାରେ । ଏଥିପାଇଁ ଅନେକ ଆଶାୟୀ ଦଳର କେନ୍ଦ୍ରୀୟ ଓ ରାଜ୍ୟ ସଂଗଠନର ପ୍ରଭାବଶାଳୀ ନେତା, ମନ୍ତ୍ରୀ, ସାଂସଦ, ବିଧାୟକ ଆଦିଙ୍କ ନିକଟରେ ନିଯୁକ୍ତି ପାଇଁ ଜୋରଦାର ଲବି ଚଳାଉଥିବା ଦେଖାଯାଉଛି । ତେବେ ସାମ୍ପ୍ରତିକ ପରିସ୍ଥିତି ଯାହା ଅଛି ସେଥିରେ କୌଣସି ନେତା କିଛି ନିଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇନପାରୁଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଫୋରମରେ କଥା ଉଠାଇବେ ବୋଲି କହି ପ୍ରସଙ୍ଗକୁ ଏଡାଇ ଯାଉଥିବା ଦେଖାଯାଉଛି । (ତଥ୍ୟ)