Home Education ନିଆଯାଉନି ମନସ୍ତତ୍ୱବିତ୍‍ଙ୍କ ସହାୟତା

ନିଆଯାଉନି ମନସ୍ତତ୍ୱବିତ୍‍ଙ୍କ ସହାୟତା

ଭୁବନେଶ୍ୱର : ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ବାରମ୍ବାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଉଦବେଗ ସୃଷ୍ଟି କରୁଥିବାବେଳେ ଏଭଳି ଦୁର୍ଘଟଣାକୁ ଏଡାଇବାପାଇଁ ଥିବା ବ୍ୟବସ୍ଥାର ଠିକଣା ଅନୁପାଳନ ହେଉନାହିଁ । ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ମନସ୍ତତ୍ୱ ପରାମର୍ଶଦାତାଙ୍କୁ ସଂଖ୍ୟାଧିକ କ୍ଷେତ୍ରରେ ନିୟୋଜନ କରାଯାଉନଥିବାରୁ ଅବସାଦଗ୍ରସ୍ତ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ତରରେ ଉପଚାର କରାଯାଇ ପାରୁନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ କାରଣରୁ ଛାତ୍ରଛାତ୍ରୀଙ୍କ ଭିତରେ ମାନସିକ ଅବସାଦ ବୃଦ୍ଧି ପାଇଥାଏ । ଏଥିଯୋଗୁଁ କେବଳ ଓଡିଶା ନୁହେଁ, ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରତିବର୍ଷ କେତେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଆସୁଛନ୍ତି ।

ମନସ୍ତତ୍ୱବିତ୍‍ମାନେ କହୁଛନ୍ତି ଯେ ପାଠପଢାର ଚାପ, ପ୍ରେମ ବ୍ୟାପାର, ଆର୍ଥିକ ଦୁରବସ୍ଥା, ଭବିଷ୍ୟତରେ ନିଯୁକ୍ତି ମିଳିବାର ଅନିଶ୍ଚିତତା ଏବଂ ଅନ୍ୟ କେତେକ କାରଣରୁ ପିଲାମାନଙ୍କର ମାନସିକ ଅବସାଦ ବଢିଥାଏ । କେତେକ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ମଧ୍ୟ ମାନସିକରୋଗରେ ଆକ୍ରାନ୍ତ ହୋଇଯାଇଥାନ୍ତି । ଏହାଛଡା ନିଶାର ପ୍ରସାର ଓ ବିଭିନ୍ନ ପ୍ରକାରର ହିଂସା ଏବଂ ସର୍ବୋପରି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଅନେକ ନକରାତ୍ମକ ତଥ୍ୟ ଛାତ୍ରଛାତ୍ରୀମାନଙ୍କୁ ଦୁର୍ବଳ କରୁଛି ।

ଏହି ସମସ୍ୟା ବର୍ଷକୁ ବର୍ଷ ଗମ୍ଭୀର ହେଉଥିବା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ କେତେକ ପ୍ରକାରର ଉଚ୍ଚଶିକ୍ଷାନୁଷ୍ଠାନ ପିଲାମାନଙ୍କ ମାନସିକ ଚାପ ଲାଘବ କରିବାଲାଗି ଅଭିଜ୍ଞ ମନସ୍ତତ୍ୱବିତ୍‍ମାନଙ୍କ ପରାମର୍ଶ ଗ୍ରହଣ କରିବାକଥା । ତେବେ ସଂଖ୍ୟାଧିକ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ମନସ୍ତତ୍ୱବିତ୍‍ମାନଙ୍କର ସହାୟତା ନିଆଯାଉନାହିଁ । ଯେତେବେଳେ କୌଣସି କାରଣରୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ସେତେବେଳେ କିଛିଦିନ ପାଇଁ ଗଣମାଧ୍ୟମରେ ଝଡ ସୃଷ୍ଟିହୋଇ ପୁଣି ଆଉଜଣେ ଛାତ୍ର କି ଛାତ୍ରୀ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ନିରବି ଯାଉଛି । କେବଳ ଆତ୍ମହତ୍ୟା ନୁହେଁ, କେତେକ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ମଧ୍ୟ ହତ୍ୟାକାଣ୍ଡ, ର୍ଦୁବ୍ୟବହାର ଭଳି ଅପରାଧର ସମ୍ମୁଖୀନ ହେଉଛନ୍ତି ।

ଯେଉଁ କ୍ଷେତ୍ରରେ ପିଲାମାନଙ୍କର ଏଭଳି ସମସ୍ୟା ଉପୁଜୁଛି ତାହାର ନିରାକରଣ ଲାଗି ତୁରନ୍ତ ମନସ୍ତତ୍ୱ ବିଷାରଦମାନଙ୍କ ପରାମର୍ଶ ନେବା ଆବଶ୍ୟକ । ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ କର୍ତ୍ତୃପକ୍ଷ, ପରିବାରବର୍ଗ, ସାଙ୍ଗସାଥୀମାନେ ଏ ସଂକ୍ରାନ୍ତରେ ସଚେତନ ହେଲେ ବହୁ କ୍ଷେତ୍ରରେ ଆତ୍ମହତ୍ୟା ସମେତ ନିଶା ଓ ଅନ୍ୟାନ୍ୟ ଅପରାଧକୁ ଏଡାଇ ଦେଇ ହେବ । ଏଥିଲାଗି ନିୟମିତ ବ୍ୟବଧାନରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀଙ୍କ ସହ ମନସ୍ତତ୍ୱ ବିଷାରଦମାନଙ୍କର ବାର୍ତ୍ତାଳାପ କରାଯିବାର ଆବଶ୍ୟକତା ରହିଛି ।

ଓଡିଶାରେ ଏହି ସମସ୍ୟା ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ବଢି ବଢି ଚାଲୁଛି ଏବଂ ଏଥିଯୋଗୁଁ ପୁଲିସ୍‍ ଓ ପ୍ରଶାସନ ମଧ୍ୟ ବହୁ କ୍ଷେତ୍ରରେ ଅଡୁଆରେ ପଡୁଛି । ଯେଉଁସବୁ ଶିକ୍ଷାନୁଷ୍ଠାନଗୁଡିକରେ ମନସ୍ତତ୍ୱ ପରାମର୍ଶଦାତା ନାହାନ୍ତି ଏବଂ ଆଉ ଯେଉଁସବୁ ସ୍ଥଳରେ ମନସ୍ତତ୍ୱବିତ୍‍ମାନଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଉନାହିଁ ସେଗୁଡିକୁ ଚିହ୍ନଟ କରି କର୍ତ୍ତୃପକ୍ଷ ଉତ୍ତରଦାୟୀ ରଖିବା ଆବଶ୍ୟକ ବୋଲି ମନସ୍ତତ୍ୱ ବିଶାରଦମାନେ କହୁଛନ୍ତି । (ତଥ୍ୟ)