ଭୁବନେଶ୍ୱର : ସଡକ ଦୁର୍ଘଟଣା ରୋକିବାପାଇଁ ରାତି ଅଧରେ ରାଜପଥରେ ପାଶ୍ୱର୍ରେ ଗାଡି ଚାଳକଙ୍କୁ ପରିରବହନ କର୍ତ୍ତୃପକ୍ଷ ମାଗଣା ଚା’ ବାଣ୍ଟୁଥିବାବେଳେ ରାଜ୍ୟର ୧୦ଟି ପରିବହନ ଦପ୍ତରରେ କିନ୍ତୁ ନିୟମିତ ମୁଖିଆ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ସମେତ ପ୍ରମୁଖ ଆଞ୍ଚଳିକ ପରିବହନ ଦପ୍ତରଗୁଡିକ ଏବେ ଅତିରିକ୍ତ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ।
ସଡକ ଦୁର୍ଘଟଣା ରୋକିବା କ୍ଷେତ୍ରରେ ଆରଟିଓମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏଥି ସହିତ ରାଜସ୍ୱ ଆଦାୟରେ ବି ସେମାନଙ୍କର ବଡ ଭୂମିକା ରହିଥାଏ । ତେଣୁ ଆଞ୍ଚଳିକ ପରିବହନ ଦପ୍ତରଗୁଡିକରେ ନିୟମିତ ଆରଟିଓ ନିଯୁକ୍ତି ଜରୁରୀ ବୋଲି ପରିବହନ ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ହେଲେ ରାଜ୍ୟର ପ୍ରମୁଖ ୧୦ଟି ଆଞ୍ଚଳିକ ପରିବହନ ଦପ୍ତରରେ ଏବେ ନିୟମିତ ଆରଟିଓ ନାହାନ୍ତି । ଏହିସବୁ ଆରଟିଓ ଅଫିସ ମଧ୍ୟରେ ରହିଛି ଭୁବନେଶ୍ୱର-୧. କଟକ, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ସୁନ୍ଦରଗଡ, ଅନୁଗୁଳ, ଭଦ୍ରକ, ବୌଦ୍ଦ ଓ ଯାଜପୁର । ଏଠାରେ ଅତିରିକ୍ତ ଆରଟିଓ ଦାୟିତ୍ୱ ତୁଲାଉଥିବା ଅଧିକାରୀ ଦୀର୍ଘଦିନରୁ ପଦୋନ୍ନତି ପାଇ ଉପର ପାହ୍ୟାକୁ ଗଲେ ମଧ୍ୟ ଆରଟିଓ ଚାକିରିର ମୋହ ଛାଡିପାରୁନଥିବା କୁହାଯାଉଛି । ବିଭାଗ ପକ୍ଷରୁ ବି ଏମାନଙ୍କୁ ସୁଯୋଗ ଦିଆଯାଉଛି ।
ଭୁବନେଶ୍ୱର-୧ରେ ଆରଟିଓ ଦାୟିତ୍ୱରେ ଥିବା ଅଧିକାରୀ ଏବେ ପରିବହନ ବିଭାଗର ଯୁଗ୍ମ କମିଶନର ପାହ୍ୟାରେ ଅଛନ୍ତି । ଆରଟିଓ ଦାୟିତ୍ୱ ସହିତ ଉକ୍ତ ଅଧିକାରୀ ସରକାରୀ ମୋଟରଯାନ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଭଳି ଗୁରୁଦାୟିତ୍ୱ ବି ସମ୍ଭାଳିଛନ୍ତି । ସେହଭଳି କଟକରେ ଥିବା ଅରତିରିକ୍ତ ଆରଟିଓ ଉପ ପରିବହନ ଆୟୁକ୍ତ ପଦବୀକୁ ଗଲେଣି । ମୟୁରଭଞ୍ଜ ଆରଟିଓ ଦାୟିତ୍ୱରେ ରହିଛନ୍ତି ସମ୍ବଲପୁରର ଉପପରିବହନ ଆୟୁକ୍ତ ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଆରଟିଓ ଦାୟିତ୍ୱ ତୁଲାଉଛନ୍ତି ଗଞ୍ଜାମ ଠାରେ ଥିବା ଦକ୍ଷିଣାଞ୍ଚଳ ଉପ ପରିବହନ ଆୟୁକ୍ତ । ଭଦ୍ରକ ଆରଟିଓ ଦାୟିତ୍ୱ ବାଲେଶ୍ୱର ଉପପରିବହନ ଆୟୁକ୍ତ ତୁଲାଉଛନ୍ତି । ସେହିଭଳି ଯାଜପୁର ଆରଟିଓ ଦାୟିତ୍ୱ ସମ୍ଭାଳିଛନ୍ତି କଟକ ଠାରେ ଟିକସ, ଖଜଣା ଆଦାୟ ଓ ସମୀକ୍ଷା ପାଇଁ ଥିବା ପରିରବହନ ଆୟୁକ୍ତ ।
ରାଜ୍ୟରେ ଏବେ ଦୈନିକ ହାରାହାରି ୧୫ ଜଣ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବାବେଳେ ୨୮ଜଣ ଆହତ ହେଉଥିବା ସୂଚନା ବିଧାନସଭାରେ ଦିଆଯାଇଛି । ଏହାକୁ ରୋକିବାପାଇଁ ଏନଫୋର୍ସମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବା ସହିତ ପରିବହନ ଅଧିକାରୀମାନଙ୍କୁ ମଧ୍ୟ ଚଳଚଞ୍ଚଳ ହେବାକୁ ପଡିବ । ହେଲେ ପୂର୍ବ ସରକାର ଅମଳରୁ ଠିକାରେ ଚାଲି ଆସୁଥିବା ୧୦ଟି ପ୍ରମୁଖ ଆରଟିଓ ଦପ୍ତରରେ ନିୟମିତ ଆଞ୍ଚଳିକ ପରିବହନ ଅଧିକାରୀ ନିଯୁକ୍ତ ହୋଇପାରୁ ନାହାନ୍ତି ।
ପଦୋନ୍ନତି ପାଇ ଉପର ପାହ୍ୟାକୁ ଯାଉଥିବା ଅଧିକାରୀମାନେ ଆରଟିଓ ମୋହ ଛାଡିପାରୁନଥିବାରୁ ତଳେ ଥିବା ଅଧିକାରୀମାନେ ମଧ୍ୟ ପଦୋନ୍ନତି ସୁଯୋଗରୁ ବଞ୍ଚି ହେଉଛନ୍ତି । ସେହିଭଳି ଆରଟିଓ ପଦବୀ ସହିତ ଏକାଧିକ ଦାୟିତ୍ୱ ସମ୍ଭାଳୁଥିବା ଅଧିକାରୀମାନେ ମଧ୍ୟ ସଡକ ସୁରକ୍ଷା ପ୍ରତି ଯେଭଳି ଧ୍ୟାନ ଦେବାକଥା ତାହା ଦେଇପାରୁନାହାନ୍ତି । ତେଣୁ ତୁରନ୍ତ ନିୟମିତ ଆରଟିଓ ନିଯୁକ୍ତି ପାଇଁ ପରିବହନ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)