Home Judiciary ନାହାନ୍ତି ଓଡିଆ ବିଚାରପତି

ନାହାନ୍ତି ଓଡିଆ ବିଚାରପତି

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ଏବେ ୧ଲକ୍ଷ ୪୭ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଅନ୍ୟୁନ ୧୪ଟି ବିଚାରପତି ପଦବୀ ଖାଲିପଡିଛି । ସୁପ୍ରିମ୍‍କୋର୍ଟରେ ଦୀର୍ଘଦିନ ଧରି କେହି ଓଡିଆ ବିଚାରପତି ନଥିବାବେଳେ ଦେଶର କୌଣସି ହାଇକୋର୍ଟରେ ବି ଏବେ ଓଡିଆ ବିଚାରପତି ନାହାନ୍ତି ।

ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଡକ୍ଟର ବିଦ୍ୟୁତ୍‍ ରଞ୍ଜନ ଷଡଙ୍ଗୀ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଯୋଗଦେଇ ଅଳ୍ପଦିନ ଭିତରେ ଅବସର ଗ୍ରହଣ କରିଛନ୍ତି । ତାଙ୍କ ପରେ ପରେ ଅନ୍ୟତମ ବିଚାରପତି ଦେବବ୍ରତ ଦାଶ ମଧ୍ୟ ଚଳିତବର୍ଷ ଅବସରଗ୍ରହଣ କରିଛନ୍ତି । ଏ ଦୁଇଜଣ ବିଚାରପତିଙ୍କ ସ୍ଥାନରେ ଏଯାବତ୍‍ ଆଉ କାହାକୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇ ନାହିଁ ।

ଓଡିଶା ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୩୩ଜଣ ବିଚାରପତି ରହିବାର ବ୍ୟବସ୍ଥା ଅଛି । ତେବେ ମାମଲାର ସଂଖ୍ୟା ଦୃଷ୍ଟିରୁ ଏଠାରେ ଅତି କମ୍‍ରେ ୪୦ଜଣ ବିଚାରପତି ରହିବାକଥା ବୋଲି ଅଭିଜ୍ଞ ଆଇନ୍‍ଜୀବୀମାନେ କହୁଛନ୍ତି । ୩୩ଜଣ ବିଚାରପତିଙ୍କ ସ୍ଥାନରେ ଏବେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମାତ୍ର ୧୯ଜଣ କାର୍ଯ୍ୟରତ ଅଛନ୍ତି । ଆସନ୍ତା ମାସରେ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ଯଦି ନୂତନ ବିଚାରପତି ନିଯୁକ୍ତ ନହୁଅନ୍ତି ତେବେ ଏଠାରେ ଖାଲିଥିବା ବିଚାରପତି ପଦବୀ ସଂଖ୍ୟା ୧୫କୁ ବୃଦ୍ଧି ପାଇପାରେ ।

ବରିଷ୍ଠ ଜିଲ୍ଲା ଜଜ୍‍ ଏବଂ ଅଭିଜ୍ଞ ଆଇନ୍‍ଜୀବୀଙ୍କ ମଧ୍ୟରୁ ହାଇକୋର୍ଟ ବିଚାରପତି ନିଯୁକ୍ତ ହୋଇଥାନ୍ତି । ଓଡିଶାର ବହୁ ଅଭିଜ୍ଞ ଓ ବରିଷ୍ଠ ଜିଲ୍ଲା ଜଜ୍‍ ଅବସର ଗ୍ରହଣ କରୁଥିବାବେଳେ ନିୟମିତ ବ୍ୟବଧାନରେ ଖାଲି ପଦବୀଗୁଡିକ କିନ୍ତୁ ପୂରଣ ହେଉନାହିଁ । ସେହିଭଳି ବହୁ ଅଭିଜ୍ଞ ଓକିଲଙ୍କ ବୟସ ଅତ୍ରିକମ କରିଯାଉଥିବାବେଳେ ବର୍ଷ ବର୍ଷ ହାଇକୋର୍ଟର ବିଚାରପତି ପଦବୀରୁ ଅନେକ ଖାଲି ରହୁଥିବାରୁ ସେମାନେ ବି ଏହି ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମ୍‍କୋର୍ଟର ମୁଖ୍ୟ ବିଚାରପତି ପଦବୀରୁ ଅବସରଗ୍ରହଣ କରିବା ପରଠାରୁ ଆଉ କୌଣସି ଓଡିଆ ଏହି ପଦବୀରେ ଏଯାବତ୍‍ ବସିନାହାନ୍ତି । ସେହିଭଳି ସୁପ୍ରିମକୋର୍ଟରେ ମଧ୍ୟ ଏବେ ଜଣେ ହେଲେ ଓଡିଆ ବିଚାରପତି ନାହାନ୍ତି । ପୂର୍ବରୁ ଅନ୍ୟ ବହୁ ରାଜ୍ୟରେ ଓଡିଆ ବିଚାରପତି ମୁଖ୍ୟ ବିଚାରପତି ଭାବେ ହାଇକୋର୍ଟମାନଙ୍କରେ କାମ କରୁଥିଲେ । ଏହାଛଡା ବିଭିନ୍ନ ରାଜ୍ୟର ହାଇକୋର୍ଟରେ ବି ଓଡିଆ ବିଚାରପତିମାନେ ବେଶ୍‍ ସୁନାମ ଅର୍ଜନ କରିଥିଲେ । ଖାଲି ପଡିଥିବା ବିଚାରପତି ପଦବୀଗୁଡିକ ତୁରନ୍ତ ପୂରଣ କରାଗଲେ ଭବିଷ୍ୟତରେ ଓଡିଆ ବିଚାରପତିମାନେ ବିଭିନ୍ନ ରାଜ୍ୟ ଓ ସୁପ୍ରିମ୍‍କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରନ୍ତେ ବୋଲି ବହୁ ଆଇନ୍‍ଜୀବୀ ମତବ୍ୟକ୍ତ କରୁଛନ୍ତି । ଏହାଛଡା ୨୦୨୫ ବର୍ଷରେ ମଧ୍ୟ ଓଡିଶା ହାଇକୋର୍ଟର ଆଉ କେତୋଟି ବିଚାରପତି ପଦବୀ ଖାଲି ହେବାର ସମ୍ଭାବନା ରହିଛି ।

ଏସବୁ ସମସ୍ୟାକୁ ଆଖିଆଗରେ ରଖି ସୁପ୍ରିମ୍‍କୋର୍ଟ କଲେଜିୟମ ମାଧ୍ୟମରେ କେନ୍ଦ୍ର ସରକାର ଓ ରାଷ୍ଟ୍ରପତି ଓଡିଶା ହାଇକୋର୍ଟରେ ଖାଲି ପଡିଥିବା ସମସ୍ତ ବିଚାରପତି ପଦବୀ ତୁରନ୍ତ ପୂରଣ କରିବାପାଇଁ ଦାବି ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ହାଇକୋର୍ଟର ବିଚାରପତିମାନେ ମାମଲା ଫଏସଲା କରିବା ସହିତ ବିଭିନ୍ନ ଜିଲ୍ଲାରେ ଥିବା ଅଦାଲତଗୁଡିକର ମଧ୍ୟ ପରିଦର୍ଶନ କରିଥାନ୍ତି । ଏହାଛଡା ଲୋକ ଅଦାଲତ ଭଳି ଆଉ କେତେକ ଗୁରୁତ୍ୱପୂର୍ଣ ଦାୟିତ୍ୱ ବି ସେମାନଙ୍କ ଉପରେ ରହିଥାଏ । ବହୁ ସଂଖ୍ୟକ ବିଚାରପତି ପଦବୀ ଖାଲି ପଡିଥିବା ସତ୍ୱେ ଓଡିଶା ହାଇକୋର୍ଟରେ ୨୦୨୪ବର୍ଷର ମାମଲା ଫଏସଲା ହାର ଦେଶର ବହୁ ରାଜ୍ୟ ତୁଳନାରେ ଭଲ ରହିଛି । (ତଥ୍ୟ)