ଭୁବନେଶ୍ୱର : ବାଲେଶ୍ୱରରେ ଜଣେ ଛାତ୍ରୀ ଆତ୍ମାହୂତି ଦେବା ଓ ବଳଙ୍ଗାରେ ଆଉ ଜଣେ ଛାତ୍ରୀଙ୍କ ଦେହରେ ନିଆଁ ଲଗାଯିବା ଘଟଣା କେବଳ ଓଡ଼ିଶା କାହିଁକି, ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ରାଜ୍ୟରେ ନାରୀ ନିର୍ଯାତନା ପ୍ରସଂଗକୁ ନେଇ ବିଭିନ୍ନ ଦଳ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ଗୋଟିଏ ଦଳର ସରକାର କି ନେତାଙ୍କ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ଅନ୍ୟ ଦଳର ସରକାର ଥିବାବେଳେ କିଭଳି ନାରୀ ନିର୍ଯାତନା ଘଟୁଥିଲା ସେ ସଂକ୍ରାନ୍ତରେ ଆରୋପ ପ୍ରତ୍ୟାରୋପ ଚାଲିଛି । ଏହାରି ଭିତରେ ପୀଡ଼ିତାଙ୍କ ପାଇଁ ନ୍ୟାୟ ଖୋଜା ହେଉଛି ।
ବାଲେଶ୍ୱର ଘଟଣାକୁ ନେଇ ବନ୍ଦ ପାଳନ, ଘେରାଉ, ବିକ୍ଷୋଭ ଆଦି କାର୍ଯ୍ୟକ୍ରମ ବିଜେଡି ଓ କଂଗ୍ରେସ ନେତୃତ୍ୱରେ କରାଯାଇଥିବାବେଳେ ଅନ୍ୟ ବିରୋଧୀ ଦଳମାନେ ଏଥିରେ ସାମିଲ ଥିଲେ । ଏବେ କଂଗ୍ରେସ ଭବନ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଗାନ୍ଧି ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଫଟୋଚିତ୍ର ପୋଡ଼ାଯାଇଛି ।
ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ପୂର୍ବରୁ ବନ୍ଦ ପାଳନ ବେଳେ ନେତୃତ୍ୱ ନେବା ସହ ତାଙ୍କ ସଂଗଠନ ମଧ୍ୟ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲେ । ଏବେ ଜଣେ ଯୁବତୀଙ୍କ ଅଭିଯୋଗକ୍ରମେ ଉଦିତ୍ଙ୍କୁ ଗିରଫ କରାଯାଇଛି । ଉଦିତ୍ ତାଙ୍କୁ ଫସାଇ ଦୁଷ୍କର୍ମ କରିଥିବା ଭଳି ଗୁରୁତର ଅଭିଯୋଗ ଆସିବା ଏବଂ ଏହି ମାମଲାରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିବା ପରେ ପରେ ଉଦିତ୍ଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦରୁ ଦଳ ହଟାଇବା ସହ ତାଙ୍କୁ ନିଲମ୍ବିତ କରିଛି ।
ବିଜେପି ଓ ବିଦ୍ୟାର୍ଥୀ ପରିଷଦ ଏହି ପ୍ରସଂଗକୁ ମୁଖ୍ୟ ମୁଦ୍ଦା କରି ରାହୁଲ ଗାନ୍ଧି, ଭକ୍ତଚରଣ ଦାସ, ଅଳକା ଲାମ୍ବା, ମିନାକ୍ଷୀ ବାହିନପତି, ସୋଫିଆ ପିର୍ଦ୍ଦୋସଙ୍କ ଭଳି କଂଗ୍ରେସ ନେତାମାନଙ୍କ ଉପରେ ବର୍ଷିବା ସହ ସେମାନେ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଛି । ଏହାଛଡ଼ା ଶାସକ ଦଳ ପକ୍ଷରୁ କଂଗ୍ରେସ ସରକାର ସମୟରେ ଘଟୁଥିବା ନାରୀ ନିର୍ଯାନତାର ଲମ୍ବା ତାଲିକା ସାମ୍ବାଦିକ ସମ୍ମିଳନୀରେ ଦିଆଯାଉଛି । ବିଶେଷକରି ଓଡ଼ିଶାରେ କଂଗ୍ରେସ ଶାସନ ଥିବାବେଳେ କିଭଳି ଛବିରାଣୀ ହତ୍ୟାକାଣ୍ଡ, ଜଣେ ଆଡଭୋକେଟ୍ ଜେନେରାଲଙ୍କ ଦ୍ୱାରା ମହିଳାଙ୍କୁ ନିର୍ଯାତନା, ଜଣେ ମନ୍ତ୍ରୀଙ୍କ ଦ୍ୱାରା ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଆଦି ବହୁ ପ୍ରସଂଗ ଉଠାଯାଉଛି । ଏହାଛଡ଼ା କଂଗ୍ରେସ ନେତା କିଭଳି ନୈନା ସାହାଣୀଙ୍କୁ ମାରି ତନ୍ଦୁରୀ ଚୁଲିରେ ଜାଳିଥିଲେ, ଦିଲ୍ଲୀରେ ଘଟିଥିବା ନିର୍ଭୟା କାଣ୍ଡ, ନିକଟରେ ହରିଆନାର ଜଣେ କଂଗ୍ରେସ ଯୁବନେତ୍ରୀଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ତାଙ୍କ ମୃତ ଶରୀରକୁ ଫିଙ୍ଗି ଦିଆଯିବା ଆଦି ଘଟଣାର ଲମ୍ବା ତାଲିକା ଦିଆଯାଉଛି ।
ବିଜେଡି ମଧ୍ୟ ସଚିବାଳୟ ଘେରାଉ ଅଭିଯାନ ପରେ ଆଜି ରାଜ୍ୟର ତିନୋଟିଯାକ ଆରଡିସି ଦପ୍ତର ସମ୍ମୁଖରେ ଆନ୍ଦୋଳନ କରିଛି । ବିଜେପି ସରକାର ସମୟରେ ରାଜ୍ୟରେ ନାରୀ ନିର୍ଯାତନା ବଢ଼ୁଥିବା ଘେନି ବିଜେଡି ଖୋଲା ଆରୋପ କରିବା ସହିତ ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ ଥିବା ଏବଂ ଏ ପରିପ୍ରେକ୍ଷୀରେ ଆମେରିକା ସରକାର ଜାରି କରିଥିବା ମାର୍ଗ ନିର୍ଦ୍ଦେଶିକା କଥା ଉଠାଉଛି । ଏହାର ଜବାବରେ ଓଡ଼ିଶାରେ ବିଜେଡି ଶାସନ କାଳରେ ପରୀ, ପିହୁ, ଇତିଶ୍ରୀ, ବେବିନା, ସ୍ମିତାରାଣୀ ଆଦି ଘଟଣାର ନଜିର ଦିଆଯାଉଛି । ବିଜେଡିର ଜଣେ ନେତ୍ରୀଙ୍କୁ ସେତେବେଳେ ଜଣେ ମନ୍ତ୍ରୀ ଯୌନ ଶୋଷଣ କରିଥିବା ଘେନି ଖୋଲା ଅଭିଯୋଗ ଆସିବା ଓ କୁନ୍ଦୁଲି ପୀଡ଼ିତା ନବମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିବା ଘଟଣାର ନଜିର ଦିଆଯାଉଛି ।
ଅନ୍ୟପକ୍ଷରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବିଜେପି ନେତାଙ୍କ କଳା କାରନାମା ଉପରକୁ ଆଙ୍ଗୁଠି ଦେଖାଯାଉଛି । ନିକଟରେ ଯୌନ ନିର୍ଯାତନା ଅଭିଯୋଗରେ ଅନୁଗୁଳ ବିଜେପି ଜିଲ୍ଲା ସଂପାଦକ ଗିରଫ ହେବା, ବ୍ରହ୍ମପୁରରେ ବାଜପେୟୀଙ୍କ ନାଁରେ କ୍ଲିନିକ୍ ଖୋଲିଥିବା ନକଲି ଡାକ୍ତର ନାବାଳିକା ଦୁଷ୍କର୍ମ ମାମଲାରେ ଧରାପଡ଼ିବା, ବିଜେଡି-ବିଜେପି ମିଳିତ ସରକାର ସମୟରେ ଦିଲ୍ଲୀରେ ଜଣେ ବିଜେପି ନେତା ଅନୁରୂପ ଅଭିଯୋଗରେ ଧରାପଡିବା, ସୁନ୍ଦରଗଡ଼ରେ ଜଣେ ମନ୍ତ୍ରୀ ଦଳୀୟ ନେତ୍ରୀଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ଠାରୁ ଗୁଜରାଟର ବିଲ୍କିସ୍ ବାନୋ ମାମଲା ଏବଂ ଉତ୍ତରପ୍ରଦେଶର ଉନାଓ, କାଶ୍ମୀରର କାଠୁଆ ଆଦିରେ ବିଜେପି ନେତାଙ୍କ ସଂପୃକ୍ତ ବିଷୟ ଅଣ ବିଜେପି ଦଳମାନେ ଉଠାଉଛନ୍ତି । (ତଥ୍ୟ