Home News in Odia ନାମାଙ୍କନ ଦାଖଲ କଲେ ଦୁଇ ନେତା

ନାମାଙ୍କନ ଦାଖଲ କଲେ ଦୁଇ ନେତା

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟ ନେତା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦୁଇଟି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ନାମାଙ୍କନ ପତ୍ର ଦାଖଲ ସମୟରେ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବରିଷ୍ଠ ବିଧାୟକ ପ୍ରତାପ ଜେନାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ଶ୍ରୀ ଖୁଣ୍ଟିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା ବେଳେ ବିଜେଡି ବିଧାୟକ ମନୋହର ରନ୍ଧାରୀ ଶ୍ରୀ ସାମନ୍ତରାୟଙ୍କ ନାମ ପ୍ରସ୍ତାବ ଦେଇଥିବା ରିଟର୍ଣ୍ଣିଂ ଅଫିସର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଭାରତୀୟ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ ଦୁଇ ପ୍ରାର୍ଥୀଙ୍କୁ ରସିଦ ପ୍ରଦାନ କରାଯାଇଛି । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଫେବ୍ରୁଆରି ୧୫ ରହିଥିବା ବେଳେ ଆସନ୍ତାକାଲି ସରସ୍ୱତୀ ପୂଜାକୁ ଦୃଷ୍ଟିରେ ରଖି ଛୁଟି ରହିବ ବୋଲି ସେ ସୂଚନା ଦେଇଛନ୍ତି।

ଫେବ୍ରୁଆରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ସେହିଦିନ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରିବା ପରେ ଏପ୍ରିଲମାସରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ତେଣୁ ରାଜ୍ୟରେ ୩ଟି ଆରଏସ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି ।  

ଆଗାମୀ ନିର୍ବାଚନରେ ୩ଟି ଲୋକସଭା ଆସନଜିତିବା ପାଇଁ ବିଜେଡି ପାଖରେ ସଂଖ୍ୟାଗରିଷ୍ଠତା ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୨ ଜଣ ପ୍ରାର୍ଥୀ ଙ୍କୁ ପ୍ରାର୍ଥୀ କରିଥିବାରୁ ତୃତୀୟ ପ୍ରାର୍ଥି କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦଳ ଆଶ୍ଚର୍ଯ୍ୟଜନକ ଭାବେ ନୂତନ ପ୍ରାର୍ଥୀ ଦେବ ନା ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଅନ୍ୟ କାହାରିକୁ ସମର୍ଥନ ତାହା ଓଡ଼ିଶାର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।