ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଲାଗି ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ, ପୀତାମ୍ବର ଆଚାର୍ଯ୍ୟ, ନାଉରୀ ନାୟକ, କୁସୁମ ଟେଟେ, ସୁବାସ ପାଣିଗ୍ରାହୀଙ୍କ ସମେତ ଦଳୀୟ ବିଧାୟକଙ୍କ ଉପସ୍ଥିତିରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ତେବେ ଦଳ ପକ୍ଷରୁ ଖୋଲାଖୋଲି ଭାବେ ଶ୍ରୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କରାଯାଇଥିଲେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର କୌଣସି ନେତା ଉପସ୍ଥିତ ନଥିଲେ।
୨୦୧୯ରେ ଶ୍ରୀ ବୈଷ୍ଣବ ବିଜେଡି ସହାୟତାରେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡି ନେତାମାନେ ଉପସ୍ଥିତ ଥିଲେ। ଏଥର ବୋଧହୁଏ ନିର୍ବାଚନ ପାଖେଇ ଆସୁଥିବାରୁ ଶାସକ ଦଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି।
ଶ୍ରୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିବାରୁ ବିଜେପି ପ୍ରାର୍ଥୀ ଓଡ଼ିଶାରୁ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି।
ରାଜସ୍ଥାନରୁ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଓଡ଼ିଶାର କଟକ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଜଣେ ଆଇଏଏସ୍ ଅଧିକାରୀ ଥିଲେ। ୧୯୯୪ ବ୍ୟାଚ୍ ର ଏହି ଆଇଏଏସ୍ ଅଧିକାରୀ ୨୦୦୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।
୨୦୧୦ରେ ସେ ଆଇଏଏସ୍ ଚାକିରି ଛାଡ଼ିଥିଲେ। ସେ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ପରେ ସିଧାସଳଖ ଆରଏସକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଦୁଇଟି ଶକ୍ତିଶାଳୀ ବିଭାଗ ସହିତ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।
ବୋଧହୁଏ ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସ୍ତରରେ ଜଣେ ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ବ୍ୟକ୍ତିଙ୍କୁ ଏତେ ଗୁରୁତ୍ୱ ଦିଆଯାଇଛି ।