Home News in Odia ନାନୋ ୟୁନିକର୍ଣ୍ଣର ଶୁଭାରମ୍ଭ

ନାନୋ ୟୁନିକର୍ଣ୍ଣର ଶୁଭାରମ୍ଭ

ଭୁବନେଶ୍ୱର : ବିଶ୍ୱ ଦକ୍ଷତା କେନ୍ଦ୍ରର ଚତୁର୍ଥ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ୨୦୨୩-୨୪ ବ୍ୟାଚରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୱେଲ୍ଡିଂରେ ହୋଇଥିବା ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ବା ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସେହିପରି ତୃଣମୂଳ ସ୍ତରରେ ବିଭିନ୍ନ ବ୍ୟବସାୟ ସ୍ଥାପନ କରିବାକୁ ଚାହୁଁଥିବା ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ‘ନାନୋ ୟୁନିକର୍ଣ୍ଣ’ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହା ଅଧୀନରେ ଯୁବପିଢ଼ିଙ୍କୁ ୧ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

‘‘ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ଅଧୀନରେ ଯୁବପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ନୂଆ ନୂଆ ଉଦ୍ଭାବନ କ୍ଷେତ୍ରରେ ଯୁବପିଢ଼ି କିପରି ସଫଳତା ପାଇବେ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର ସ୍ଥାପନା ଏବଂ ନାନୋ ୟୁନିକର୍ଣ୍ଣ ଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ଦକ୍ଷତା ବିକାଶରେ ସହାୟକ ହେବା ସହିତ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବ,’’ କହିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ।

ବିଶ୍ୱ ଦକ୍ଷତା କେନ୍ଦ୍ର କ୍ୟାମ୍ପସରେ ସୋମବାର ଦିନ ଏହି ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ‘ବେଷ୍ଟ ଟ୍ରେନି’ ଭାବେ ସମ୍ମାନିତ କରାଯାଇଥିଲା। ଏହାସହ ୭ଟି ଟ୍ରେଡରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ୯୦୯ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ପ୍ରତ୍ୟେକ ଟ୍ରେଡର ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା। ଏହିଭଳି ୨୧ ଜଣ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଏନ୍‌ ବି ଏସ୍‌ ରାଜପୁତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଫଳ କ୍ୟାରିୟର ଗଢ଼ିବାନେଇ ଶୁଭେଚ୍ଛା ଜଣାଇଥିଲେ।