Home News in Odia ନାଗଫାଶର ନେତାଙ୍କୁ ପଦମ୍‍ପୁର ମନା

ନାଗଫାଶର ନେତାଙ୍କୁ ପଦମ୍‍ପୁର ମନା

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ଯେଉଁ ନେତାମାନଙ୍କ ଫଟୋଚିତ୍ର ଓ ନାମ ଗଣମାଧ୍ୟମରେ ପ୍ରଚାରିତ ହୋଇଛି ସେମାନଙ୍କୁ ବିଭିନ୍ନ ଦଳ ପଦମ୍‍ପୁର ଉପନିର୍ବାଚନରେ ଦୂରେଇ ରଖୁଥିବା ଲକ୍ଷ୍ୟ କରାଯାଉଛି ।

ଗୋଟିଏପଟେ ଓଡ଼ିଶା ପୋଲିସ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଘଟଣା ସହ ଜଡିତ ଆର୍ଥିକ ଦିଗ ଉପରେ ଖୋଳତାଡ ଚଳାଇଛି । ଉକ୍ତ ଘଟଣା ଜଣାପଡିବା ପରେ ଅର୍ଚ୍ଚନାଙ୍କ ସହ ବିଭିନ୍ନ ରାଜନୈତିକ ଦଳର ବହୁ ପ୍ରଭାବଶାଳୀ ନେତାଙ୍କ ସଂପର୍କ ଥିବା ଘେନି ମାସାଧିକ କାଳ ଧରି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ତେବେ ଯେଉଁମାନଙ୍କ ନାମ ଚର୍ଚ୍ଚିତ ହେଉଛି ଓ ଅର୍ଚ୍ଚନା ଓ ତାଙ୍କ ପରିବାର ସହ ଯେଉଁ ନେତାମାନଙ୍କ ଫଟୋଚିତ୍ର ଓ ଭିଡିଓ ଗଣମାଧ୍ୟମରେ ଘୂରି ବୁଲୁଛି ସେମାନଙ୍କ ମଧ୍ୟରୁ ପ୍ରାୟ କେହି ଏଯାବତ୍‍ ଏହି ପ୍ରସଙ୍ଗକୁ ଅସ୍ୱୀକାର କରିନାହାନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅର୍ଚ୍ଚନା ଓ ତାଙ୍କ ସହଯୋଗୀମାନେ କୁଆଡେ ବିଭିନ୍ନ ଦଳର ରାଜନେତା ମାନଙ୍କୁ ବ୍ଲାକମେଲ କରି ପ୍ରଚୁର ଅର୍ଥ ଆଦାୟ କରିଥିବା ଘେନି ଅନେକ ସମ୍ବାଦ ପ୍ରକାଶ ପାଇଛି । ତେବେ ଜଣେ ଚଳଚ୍ଚିତ୍ର ପ୍ରଯୋଜକ ବ୍ୟତୀତ ଅନ୍ୟ କୌଣସି ନେତା ବା ଅଭିନେତା ଏଭଳି ବ୍ଲାକମେଲ୍‍ ସଂକ୍ରାନ୍ତୀୟ ଅଭିଯୋଗ ଏଯାବତ୍‍ ପୋଲିସ ନିକଟରେ ଦରଜ କରିନାହାନ୍ତି । ତେବେ ଅର୍ଚ୍ଚନା ଓ ତାଙ୍କ ସହଯୋଗୀମାନଙ୍କ ଆକାଉଣ୍ଟକୁ କେଉଁମାନେ କେତେ ଅର୍ଥ କେଉଁ ଉଦ୍ଦେଶ୍ୟରେ ଦେଇଛନ୍ତି ଏବଂ ଏହି ବ୍ୟକ୍ତିମାନଙ୍କର ଯେତେସବୁ ଫଟୋଚିତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ତାହାର ସତ୍ୟତା ପୋଲିସ ଓ ଇଡିର ତଦନ୍ତରୁ ଜଣାପଡିପାରେ । ଏ ପ୍ରସଙ୍ଗରେ ଗତ ଧାମନଗର ବିଧାନସଭା ଉପନିର୍ବାଚନ ବେଳେ କଂଗ୍ରେସ ଓ ବିଜେପି ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପଟୁଆର କରାଯାଇଥିବା ବେଳେ ଉପନିର୍ବାଚନ ପରେ ଆଉ ଏ ପ୍ରସଙ୍ଗ ସେତେ ଜୋର୍‍ରେ ଉଠୁନାହିଁ । ଅନ୍ୟପକ୍ଷରେ ଏହି ଘଟଣାରେ ନେତାଙ୍କ ସଂପୃକ୍ତି ଘେନି ବିଜେଡି ଓ ବିଜେପି ପରସ୍ପର ଉପରକ କାଦୁଅ ଫିଙ୍ଗୁଥିବା ବେଳେ କଂଗ୍ରେସ ପକ୍ଷରୁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ଏସଆଇଟି ତଦନ୍ତ ଲାଗି ଦାବି ଉଠୁଛି ।

ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ର ଓଡ଼ିଶାର ବିଭିନ୍ନ ଦଳର ବହୁ ନେତାଙ୍କ ନାମ ନାଗପେଡି ଭିତରେ ଥିବାବେଳେ ଏହି ନେତାମାନଙ୍କୁ ଏବେ ପଦମପୁର ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାୟତଃ ଦେଖିବାକୁ ମିଳୁନାହିଁ । ସେମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତି ସଂପର୍କରେ କୌଣସି ଦଳ ପାଟି ଖୋଲୁନଥିଲେ ମଧ୍ୟ ଏହି ନେତାମାନଙ୍କୁ ନିର୍ବାଚନ ମଇଦାନରେ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଗଲେ ପ୍ରତିକୂଳ ପ୍ରଭାବ ଆଶଙ୍କାରେ ସଂପୃକ୍ତ ଦଳମାନେ ଏମାନଙ୍କୁ ଏକ ପ୍ରକାର ଦୂରେଇ ରଖୁଥିବା ଘେନି ଚର୍ଚ୍ଚା ଚାଲିଛି । କେବଳ ସେତିକି ନୁହେଁ, ୨୦୨୪ରେ ହେବାକୁ ଥିବା ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଏହି ସନ୍ଦିଗ୍ଧ ନେତାମାନଙ୍କୁ ଦଳୀୟ ପ୍ରାର୍ଥୀ କରାଯିବ କି ନାହିଁ ସେଥିଘେନି ମଧ୍ୟ ରାଜନୈତିକ ମହଲରେ ସରଗରମ ଆଲୋଚନା ହେଉଛି ।

ଧାମନଗର ଉପନିର୍ବାଚନର ଫଳାଫଳ ପରେ ବିଜେଡି ପଦ୍ମପୁର କବ୍‍ଜା କରିବା ପାଇଁ ଉଦ୍ୟମ ଚଳାଇବା ସ୍ୱାଭାବିକ । ଧାମନଗରରେ ବିଜେପି ବିଜୟ ହାସଲ କରିବା ପରେ ଏହି ଦଳ ମଧ୍ୟ ପଦମପୁରରେ ବେଶ୍‍ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି । ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଧାମନଗରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ସାଉଁଟିବାରେ ସମର୍ଥ ହୋଇନଥିବା ବେଳେ ପଦମପୁରରେ ଏହା କିଭଳି କମାଲ୍‍ ଦେଖାଇବ ତାହା ଉପରେ ବି ସମସ୍ତଙ୍କ ନଜର । (ତଥ୍ୟ)