ଭୁବନେଶ୍ୱର : ଉଚ୍ଚ ମାନର ନାକ୍ ଗ୍ରେଡ୍ ହାତେଇବା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ସମସ୍ତଙ୍କ ନଜର ରେଭେନ୍ସା ବିଶ୍ୱବିଦ୍ୟାଳୟ ଉପରେ କେନ୍ଦ୍ରୀଭୂତ । ଯେଉଁ କାରଣରୁ ଉତ୍କଳର ୨୦୧୬ରେ ଥିବା ନାକ୍ ଗ୍ରେଡ୍ ଏ+ ରୁ ଏ++ କୁ ବଢିବା ପରିବର୍ତ୍ତେ ଏ ଗ୍ରେଡ୍କୁ ଖସିଗଲା ତାହା ରେଭେନ୍ସା କ୍ଷେତ୍ରରେ ହେବ କି ନାହିଁ ସେଥିଘେନି ଏବେ ଚର୍ଚ୍ଚା ଜୋରଦାର ।
ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପୂର୍ବରୁ ବ୍ରିଟିଶ ସରକାରଙ୍କ ସମୟରେ ଓଡିଶା ଭୁଖଣ୍ଡର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ରେଭେନ୍ସା କଲେଜ ଜନ୍ମ ନେଇଥିଲା । ଇତି ମଧ୍ୟରେ ଏହି ଶତାୟୁ ଶିକ୍ଷାନୁଷ୍ଠାନ ବହୁ କୃତୀ ଛାତ୍ର ଓ ଗବେଷକ ଉତ୍ତାରିବା ସହ ଶିକ୍ଷାଦାନ ଓ ପ୍ରକାଶନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚିତି ଦେଶ ବିଦେଶରେ ସୃଷ୍ଟି କରିଛି । ତେବେ ରେଭେନ୍ସାକୁ କଲେଜରୁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ କରାଯିବାପରେ କୋଠାବାଡି ସଂଖ୍ୟା ବଢିବା ସହିତ କ୍ୟାମ୍ପସର ସୌନ୍ଦର୍ଯ୍ୟକରଣ ହୋଇଥିଲେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ଓ ତାହାର ପରିସର ମଧ୍ୟରେ ଥିବା ସ୍ନାତକୋତ୍ତର ଓ ଡିଗ୍ରୀ ଆଦି ପାଠ୍ୟକ୍ରମ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ଗବେଷକ ନାହାନ୍ତି ।
ଗତ ମାର୍ଚ୍ଚ ମାସରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଇଁ ୨୬୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୫୩ଟି ଖାଲି ପଡିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ରହିଥିବା ଘେନି ନାକ୍ ପରିଦର୍ଶନକାରୀଦଳ ପ୍ରତିକୂଳ ରିପୋର୍ଟ ଦେଇଥିବା ଦୃଷ୍ଟିରୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୫୭ ପ୍ରତିଶତରୁ ଅଧିକ ଶିକ୍ଷକ ପଦବୀ ଖାଲିଥିବା ଘେନି ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା କରାଯାଇଛି । ଏହି ବିଶ୍ୱବିଦ୍ୟାଳୟର ବହୁ ପ୍ରଫେସର, ସହକାରୀ ପ୍ରଫେସର ଓ ସହଯୋଗୀ ପ୍ରଫେସର ପଦବୀ ଖାଲି ପଡିଥିବା ଯୋଗୁଁ ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହେବା ସଂଗେ ସଂଗେ ପ୍ରଶାସନ ଉପରେ ବି ଏହାର ସିଧାସଳଖ ପ୍ରଭାବ ପଡୁଛି । ରେଭେନ୍ସା ପାଇଁ ଥିବା ୮୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷ ପଦବୀରୁ ୩୮ଟି ଖାଲି ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପରଠାରୁ ଯେତେବେଳେ ବି ପଦବୀ ପୂରଣ ପାଇଁ ଉଦ୍ୟମ ହେଉଛି ସେତେବେଳେ ଆଇନ୍ଗତ ସମସ୍ୟା ଉପୁଜି ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି । ଇତି ମଧ୍ୟରେ ରାଜ୍ୟ ସରକାର ନୂଆ ଆଇନ୍ ଆଣି ସରକାରୀ ନିୟନ୍ତ୍ରିତ ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ନିଯୁକ୍ତି ଦାୟିତ୍ୱ ବିଶ୍ୱବିଦ୍ୟାଳୟ ପାଖରୁ କାଢି ନେଇ ରାଜ୍ୟ ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରିଛନ୍ତି । ଏ ପ୍ରସଙ୍ଗରେ ମାମଲା ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯାଇଛି ।
ନିକଟରେ ଗୁଜୁରାଟରେ ବି ଏଭଳି ଆଇନ୍ ସଂଶୋଧନ କରାଯାଇଥିଲା ଏବଂ ତାହା ବି ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ ମାମଲାରେ ସୁପ୍ରିମ୍କୋର୍ଟ ନୂଆ ଆଇନ୍ ଉପରେ ପ୍ରତିକୂଳ ଟିପ୍ପଣୀ ଦେବା ସହ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗଙ୍କ ନିର୍ଦ୍ଧାରିତ ନୀତି ଅନୁଯାୟୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଯୁକ୍ତି ଦେବା ଆବଶ୍ୟକ ବୋଲି ରାୟ ଦେଇଥିବା ପରିପ୍ରେକ୍ଷୀରେ ଓଡିଶାର ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପ୍ରଣିତ ନୂଆ ଆଇନ୍ର ଭାଗ୍ୟ ସୂତା ଖିଅରେ ଝୁଲୁଛି ବୋଲି ଶିକ୍ଷାବିତ୍ ଓ ଆଇନ୍ ବିଶାରଦମାନେ କହୁଛନ୍ତି ।
ଏହି ସମସ୍ୟାର ତ୍ୱରିତ ସମାଧାନ କରାଯାଇ ରେଭେନ୍ସାରେ ଖାଲି ପଡିଥିବା ୧୫୩ରୁ ଅଧିକ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ପଦବୀ ସହିତ ଅନ୍ୟ ଅଣଶିକ୍ଷକ ପଦବୀଗୁଡିକ ପୂରଣ କରାନଗଲେ ରେଭେନ୍ସାର ନାକ୍ ମାନ୍ୟତା ବି ସନ୍ଦେହ ଘେରରେ ରହିବ ବୋଲି ପୁରୁଖା ଶିକ୍ଷାବିତ୍ମାନେ କହୁଛନ୍ତି । (ତଥ୍ୟ)