Home Education ନାକ୍‍ ଟିମ୍‍ ପାଇଁ ବଢୁଛି କର୍ତ୍ତୃପକ୍ଷଙ୍କ ଚିନ୍ତା

ନାକ୍‍ ଟିମ୍‍ ପାଇଁ ବଢୁଛି କର୍ତ୍ତୃପକ୍ଷଙ୍କ ଚିନ୍ତା

ଭୁବନେଶ୍ୱର : ଚଳିତବର୍ଷ ଶେଷ ସୁଦ୍ଧା ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଆଉ ୪ଟିକୁ ନ୍ୟାକ୍‍ ଟିମ୍‍ ପରିଦର୍ଶନରେ ଆସିବାକୁ ଥିବାବେଳେ ଏଗୁଡ଼ିକରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ କିଭଳି ତୁରନ୍ତ ପୁରଣ କରାଯିବ ତାହା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ହୋଇଛି ।

ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀ ଖାଲି ସହିତ ଅନ୍ୟାନ୍ୟ କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟର ନ୍ୟାକ୍‍ ଗ୍ରେଡ୍‍ ‘ଏ+’ରୁ ‘ଏ’ ଗ୍ରେଡ୍‍କୁ ଖସି ଆସିଥିବା ଘଟଣା ଦୃଷ୍ଟିରୁ ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ବି ଏହି ସମସ୍ୟାର ପୁନରାବୃତ୍ତି ଘଟିବା ଆଶଙ୍କା କରାଯାଉଛି । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ବିଶ୍ୱବିଦ୍ୟାଳୟ ଗୁଡିକ ମଧ୍ୟରୁ ଦେଶର ପ୍ରଥମ ୫୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର କେହି ସ୍ଥାନ ପାଇନଥିବାବେଳେ ସୋଆ ଓ କିଟ୍‍ ଭଳି ଦୁଇଟି ବେସରକାରୀ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ଭୁବନେଶ୍ୱରରେ ଥିବା ଏମ୍‍ସ ଏବଂ ରାଉରକେଲାରେ ଥିବା ଏନ୍‍ଆଇଟି କିନ୍ତୁ ଏହି ତାଲିକାରେ ସାମିଲ ହେବା ଓଡ଼ିଶା ପାଇଁ ଆଶ୍ୱାସନାର ବିଷୟ ।

ଆଗାମୀ ଡିସେମ୍ବର ଶେଷ ସୁଦ୍ଧା ରେଭେନ୍ସା, ବ୍ରହ୍ମପୁର, ସମ୍ବଲପୁର ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ନ୍ୟାକ୍‍ ଟିମ୍‍ ପରିଦର୍ଶନରେ ଆସିପାରେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକ ଉନ୍ନତ ଗ୍ରେଡ୍‍ ପାଇବାକୁ ଲକ୍ଷ୍ୟ ରଖି ନ୍ୟାକ୍‍ ମାନ୍ୟତା ଲାଗି ଆବେଦନ କରିଥିଲେ । ତେବେ ୧୯୯୯ ମସିହାରୁ ଜାରି ହୋଇଥିବା ମିତବ୍ୟୟିତା କଟକଣା ଯୋଗୁ ଅନ୍ୟାନ୍ୟ ସରକାରୀ ସଂସ୍ଥା ଭଳି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ବିଶ୍ୱବିଦ୍ୟାଳୟ ଗୁଡିକରେ ବ୍ୟାପକ ପଦପଦବୀ ଉଚ୍ଛେଦ କରାଯିବାସହ ଉଭୟ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଉପରେ କଟକଣା ରହିଥିଲା ।

ଅବଶ୍ୟ ପରେ କଟକଣା କୋହଳ କରି ରାଜ୍ୟ ସରକାର ଯେତିକି ପଦବୀ ପୁରଣ ଲାଗି ଅନୁମତି ଦେଉଥିଲେ ହେଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖୋଲା ବିଜ୍ଞାପନ ଆଧାରରେ ସେିହ ପଦବୀ ସବୁ ପୁରଣ କରୁଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନରେ ଶଂଶୋଧନ ଆଣି ନିଯୁକ୍ତି କ୍ଷମତା ବିଶ୍ୱବିଦ୍ୟାଳୟଠାରୁ ପ୍ରତ୍ୟାହାର କରିନେବା ଫଳରେ କୁଳପତି ଚାହିଁରେ ବି ନିଯୁକ୍ତି ଦେଇପାରୁନାହାନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷକ ନିଯୁକ୍ତି ଦାୟିତ୍ୱ ଓଡ଼ିଶା ଲୋକସେବା ଆୟୋଗଙ୍କ ଉପରେ ନ୍ୟସ୍ତ କରାଯାଇଥିବାବେଳେ ମାମଲା ଏବେ ସୁପ୍ରିମ୍‍କୋର୍ଟରେ ଥିବାରୁ ନୂଆ ଆଇନ ଆଧାରରେ ପଦବୀ ପୁରଣ କରାଯାଇପାରୁନାହିଁ ।

୨୦୧୮ ଏପ୍ରିଲ ୧୨ ତାରିଖରେ ଉଚ୍ଚଶିକ୍ଷା ବିଭାଗର ତତ୍କାଳୀନ ମନ୍ତ୍ରୀ ରାଜ୍ୟ ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୬୭ଟି ଶିକ୍ଷକ ଓ ୧୯୧ଟି ଅଣଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ରେଭେନ୍ସାରେ ୧୭୦ଟି ଶିକ୍ଷକ ଓ ୪୪ଟି ଅଣଶିକ୍ଷକ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୪୬ଟି ଶିକ୍ଷକ ଓ ୩୧୬ଟି ଅଣଶିକ୍ଷକ ପଦବୀ ଖାଲିଥିଲା । ୨୦୨୩ ମାର୍ଚ୍ଚ ୧୫ରେ ସେତେବେଳର ଉଚ୍ଚଶିକ୍ଷା ମନ୍ତ୍ରୀ ବିଧାନସଭାରେ ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ ସେଥିରୁ ଜଣାପଡୁଛି ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୫୩ଟି ଶିକ୍ଷକ ଓ ୩୮ଟି ଅଣଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୯୯ଟି ଶିକ୍ଷକ ଓ ୩୩୮ଟି ଅଣଶିକ୍ଷକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୮୬ଟି ଶିକ୍ଷକ ଓ ୨୫୪ଟି ଅଣଶିକ୍ଷକ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୭୮ଟି ଶିକ୍ଷକ ଓ ୮୮ଟି ଅଣଶିକ୍ଷକ ପଦବୀ ଖାଲି ପଡିଥିଲା ।

ଖାଲି ପଦବୀ ପୁରଣ ପାଇଁ ପଦକ୍ଷେପ ନିଆଯାଉଥିବା ବିଷୟରେ ୨୦୧୮ରେ ଓ ତା’ ପରେ ବାରମ୍ବାର ସରକାରୀ ଭାବେ କୁହାଯାଇଛି । ତେବେ ସରକାରଙ୍କ ପ୍ରଦତ୍ତ ଏହି ପରିସଂଖ୍ୟାନରୁ ପ୍ରତୀୟମାନ ହେଉଛି ଯେ ବିଶ୍ୱବିଦ୍ୟାଳୟ ଗୁଡିକରେ ଗତ ୫ବର୍ଷ ମଧ୍ୟରେ ଖାଲି ପଡିଥିବା ପଦବୀ ଗୁଡିକ ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ଏଥିଯୋଗୁ ବିଶ୍ୱବିଦ୍ୟାଳୟଗୁଡିକରେ ଅଧ୍ୟାପନା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହାତ ହେଉଛି ।

ଅନ୍ୟ ବିଶ୍ୱବିଦ୍ୟାଳୟଗୁୁଡିକରେ ବି ଅନୁରୂପ ସମସ୍ୟା । ମୋଟାମୋଟି ଭାବେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦ ପ୍ରତିଶତ ପଦପଦବୀ ଖାଲି ପଡିଛି । ନ୍ୟାକ୍‍ ଟିମ୍‍ର ପରବର୍ତ୍ତୀ ଗସ୍ତ ପୂର୍ବରୁ ୬ମାସ ମଧ୍ୟରେ ଏ ସମସ୍ତ ପଦପଦବୀ କିଭଳି ପୁରଣ କରାଯିବ ସେଥିଘେନି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଚିନ୍ତା ବ୍ୟକ୍ତ କରିଥିବାବେଳେ କେଉଁ ବିଶ୍ୱବିଦ୍ୟାଳୟରେ କେଉଁ କିସମର କେତେ ପଦବୀ ଖାଲି ପଡିଛି ସେ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ସର୍ବଶେଷ ହିସାବ ଇତିମଧ୍ୟରେ ମାଗିଛନ୍ତି । (ତଥ୍ୟ)