ଭୁବନେଶ୍ୱର : ଓଡ଼ିଶାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବାରୁ ବହୁ ଉଚ୍ଚ ଶିକ୍ଷାନୁଷ୍ଠାନ ଭଲ ଗ୍ରେଡର ନାକ୍ ମାନ୍ୟତା ହାସଲ କରିବା ଉପରେ ଶିକ୍ଷାବିତ୍ମାନେ ପ୍ରଶ୍ନବାଚୀ ଉଠାଉଛନ୍ତି । ଏ ପରିପ୍ରେକ୍ଷୀରେ ଅନେକ ଶିକ୍ଷାନୁଷ୍ଠାନ ନ୍ୟାକ୍ ପାଇଁ ଆବେଦନ କରିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ।
ସରକାରୀ ଖର୍ଚ୍ଚ କାଟ୍ର ଆଳ ଦେଖାଇ ପ୍ରାୟ ୨୫ବର୍ଷ ଧରି ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଓ ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜଗୁଡିକ ଲାଗି ନିୟମିତ ବ୍ୟବଧାନରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ହେଉନାହିଁ । ଯେତେ ସଂଖ୍ୟକ ପଦବୀ ଖାଲି ପଡୁଛି ନିଯୁକ୍ତି ସଂଖ୍ୟା ତାହା ତୁଳନାରେ ଅତି ନଗଣ୍ୟ । ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଆଣି ଶିକ୍ଷକ ନିଯୁକ୍ତି ଲାଗି ଚୟନ ପ୍ରକ୍ରିୟାର ଦାୟିତ୍ୱ ବିଶ୍ୱବିଦ୍ୟାଳୟଗୁଡିକ ଠାରୁ କାଢ଼ି ନେଇ ରାଜ୍ୟ ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରିଛନ୍ତି । ତେବେ ଏହି ସଂଶୋଧନକୁ ବହୁ ଶିକ୍ଷାବିତଙ୍କ ସମେତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସହଜରେ ଗ୍ରହଣ କରିପାରୁନାହିଁ ।
ବିଶ୍ୱବିଦ୍ୟାଳୟଗୁଡିକର କେତେକ ଶିକ୍ଷକ ପଦବୀ ଲାଗି କମିଶନ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ୟୁଜିସିର ମୋକଦ୍ଦମା ଆଧାରରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିବା ପରିପ୍ରେକ୍ଷୀରେ ଓପିଏସସି ଓ ଉଚ୍ଚଶିକ୍ଷା ବିଭାଗ ଏ ପ୍ରସଙ୍ଗରେ ହାତବାନ୍ଧି ବସିଛନ୍ତି । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ଏବେ ପ୍ରାୟ ଅଢ଼େଇ ହଜାର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଛି ।
ଏଥିଯୋଗୁଁ ପାଠପଢ଼ା ସମେତ ଗବେଷଣା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଥିବା ବେଳେ ପିଏଚଡି ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ କେତେକ ବିଷୟରେ ପାଠପଢ଼ା ଯାଉଛନ୍ତି । ଅନେକ କେତେକ ବିଭାଗରେ ଠିକା ଅତିଥି ଅଧ୍ୟାପକ ଭରସା । ଏଭଳି ଦୁର୍ବଳ ଭିତ୍ତିଭୂମିରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକ ଏ-ପ୍ଲସ୍ ଭଳି ଉଚ୍ଚ ଗ୍ରେଡର ନ୍ୟାକ୍ ମାନ୍ୟତା ପାଇବା ସମ୍ଭାବନା କମ୍ । ଭଲ ଗ୍ରେଡର ନ୍ୟାକ୍ ର୍ୟାକିଙ୍ଗ ନ ମିଳିଲେ ବିଶ୍ୱବିଦ୍ୟାଳୟଗୁଡିକୁ ଅଧିକ କେନ୍ଦ୍ରୀୟ ଅନୁଦାନ ଆସିପାରିବ ନାହିଁ ।
ସେହିଭଳି ରାଜ୍ୟର ସଂଖ୍ୟାକ ସ୍ୱୟଂଶାସିତ କଲେଜର ମର୍ଯ୍ୟାଦା କେବେଠାରୁ କଟି ସାରିଲାଣି । ଏଗୁଡିକର ନବୀକରଣ କ୍ଷେତ୍ରରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମରୁଡି ମୁଖ୍ୟ ପ୍ରତିବନ୍ଧକ ହେଉଛି । ରାଜ୍ୟର ୫୦ଟି ସରକାରୀ ଡିଗ୍ରୀ କଲେଜ ଓ ୫୮୨ଟି ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ପାଇଁ ନିୟମିତ ଅଧ୍ୟକ୍ଷ ନଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦ୍ୱାରା ଯେନତେନ ପ୍ରକାରେ ବର୍ଷ ବର୍ଷ ଧରି କାମଚଳା ଯାଉଛି । ଅନ୍ୟପଟେ ବରିଷ୍ଠ ପ୍ରାଧ୍ୟାପକମାନେ ଅଧ୍ୟକ୍ଷ ପଦବୀକୁ ପଦୋନ୍ନତି ନ ପାଇ ଗଭୀର ମନସ୍ତାପ ଭିତରେ ଅବସର ଗ୍ରହଣ କରୁଛନ୍ତି ।
ଡିଗ୍ରୀ କଲେଜଗୁଡିକ ଲାଗି ଅଧ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ଆଇନଗତ ବିବାଦ ପ୍ରତିବନ୍ଧକ ହେଉଛି ବୋଲି କେତେକ ବରିଷ୍ଠ ଅଧିକାରୀ କହୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ପରିଷଦ ବିଭିନ୍ନ ଡିଗ୍ରୀ କଲେଜକୁ ଚିଠି ଲେଖି ଭଲ ଗ୍ରେଡର ନ୍ୟାକ୍ ମାନ୍ୟତା ଯେଭଳି ହାସଲ କରାଯାଇପାରିବ ସେ ଦିଗରେ ପ୍ରଯତ୍ନ କରିବା ପାଇଁ ପରାମର୍ଶ ଦେଉଛନ୍ତି ।
ନିୟମିତ ଅଧ୍ୟକ୍ଷ ଓ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଓ କର୍ମଚାରୀ ନଥିବା ବେଳେ ନ୍ୟାକ୍ ଟିମ୍ ପରିଦର୍ଶନରେ ଆସି କେଉଁ କଲେଜକୁ କେଉଁ ଗ୍ରେଡ୍ ଦେବେ ସେଥିଘେନି କଲେଜ କର୍ତ୍ତୃପକ୍ଷ ଚିନ୍ତାରେ ଥିବାବେଳେ ସଂଖ୍ୟାଧିକ କଲେଜ ଏହି ଭିତ୍ତିଭୂମିରେ ଅତି ବେଶୀରେ ବି-ଗ୍ରେଡ୍ ପାଇପାରନ୍ତି ବୋଲି ଅତୀତରେ ନ୍ୟାକ୍ ଟିମ୍ ସହ ଜଡିତ ଥିବା ବରିଷ୍ଠ ଶିକ୍ଷାବିତ୍ମାନେ ମତବ୍ୟକ୍ତ କରୁଛନ୍ତି । ମେଡିକାଲ କଲେଜ, ହୋମିଓପ୍ୟାଥିକ୍ କଲେଜ, ଆର୍ୟୁବେଦିକ କଲେଜ ଏବଂ ବିଏଡ୍ କଲେଜଗୁଡିକରେ ଅଧ୍ୟାପକ ଓ କର୍ମଚାରୀ ମରୁଡି ଯୋଗୁଁ ଏଗୁଡିକ ମଧ୍ୟ କେନ୍ଦ୍ରୀୟ ମାନ୍ୟତା ହରାଇବା ଆଶଙ୍କାରେ କଲବଲ ହେଉଛନ୍ତି ।