Home News in Odia ନାକେଦମ କରୁଛି ଦୁଇ ପ୍ରକାର ଚାଲାଣ

ନାକେଦମ କରୁଛି ଦୁଇ ପ୍ରକାର ଚାଲାଣ

ଭୁବନେଶ୍ୱର : ନିଜ ନିଜ ଯାନବାହାନର ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଧାଉଁଥିବା ଲୋକେ ଏବେ ଗାଡିର ଚାଲାଣ ପଇଠ ପାଇଁ ନାକେଦମ ହେଉଛନ୍ତି । ବିଶେଷକରି ଯେଉଁମାନେ ଅଫ୍‍ଲାଇନ୍‍ରେ ଜୋରିମାନା ଅର୍ଥ ଦେବାପାଇଁ ଚାହୁଁଛନ୍ତି ସେମାନେ ଏବେ ପରିବହନ ବିଭାଗରୁ ପୁଲିସ୍‍ ବିଭାଗ କାଉଣ୍ଟରକୁ ଦଉଡୁଛନ୍ତି ।

ଯାବାହାନର ଚାଲାଣ କାଟିବାର କ୍ଷମତା ଉଭୟ ପରିବହନ ବିଭାଗ ଓ ପୁଲିସ୍‍ ବିଭାଗର ରହିଛି । ତେବେ ଯାନବାହାନର ଫିଟ୍‍ନେସ୍‍ ଓ ପରିମିଟ୍‍ ବାବଦୀୟ ଜୋରିମାନା କାଟିବା କେବଳ ପରିବହନ ବିଭାଗ ହାତରେ ଥିବାବେଳେ ଦ୍ରୁତ ଗାଡିଚାଳନା, ବିନା ହେଲେମେଟ୍‍ ଓ ସିଟବେଲ୍ଟରେ ଗାଡିଚାଳନା ଆଦିର ଫାଇନ୍‍ ଉଭୟ ପରିବହନ ଓ ପୁଲିସ୍‍ ବିଭାଗ କାଟିପାରିବ । ସେହିଭଳି ରାଜପଥରେ ପରିବହନ ବିଭାଗ ଲଗାଇଥିବା କ୍ୟାମେରାରେ ଫାଇନ୍‍ କାଟୁଥିବାବେଳେ ସହର ଭିତରେ ପୁଲିସ୍‍ ବିଭାଗ ଲଗାଇଥିବା କ୍ୟାମେରାରେ ପୁଲିସ୍‍ ବାବୁମାନେ ସ୍ମାର୍ଟ ଫାଇନ୍‍ କାଟୁଛନ୍ତି ।

ତେବେ ଅନୁଧ୍ୟାନରୁ ଜଣାଯାଇଛି ଯେ ଜୋରିମାନା କଟିଥିବା ଯାବାହାନର ୨୫ ପ୍ରତିଶତଙ୍କ ମୋବାଇଲ୍‍ ନମ୍ବର ସେମାନଙ୍କ ଯାନବାହାନ ନମ୍ବର ସହିତ ସଂଯୁକ୍ତ ନାହିଁ । ସେମାନେ ନିଜ ନିଜର ଗାଡିର ପ୍ରଦୂଷଣ ପ୍ରମାଣପତ୍ର କରାଇବାକୁ ଯିବାରୁ ଗାଡିର ଜୋରିମାନା ପଇଠପାଇଁ କୁହାଯାଉଛି । ତେବେ ଏହି ଲୋକମାନେ ଅନ୍‍ଲାଇନ୍‍ରେ ଜୋରିମାନା ପଇଠ ସମ୍ଭବ ନହେବାରୁ ସେମାନେ ଅଫ୍‍ ଲାଇନ୍‍ରେ ଦେବାକୁ ବାଧ୍ୟ ହେଉଛନ୍ତି ।

ତେବେ ଏହିଠାରୁ ସେମାନଙ୍କ ସମସ୍ୟା ଆରମ୍ଭ ହେଉଛି । ସେମାନଙ୍କ ଜୋରିମାନା ପରିବହନ ବିଭାଗ ଦ୍ୱାରା କଟାଯାଇଛି କି ପୁଲିସ୍‍ ବିଭାଗ ଦ୍ୱାରା କଟାଯାଇଛି ସାଧାରଣ ଲୋକେ ତାହା ସହଜରେ ଜାଣିପାରୁ ନାହାନ୍ତି । ତେଣୁ ପରିବହନ ବିଭାଗ ନିକଟକୁ ଅଫ୍‍ଲାଇନ୍‍ରେ ଜୋରିମାନା ପଇଠ ପାଇଁ ଯିବା ବେଳକୁ ସେମାନେ ଲୋକମାନଙ୍କୁ ପୁଲିସ୍‍ ନିକଟକୁ ପଠାଇ ଦେଉଛନ୍ତି । ପୁଲିସ୍‍ ନିକଟକୁ ଗଲେ ପରିବହନ ବିଭାଗ ଦ୍ୱାରା କଟାଯାଇଥିବା ଚାଲାଣ ଆରଟିଓ ଅଫିସରେ ହିଁ ଦିଆଯିବ ବୋଲି କହି ବିଦା କରାଯାଉଛି । ଯଦି କଟାଯାଇଥିବା ଚାଲାଣକୁ ପ୍ରତ୍ୟେକ ସ୍ଥାନରେ ଗ୍ରହଣ କରାଯାଇ ପାରନ୍ତା ତେବେ ଲୋକେ ଏଭଳି ସମସ୍ୟାରେ ପଡନ୍ତେ ନାହିଁ । ସେହିଭଳି ପ୍ରଦୂଷଣକେନ୍ଦ୍ରଗୁଡିକୁ ଯଦି ଅନ୍‍ଲାଇନ୍‍ରେ ଜୋରିମାନା ଗ୍ରହଣର କ୍ଷମତା ପ୍ରଦାନ କରାଯାଆନ୍ତା ତେବେ ଲୋକେ ଆରଟିଓ ଅଫିସରୁ ଟ୍ରାଫିକଥାନା ପର୍ଯ୍ୟନ୍ତ ଧାଁ ଦଉଡ କରନ୍ତେ ନାହିଁ ।

ଅନୁରୂପ ଭାବେ ରାଜପଥରେ ଯିବା ସମୟରେ ଯେଉଁମାନଙ୍କର ଯେଉଁ ଅଞ୍ଚଳରେ ଚାଲାଣ କଟିଛି ଅଫ୍‍ଲାଇନ୍‍ରେ ଚାଲାଣ ପଇଠ କରିବାପାଇଁ ସମ୍ପୃକ୍ତ ଗାଡି ଚାଳକଙ୍କୁ ସେହିସବୁ ଇଲାକାରେ ଥିବା ଆରଟିଓ ଅଫିସକୁ ଯିବାକୁ ବାଧ୍ୟ କରାଯାଉଛି । ଗାଡିରେ ତେଲ ପକାଇବାପାଇଁ ସରକାର ପ୍ରଦୂଷଣ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରିଥିବାବେଳେ ଏହି ସାର୍ଟିଫିକେଟ ପାଇବାପାଇଁ ପୁରୁଣା ଜୋରିମାନା ପଇଠ କରିବାକୁ କୁହାଯାଉଛି । ଏହା ଫଳରେ ଏବେ ଲୋକେ କାମ ଦାମ ଛାଡି ଆରଟିଓ ଅଫିସ ଓ ଥାନାଗୁଡିକୁ ଦଉଡିବାରେ ଲାଗିଛନ୍ତି ।

ଡିଜିଟାଲ ଯୁଗରେ ଅଫ୍‍ଲାଇନ୍‍ ଜୋରିମାନା ପଇଠ ସୁବିଧା ସମସ୍ତ ଆରଟିଓ ଓ ଅନୁମତିପ୍ରାପ୍ତ ଥାନାଗୁଡିକରେ ଯୋଗାଇ ଦିଆଗଲେ କେବଳ ସାଧାରଣ ଲୋକେ ଉପକୃତ ହୁଅନ୍ତେ ନାହିଁ, ଧାର୍ଯ୍ୟ ସମୟରେ ରାଜକୋଷକୁ ଅଧିକ ଅର୍ଥ ଆସିପାରନ୍ତା ଓ ସରକାର ମଧ୍ୟ ସମାଲୋଚନାରୁ ରକ୍ଷା ପାଇପାରନ୍ତେ ବୋଲି କୁହାଯାଉଛି । (ତଥ୍ୟ)