ଭୁବନେଶ୍ୱର : ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ 650 କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମଙ୍ଗଳାର ନୂଆଦିଲ୍ଲୀ ଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ସହ ଆୟୋଜିତ ଏ ସମ୍ପର୍କୀତ ଏକ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣରେ ଭାରତ ସରକାର 400 କୋଟି ଏବଂ ଟାଟା ଟ୍ରଷ୍ଟ 250 କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ନାଇଜର 17 ଏକର ପରିମିତ ଜମି ପ୍ରଦାନ କରି ସାରିଥିବା ବେଳେ ଅତିରିକ୍ତ 10 ଏକର ପରିମିତ ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇ ଦେବ ।
ଏହି କ୍ୟାନସର ହସ୍ପିଟାଲକୁ ଟାଟା ଟ୍ରଷ୍ଟ ନିର୍ମାଣ କରିବା ପରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିବେ । ହସ୍ପିଟାଲ ନିର୍ମାଣ ସହ କ୍ୟାମ୍ପସ ପରିସରରେ କର୍ମଚାରୀଙ୍କ ପାଇଁ ବାସଗୃହ, ରୋଗୀଙ୍କ ପାଇଁ ଧର୍ମଶାଳା, ହଷ୍ଟେଲ ନିର୍ମାଣ କରାଯିବ । ଆଗାମୀ 3 ବର୍ଷ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗୀୟ ମନ୍ତ୍ରଣାଳୟ ତରଫରୁ ଏକ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଓଡ଼ିଶା ସମେତ ସମଗ୍ର ଭାରତର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶା ତଥା ପୂର୍ବ ଭାରତର ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ଏହି ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ଏହି ହସ୍ପିଟାଲ ନିର୍ମାଣ ହେଲେ ଓଡ଼ିଶାବାସୀ ଉପକୃତ ହୋଇପାରିବେ ଓ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ହୋଇପାରିବ ବୋଲି ସେ କହିଛନ୍ତି ।
ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଟଟା ମେମୋରିଆଲ ସେଣ୍ଟରର ଅଧିକାରୀ, ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ ଆଟୋମିକ ଏନର୍ଜି ବିଭାଗର ବରିଷ୍ଠ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।