Home Health ନର୍ଦ୍ଦମା ପାଣିରେ ଭାସୁଛି ଡାକ୍ତରଖାନା

ନର୍ଦ୍ଦମା ପାଣିରେ ଭାସୁଛି ଡାକ୍ତରଖାନା

ଭୁବନେଶ୍ୱର : କେନ୍ଦ୍ର ସରକାରୀ ଡାକ୍ତରଖାନା ଆଗରେ ଦୀର୍ଘଦିନ ଧରି ବହୁଛି ରାଜ୍ୟ ସରକାରଙ୍କ କ୍ୱାଟର୍ସରୁ ନିର୍ଗତ ହେଉଥିବା ନର୍ଦ୍ଦମା ପାଣିର ବନ୍ୟା । ଏଥିଯୋଗୁଁ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ଏବଂ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏ ଚିତ୍ର ହେଉଛି ରାଜଧାନୀ ଭୁବନେଶ୍ୱରର ।

ରାଜ୍ୟ ବିଧାନସଭା ଠାରୁ ୫ଶହ ମିଟରରୁ କମ୍‍ ଦୂରତା ଭିତରେ ତିନି ନମ୍ବର ୟୁନିଟ୍‍ ଅଞ୍ଚଳରେ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟସେବା ଯୋଜନାରେ ରହିଛି ଏକ ଡାକ୍ତରଖାନା । ଏହା ସମ୍ମୁଖରେ ଅଛି ରାଜ୍ୟ ସରକାରଙ୍କ ତିନିଟି ଦୁଇ ମହଲା ବିଶିଷ୍ଟ ଟାଇପ୍‍-୮ କ୍ୱାଟର୍ସ । ଏହି କ୍ୱାର୍ଟରରୁ ବାହାରୁଥିବା ପାଇଖାନା ଜଳ ସିଧାସଳଖ ଡାକ୍ତରଖାନା ରାସ୍ତା ଉପରେ ଦିନ ରାତି ବୋହୁଛି । ଏଥି ସହ ଏହାର ଦୁର୍ଗନ୍ଧ ବି ତିନି ନମ୍ବର ୟୁନିଟ୍‍ ଅଞ୍ଚଳର ଆଖପାଖ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି ।

ଯେଉଁ ସ୍ଥାନରେ ଏଭଳି ନର୍ଦ୍ଦମା ପାଣିର ସୁଅ ଛୁଟୁଛି ସେଠାରୁ ଖୁବ୍‍ କମ୍‍ ଦୂରତାରେ ରହିଛି ଭୁବନେଶ୍ୱର ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ନଗର ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଦପ୍ତର । ରାଜ୍ୟ ସରକାରଙ୍କ ଏକ ପୁରୁଣା କୋଠାରେ ଦୀର୍ଘବର୍ଷ ଧରି ଏହି କେନ୍ଦ୍ର ସରକାରୀ ଡାକ୍ତରଖାନା ଚାଲିଛି । ସେଠି ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କ ବସିବାପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ଅନେକ ରାସ୍ତାକଡରେ ଅପେକ୍ଷା କରିବାକୁ ବାଧ୍ୟ ହୋଇଥାନ୍ତି । ଏବେ ସେମାନଙ୍କୁ ନର୍ଦ୍ଦମା ପାଣିର ନର୍କ ଯନ୍ତ୍ରଣା ଭୋଗିବାକୁ ପଡୁଛି ।

ବହୁ ସମୟରେ ଏହି ସିଜିଏଚଏସ୍‍ ଡାକ୍ତରଖାନାର କମ୍ପ୍ୟୁଟର ଲିଙ୍କ୍‍ ଗଣ୍ଡଗୋଳ ହେଉଥିବାରୁ ରୋଗୀଙ୍କ ପଞ୍ଜିକରଣ ଓ ଡାକ୍ତରଙ୍କ ନିଦାନ ତଥା ଫର୍ମାସିଷ୍ଟଙ୍କ ଔଷଧ ଯୋଗାଣ କାର୍ଯ୍ୟ ମଧ୍ୟ ବ୍ୟାହତ ହେଉଛି । ଏହି ପରିସରରେ ରୋଗୀ ଓ ତାଙ୍କ ସହକାରୀମାନଙ୍କ ଲାଗି ଶୌଚାଳୟର ପର୍ଯ୍ୟାପ୍ତ ସୁବିଧା ନଥିବାରୁ ସ୍ୱଚ୍ଛ ଭାରତର ବିକଳ ଚିତ୍ର ଏଠି ରାସ୍ତାକଡରେ ଦେଖିବାକୁ ମିଳିଥାଏ ।

ସାଧାରଣତଃ ସିଜିଏଚଏସ୍‍ କାର୍ଡ ପାଇଥିବା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‍ସନଭୋଗୀମାନେ ଏହି ଡାକ୍ତରଖାନାକୁ ଚିକିତ୍ସାପାଇଁ ଆସିଥାନ୍ତି । ଯେଉଁମାନଙ୍କୁ ଅଧିକ ଚିକିତ୍ସା କିମ୍ବା ଅସ୍ତ୍ରୋପଚାର ଲାଗି ଅନୁବନ୍ଧିତ ଅନ୍ୟ ଡାକ୍ତରଖାନାକୁ ପଠାଯାଏ ସେମାନଙ୍କ ପାଇଁ ବି ଏଠାରେ କାଗଜପତ୍ର କାମ ହୋଇଥାଏ । ଏହାଛଡା ବାହାରୁ କିଣା ଯାଉଥିବା ଔଷଦ ପାଇଁ କାର୍ଡଧାରୀ ରୋଗୀ ଓ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ପରେ ଏହି ସଂସ୍ଥା ମାଧ୍ୟମରେ ଔଷଧ ଓ ଚିକିତ୍ସା ବାବଦ ଅର୍ଥ ପଇଠ କରାଯାଇଥାଏ ।

ପ୍ରାୟ ୭୦ବର୍ଷ ତଳର ଏକ ପୁରୁଣା ଦପ୍ତର କୋଠାରେ ଏହି ସିଜିଏସ୍‍ ଡାକ୍ତରଖାନା ଚାଲୁଛି । ଏହା ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍, ପିଏମଜି ଭଳି ଅନେକ କେନ୍ଦ୍ର ସରକାରୀ ଦପ୍ତର ମଧ୍ୟ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସ୍ଥାନରେ ଡାକ୍ତରଖାନା ଅନୁକୂଳ ଏକ ଗୃହ ନିର୍ମାଣ କରିବା ସହିତ ଏଠଶରେ ରୋଗୀଙ୍କ ପାଇଁ ଶଯ୍ୟା, ଅପରେସନ ଗୃହ, ଆଉଟଡୋର, ଜରୁରୀକାଳୀନ ସେବା ଆଦିର ବ୍ୟବସ୍ଥା କରିବାପାଇଁ ଦାବି ହେଉଛି ।(ତଥ୍ୟ)