ନୂଆଦିଲ୍ଲୀ : ‘ସେମିକନ୍ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଭବିଷ୍ୟତ ଓ ନୂତନ ନିବେଶ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। କଟକ’ର ନରାଜଠାରେ ୮୭୦ ଏକର ପରିମିତ ଜମିରେ ‘ଓଡ଼ିଶା ସିଲିକନ୍ ଭାଲି’ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟଯେ, ରାଜ୍ୟରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରକଳ୍ପଗୁଡ଼ିକୁ ଏକାଠି କରି ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍’ରେ ପରିଣତ କରିବା ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ନରାଜର ଭୌଗଳିକ ଅବସ୍ଥିତି ଶିଳ୍ପ ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ। ଏଠାରୁ ଭୁବନେଶ୍ୱର-କଟକ ସହରାଞ୍ଚଳ କରିଡର ସହ ସୁଗମ ଯୋଗାଯୋଗ ସୁବିଧା ରହିବା ସହ ମହାନଦୀ ନିକଟବର୍ତ୍ତୀ ହୋଇଥିବାରୁ ଆବଶ୍ୟକ ଜଳ ଯୋଗାଣ ମଧ୍ୟ ସହଜ ହୋଇପାରିବ। ଏହାଛଡ଼ା, ପାରାଦୀପ ଏବଂ ଧାମରା ବନ୍ଦର ସହ ସଂଯୋଗ ରହୁଥିବାରୁ ଏହା ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଏକ ମୁଖ୍ୟ କେନ୍ଦ୍ର ପାଲଟିବ।
ଏହି ସମ୍ମିଳନୀ ଅବସରରେ ରାଜ୍ୟ ସରକାର ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛନ୍ତି, ଯାହାଦ୍ୱାରା ପ୍ରାୟ ୬,୧୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ‘ସେମିକନ୍ ୨.୦’ ଅଧୀନରେ ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଭାଲ୍ୟୁ ଚେନ୍ ଗଠନ ଦିଗରେ ଏକ ବଡ଼ ପଦକ୍ଷେପ। ଏହା ସହିତ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱାଫର ପ୍ରସ୍ତୁତି ପାଇଁ ‘କ୍ୱାଡ଼କ୍ୱାଣ୍ଟମ’ ସଂସ୍ଥା ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ନୂଆଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଜାପାନ, ସ୍ୱିଡେନ୍ ଏବଂ ତାଇୱାନର ଆନ୍ତର୍ଜାତୀୟ ପ୍ରତିନିଧି ଦଳ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହାବ୍ୟତୀତ ଲ୍ୟାମ୍ ରିସର୍ଚ୍ଚ, ଆପ୍ଲାଏଡ୍ ମେଟେରିଆଲ୍ସ, ସିକ ସେମ୍, ଥ୍ରୀ-ଡି ଗ୍ଲାସ୍ ସୋଲୁସନ ଏବଂ ସାଇଏଣ୍ଟ୍ ଭଳି ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସେମିକଣ୍ଡକ୍ଟର ଯାତ୍ରା ବର୍ତ୍ତମାନ କେବଳ ପରିକଳ୍ପନା ସ୍ତରରୁ ଆଗକୁ ଯାଇ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆମେ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ଆକର୍ଷିତ କରିବାରେ ଏବଂ ସବୁଠାରୁ ବଡ଼ କଥା ହେଲା ପ୍ରମୁଖ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସଫଳ ହୋଇଛୁ। ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଶିଳ୍ପ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷଙ୍କ ସହ ଆମର ଆଲୋଚନା ଏହି ଗତିକୁ ଆହୁରି ଆଗକୁ ବଢ଼ାଇବା ଏବଂ ଓଡ଼ିଶାକୁ ପରବର୍ତ୍ତୀ ପର୍ଯ୍ୟାୟର ସେମିକଣ୍ଡକ୍ଟର ନିବେଶ ଆଣିବା ଉପରେ କେନ୍ଦ୍ରୀଭୂତ ରହିଛି।
ଏକ ଅଗ୍ରଣୀ ସେମିକଣ୍ଡକ୍ଟର ହବ୍ ଭାବେ ଉଭା ହେବା ପାଇଁ ଆବଶ୍ୟକ ହେଉଥିବା ବ୍ୟାପକ ଇକୋସିଷ୍ଟମ୍ ଗଠନ ନିମନ୍ତେ ଓଡ଼ିଶା କ୍ରମାଗତ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ରାଜ୍ୟ ସରକାର ସେମିକଣ୍ଡକ୍ଟର ନୀତିକୁ ବିକଶିତ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ ସହିତ ସମନ୍ୱୟ ରକ୍ଷା କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏହାର ସେମିକଣ୍ଡକ୍ଟର ନୀତିର ସଦ୍ୟତମ ତୃତୀୟ ସଂଶୋଧନ ମାଧ୍ୟମରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ସହାୟତାକୁ ଆହୁରି ବ୍ୟାପକ କରାଯାଇଛି।
ଏହି ସଂଶୋଧନ ଜରିଆରେ, ଓଡ଼ିଶା ପକ୍ଷରୁ ସେମିକଣ୍ଡକ୍ଟର ଉପକରଣ ତିଆରି, ସେମିକଣ୍ଡକ୍ଟର-ଗ୍ରେଡ୍ ଗ୍ୟାସ୍, କଞ୍ଚାମାଲ ଏବଂ ଯୋଗାଣ ଶୃଙ୍ଖଳା ବିଭାଗରେ ଆଇଏସଏମ-ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ୨୫% ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ବର୍ତ୍ତମାନର ନୀତିଗତ ବ୍ୟବସ୍ଥା ଅଧୀନରେ ୱାର୍କଫୋର୍ସର ଦକ୍ଷତା ବୃଦ୍ଧି, ଇଣ୍ଟର୍ନସିପ୍, ଆନ୍ତର୍ଜାତୀୟ ପେଟେଣ୍ଟ୍ ଏବଂ ଗବେଷଣା ତଥା ବିକାଶ ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି।

