ଭୁବନେଶ୍ୱର : ବିହାର ବିଧାନସଭା ସହିତ ଓଡ଼ିଶାର ନୂଆପଡ଼ା ବିଧାନସଭା କ୍ଷେତ୍ର ଲାଗି ଉପ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳର ଚିନ୍ତା ବଢ଼ିଯାଇଛି । ସମ୍ଭବତଃ ଆଗାମୀ ନଭେମ୍ବର ମାସରେ ନୂଆପଡ଼ା ବିଧାନସଭା କ୍ଷେତ୍ର ଲାଗି ଉପ ନିର୍ବାଚନ ହେବାକୁ ଥିବାରୁ ରାଜ୍ୟରେ କ୍ଷମତାସୀନ ବିଜେପି ପାଇଁ ଏହା ଏକ ବଡ଼ ଆହ୍ୱାନ ହୋଇଛି ।
ନୂଆପଡ଼ା ବିଧାନସଭା ଆସନଟି ବିଜେଡି କବ୍ଜାରେ ଥିଲା । ଏଠାରୁ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ ହେବା ଫଳରେ ଉପ ନିର୍ବାଚନର ଆବଶ୍ୟକତା ପଡ଼ିଛି । ଗତ ବର୍ଷ ଜୁନ୍ ମାସରେ ବିଜେପି ଓଡ଼ିଶାରେ ଶାସନକୁ ଆସିବା ପରେ ଏହା ହେଉଛି ପ୍ରଥମ ଉପନିର୍ବାଚନ । ଏହା ବିଜେପି ପାଇଁ ଯେଭଳି ଏସିଡ୍ ଟେଷ୍ଟ ସେହିଭଳି ନିଜ ଆସନକୁ ପୁନଃ ଦଖଲ କରିବା ବିଜେଡି ପାଇଁ ମଧ୍ୟ ବଡ଼ ଆହ୍ୱାନ ।
ଅନ୍ୟପକ୍ଷରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଏକଦା ଅଂଶବିଶେଷ ଥିବା ନୂଆପଡ଼ା ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କର ଏକଦା ଦବ୍ଦବା ରହିଥିଲା । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟ୍ ନପାଇ ଏଠାରୁ ଦଳର ଅନ୍ୟତମ ସଂଗଠକ ଘାସିରାମ ମାଝୀ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପ୍ରାୟ ୫୧ ହଜାର ଭୋଟ ପାଇବା ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହି ନିର୍ବାଚନରେ ତତ୍କାଳୀନ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇ ପ୍ରାୟ ୧୫ ହଜାରଭୋଟ ହାତେଇଥିଲେ । ଶ୍ରୀ ମାଝୀ ଓ ଶ୍ରୀ ପଟ୍ଟନାୟକ ପାଇଥିବା ଭୋଟକୁ ମିଶାଇଲେ ପ୍ରାୟ ୬୫ ହଜାର ହେବ, ଯାହାକି ସେତେବେଳେ ଜିଣିଥିବା ଢୋଲକିଆଙ୍କ ଭୋଟ ଠାରୁ ପ୍ରାୟ ୪ ହଜାର ଅଧିକ । ଏହି ଗଣିତ ଆଧାରରେ କଂଗ୍ରେସ ମଧ୍ୟ ନୂଆପଡ଼ା ଦଖଲ କରିବା ଲାଗି ପୂରା ସଜବାଜ ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ବିଜେଡି-ବିଜେପିର ମେଣ୍ଟ ସମୟରେ ୨୦୦୦ ମସିହାରେ ଏଠାରୁ ବିଜେପି ପ୍ରାର୍ଥୀ ବସନ୍ତ କୁମାର ପଣ୍ଡା ଜିଣିଥିବାବେଳେ ୨୦୦୪ରେ ରାଜେନ୍ଦ୍ର ଢୋଲକିଆ ଏଠୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ରେ ଶ୍ରୀ ଢୋଲକିଆ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ଜିଣିଥିଲେ । ତେବେ ୨୦୧୪ରେ ସେ ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କୁ ପରାସ୍ତ କରିଥିଲେ । ୨୦୧୯ରେ ବି ଶ୍ରୀ ଢୋଲକିଆ ବିଜୟୀ ହୋଇ ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । ୨୦୨୪ ନିର୍ବାଚନରେ ବସନ୍ତ ପଣ୍ଡାଙ୍କ ପରିବର୍ତ୍ତେ ତାଙ୍କ ପୁଅ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ଢୋଲକିଆଙ୍କ ଠାରୁ ପରାସ୍ତ ହେବା ସହ ତୃତୀୟ ସ୍ଥାନରେ ରହିଥିଲେ । ସେତେବେଳେ କଂଗ୍ରେସ ଚତୁର୍ଥ ସ୍ଥାନକୁ ଖସିଯାଇଥିଲା । ଏବେ କଂଗ୍ରେସ, ବିଜେଡି ଓ ବିଜେପି ପାଇଁ ନୂଆପଡ଼ା ବିଧାନସଭା ଆସନ ଲାଗି ହେଉଥିବା ଉପ ନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ ହେଉଛି ।
ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ନୂଆପଡ଼ା ବିଧାନସଭା କ୍ଷେତ୍ରପାଇଁ ୩ଥର ଉପ ନିର୍ବାଚନ ହୋଇଥିବା ବେଳେ ଏଥର ଚତୁର୍ଥଥର ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି । ବସ୍ତୁତଃ ଏହି ଉପନିର୍ବାଚନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ମଧ୍ୟରେ ପ୍ରକାରାନ୍ତରେ ପତିଆରାର ଲଢ଼େଇ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି । ଊପ ନିର୍ବାଚନ ପରିପ୍ରେକ୍ଷୀରେ ନୂଆପଡ଼ାର ପରିବେଶ ବିଭିନ୍ନ ପ୍ରସଂଗକୁ ନେଇ ସରଗରମ ହେଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ