Home Infrastructure ନଭେମ୍ବରରେ ଓଡିଶାରେ ସଡକ କଂଗ୍ରେସ

ନଭେମ୍ବରରେ ଓଡିଶାରେ ସଡକ କଂଗ୍ରେସ

ଭୁବନେଶ୍ୱର : ଚଳିତ ବର୍ଷ ନଭେମ୍ବର ମାସରେ ଓଡିଶାରେ ସର୍ବଭାରତୀୟ ସଡକ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ଉପରେ ଏବେ ସମସ୍ତଙ୍କ ନଜର । ଏହି ଅଧିବେଶନରେ କାଳରେ ସଡକ ବିକାଶ ପାଇଁ ଓଡିଶାକୁ ମୋଟା ଅଙ୍କର କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।

୮୪ତମ ସଡକ କଂଗ୍ରେସ ଅଧିବେଶନ ଆସନ୍ତା ନଭେମ୍ବର ମାସ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଅନୁଷ୍ଠିତ ହେବ । ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ଓ ସମଗ୍ର ଦେଶର ସଡକ କଂଗ୍ରେସର ପଦାଧିକାରୀମାନେ ଯୋଗଦେବେ । ଏଥିରେ ଓଡିଶା ସମେତ ସମଗ୍ର ଦେଶର ସଡକ ବିକାଶ ଉପରେ ଆଲୋଚନା ହେବ ।

ସଡକ କଂଗ୍ରେସ ଅବସରରେ ଓଡିଶାକୁ କେନ୍ଦ୍ର ସରକାର ଅତି କମ୍‍ରେ ୧୫,୦୦୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବେ ବୋଲି କର୍ତ୍ତୃପକ୍ଷ ଆଶା ବାନ୍ଧିଛନ୍ତି । ଯେଉଁସବୁ ରାଜ୍ୟରେ ସଡକ କଂଗ୍ରେସ ଆୟୋଜିତ ହୋଇଥାଏ ସେହିସବୁ ରାଜ୍ୟ କେନ୍ଦ୍ରରୁ ମୋଟା ଅଙ୍କର ଅନୁଦାନ ପାଇଥାନ୍ତି । ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାରୁ ସଡକ ବିକାଶ ପାଇଁ କେନ୍ଦ୍ରରୁ ଅଧିକ ପରିମାଣର ଅର୍ଥ ମିଳିବାର ବଡ ସମ୍ଭାବନା ରହିଛି ।

ଇତି ମଧ୍ୟରେ ରାଜ୍ୟ ସରକାର ଓଡିଶାରେ ୭୫ହଜାର କିଲୋମିଟର ସଡକର ବିକାଶ ପାଇଁ ବ୍ୟାପକ ଯୋଜନା କରିଛନ୍ତି । ଏହାକୁ କାର୍ଯ୍ୟକାରୀ ଲାଗି ବିପୁଳ ପରିମାଣର ଅର୍ଥ ଆବଶ୍ୟକ ପଡୁଥିବାବେଳେ ଏବେ ସଡକ କଂଗ୍ରେସ ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି । ସେହିଭଳି ରାଜ୍ୟରେ ସଡକଗୁଡିକର ବିକାଶ ପାଇଁ ଓଡିଶା ସରକାର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନଏଚଏଆଇ) ଢାଞ୍ଚାରେ ରାଜ୍ୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏସ୍‍ଏଚଏଆଇ) ଗଠନ କରିଛନ୍ତି । ଏହା ଜରିଆରେ ଜାତୀୟ ରାଜପଥ ଭଳି ରାଜ୍ୟରେ ଥିବା ସଡକ ଗୁଡିକର ବିକାଶ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ସଡକ କଂଗ୍ରେସ ଅଧିବେଶନ କାଳରେ ଦେଶର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଯୋଗଦେବା ସହିତ ସଡକ ନିର୍ମାଣର ନୂତନ ଜ୍ଞାନକୌଶଳ ଉପରେ ବ୍ୟାପକ ଆଲୋଚନା ହେବ । ବର୍ତ୍ତମାନ ଓଡିଶାରେ ତାପଜ କେନ୍ଦ୍ରରୁ ବାହାରୁଥିବା ପାଉଁଶ ଓ ପ୍ଲାଷ୍ଟିକ ବର୍ଜ୍ୟକୁ ବ୍ୟବହାର କରି ସଡକ ନିର୍ମାଣ ଉପରେ ଜୋର ଦିଆଯାଉଥିବାବେଳେ ଏହାକୁ ନେଇ ବଡ ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି । ଏଥି ସହିତ ରାଜ୍ୟର ଦୁର୍ଗମ ଓ ମାଓ ଅଧ୍ୟୁଷିତ ଅଞ୍ଚଳରେ ସଡକ ନିର୍ମାଣ ଉପରେ ଆଲୋଚନା ହେବା ସହିତ ନୂତନ ଜ୍ଞାନକୌଶଳର ବ୍ୟବହାର ନେଇ ବିଶେଷଜ୍ଞମାନେ ମତ ନିଜ ନିଜର ମତ ରଖିବେ ।

ତେଣୁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୮୪ତମ ସଡକ କଂଗ୍ରେସ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବାବେଳେ ଓଡିଶାରେ ସଡକ ବିକାଶ ପାଇଁ ଯେଭଳି କେନ୍ଦ୍ରରୁ ଅଧିକରୁ ଅଧିକ ଅନୁଦାନ ମିଳିବ ସେଥିପାଇଁ ଉଦ୍ୟମ ଚଳାଇଛନ୍ତି । (ତଥ୍ୟ)