ଭୁବନେଶ୍ୱର : ଅନୁଗୁଳରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଚାଳଛପର ମାଟି ଘରର ସଂରକ୍ଷଣ ପାଇଁ ଓଡିଶା ସରକାର କାମ କରିବେ ବୋଲି ପୁଣିଥରେ ଘୋଷଣା କରାଯାଇଛି । ଅତୀତରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏଭଳି ଘୋଷଣା କରାଯାଇ ରାଜଧାନୀରୁ ମାଳ ମାଳ ଅଫିସର ଓ ଯନ୍ତ୍ରୀଙ୍କୁ ଅନୁଗୁଳ ପଠାଯାଇଥିଲେ ମଧ୍ୟ କିଛି କାମ ହୋଇନଥିଲା । ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣିଥରେ ସେହି ପୁରୁଣା କଥାର ଘୋଷଣା କରିଥିବାରୁ ଏହା କେବେସୁଦ୍ଧା କାର୍ଯ୍ୟକାରୀ ହେବ ସେଥିଘେନି ଉତ୍କଣ୍ଠା ପ୍ରକାଶ ପାଇଛି ।
ପ୍ରାୟ ୮୦ବର୍ଷ ତଳେ ଦେଶ ସ୍ୱାଧୀନ ହେବା ପୂର୍ବରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ମାଳତୀ ଚୌଧୁରୀଙ୍କ ଉଦ୍ୟମକ୍ରମେ ଅନୁଗୁଳରେ ବାଜିରାଉତ ଛାତ୍ରାବାସ ପ୍ରତିଷ୍ଠା କରାଯାଇଥିଲା । ମାଳତୀ ଦେବୀ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟା ଥିଲେ । ସ୍ୱଧୀନତା ସଂଗ୍ରାମ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅନବଦ୍ୟ ଅବଦାନ ରହିଛି । ତାଙ୍କ ପତି ନବକୃଷ୍ଣ ଚୌଧୁରୀ ଜମିଦାରୀ ଛାଡି ସ୍ୱାଧୀନତା ସଂଗ୍ରାମରେ ଝାସଦେବା ସହ ପରବର୍ତ୍ତୀ ସମୟରେ ରାଜନୀତିକୁ ସେବାର କ୍ଷେତ୍ର ଭାବେ ଗ୍ରହଣ କରିଥିଲେ । ନବ ବାବୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇ ଅନୁଗୁଳର ବାଜିରାଉତ ଛାତ୍ରାବାସ ପରିସରରେ ଏକ ଚାଳ ଘରେ ଶେଷ ଜୀବନ ପର୍ଯ୍ୟନ୍ତ ରହିଥିଲେ ।
ଚୌଧୁରୀ ଦମ୍ପତ୍ତିଙ୍କର ଏହି ଚାଳ ଘର ସହିତ ଇତିହାସର ଅନେକ ସ୍ମୃତି ଜଡିତ ରହିଛି । ସ୍ୱାଧୀନତ୍ତୋର ଭାରତବର୍ଷରେ ରାଜନୀତିକୁ ସମ୍ପତ୍ତି ଓ କ୍ଷମତା ଆହରଣର ମାଧ୍ୟମ ଭାବେ ବହୁ ନେତା ବାଛୁଥିବାବେଳେ ଚୌଧୁରୀ ଦମ୍ପତ୍ତି କିନ୍ତୁ ଏହାକୁ ସେବା, ସଂସ୍କାର ଓ ସଂଗ୍ରାମର କ୍ଷେତ୍ର ଭାବେ ରୂପାୟିତ କରୁଥିଲେ । ଏହି ଚାଳ ଘରେ ୮୦ ଦଶକରେ ନବକୃଷ୍ଣଙ୍କର ଓ ନବେ ଦଶକରେ ମାଳତୀ ଦେବୀଙ୍କର ଦେହାନ୍ତ ହୋଇଥିଲା । ଏହି ଘରକୁ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିବାପାଇଁ ଦଳମତ ନିର୍ବିଶେଷରେ ଦୀର୍ଘବର୍ଷରୁ ଦାବିହୋଇ ଆସୁଛି ।
ଚାରି ପାଞ୍ଚବର୍ଷ ତଳେ ଏହି ଚାଳଛପର ମାଟିଘର ଭୁଷୁଡି ପଡିବା ଅବସ୍ଥାକୁ ଆସିଥିଲା । ପଲିଥିନ୍ ଜରି ଢାଙ୍କି ଏହାକୁ ଘୋଡାଇ ରଖାଯାଉଥିଲା । ସେତେବେଳେ ଗଣମାଧ୍ୟମରେ ଏମିତିକି ବିଧାନସଭାରେ ଏହି ଐତିହ୍ୟ ଘରର ସୁରକ୍ଷା କଥା ବେଶ୍ ଆଲୋଡନ ସୃଷ୍ଟି କରିଥିଲା । ରାଜ୍ୟ ସରକାର ଏହାର ସଂରକ୍ଷଣ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ । ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଅନୁଗୁଳ ଯାଇ ଏହି ଘରର ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିବାପରେ ଯନ୍ତ୍ରୀ ଓ ସ୍ଥପତିମାନଙ୍କୁ ପଠାଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ଏହି ଘରର ସଂରକ୍ଷଣ ତ ଦୂରରକଥା ଘର ଛପର ବି କରାଯାଇ ପାରିଲାନାହିଁ । ଏ ପରିପ୍ରେକ୍ଷୀରେ ମାଳତୀଦେବୀ-ନବକୃଷ୍ଣ ଚୌଧୁରୀଙ୍କ ନାମରେ ଗଠିତ ଏକ ବେସରକାରୀ ଟ୍ରଷ୍ଟ ଘରର ମରାମତି ସହିତ ଛପର ମଧ୍ୟ କରିଥିଲା । ପୂର୍ବରୁ ବାଜିରାଉତ ଛାତ୍ରାବାସ ପୂର୍ବତନ ଛାତ୍ରମାନେ ବି ଏହାର ସଂରକ୍ଷଣ ପାଇଁ କିଛି କାମ କରିଛନ୍ତି ।
ନିକଟରେ ଅନୁଗୁଳ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ଐତିହ୍ୟ ଗୃହର ସଂରକ୍ଷଣ ସହିତ ଚୌଧୁରୀ ଦମ୍ପତ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଆସିଛନ୍ତି । ଚୌଧୁରୀ ପରିବାରର ବହ ବୋହୂ ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ରାଜ୍ୟ ସରକାର ରାଜ୍ୟବ୍ୟାପି ପାଳନ କରିବେ ବୋଲି ଗତ ଜାନୁଆରୀ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ଏଯାବତ୍ ସଂସ୍କୃତି ବିଭାଗ ଏ କ୍ଷେତ୍ରରେ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରିନାହିଁ । (ତଥ୍ୟ)