Home General ନବୀନଙ୍କ ସଂକ୍ରାନ୍ତରେ ଭୁଲ୍‍ ସୂଚନା

ନବୀନଙ୍କ ସଂକ୍ରାନ୍ତରେ ଭୁଲ୍‍ ସୂଚନା

ଭୁବନେଶ୍ୱର : ୱିକ୍‍ ପେଡିଆରେ ଉପଲବ୍ଧ ତ୍ରୁଟିପୂର୍ଣ୍ଣ ତଥ୍ୟ ଯୋଗୁଁ ରାଜ୍ୟ ଭିତର ଓ ବାହାରର ପାଠକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ସଂକ୍ରାନ୍ତରେ ବିଭ୍ରାନ୍ତିକର ସୂଚନା ପାଉଛନ୍ତି । ଏ ସଂକ୍ରାନ୍ତରେ ବାରମ୍ବାର ଉଲ୍ଲେଖ କରାଯିବା ସତ୍ୱେ ବି ତ୍ରୁଟି ସଂଶୋଧନ ହେଉନାହିଁ ।

ୱିକ୍‍ ପେଡିଆରୁ ଉପଲବ୍ଧ ତଥ୍ୟ ମୁତାବକ ନବୀନ ପଟ୍ଟନାୟକ ଆସ୍କା ଲୋକସଭା ଆସନରୁ ୧୯୯୭ ଏପ୍ରିଲ ୧୨ରୁ ୨୦୦୦ ମସିହା ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରୁଥିଲେ । ବିଜୁ ପଟ୍ଟନାୟକଙ୍କ ପରେ ସେ ଏହି ଆସନରୁ ଲୋକସଭା ସଦସ୍ୟ ହୋଇଥିଲେ ।

ସେହି ୱିକ୍‍ ପେଡିଆର ତଥ୍ୟ କହୁଛି ଯେ ବିଜୁ ବାବୁଙ୍କ ଦୀର୍ଘ ୫୧ବର୍ଷର ରାଜନୈତିକ ଜୀବନର ପରିସମାପ୍ତି ଘଟିଲା ୮୧ବର୍ଷ ବୟସରେ ୧୯୯୭ ଏପ୍ରିଲ୍‍ ୧୭ତାରିଖରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ହେବାରୁ ।

୧୯୪୬ ମସିହାରେ ବିଜୁ ବାବୁ ଓଡିଶା ବିଧାନସଭାର ସଦସ୍ୟଭାବେ ନିର୍ବାଚିତ ହେବା ପରଠାରୁ ଦୁଇ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ଥିଲେ । ସେ ଲୋକସଭା ଓ ରାଜ୍ୟସଭାର ମଧ୍ୟ ସଦସ୍ୟ ଥିଲେ । ୧୯୪୬ରୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ନିର୍ବାଚନୀ ରାଜନୀତିରେ ସକ୍ରିୟ ରହିବା ସଂଗେ ସଂଗେ ଦଳ ଓ ସରକାରର ନେତୃତ୍ୱ ନେଉଥିଲେ । ଆସିକା ଲୋକସଭା ଆସନର ସଦସ୍ୟ ଥିବାବେଳେ ବିଜୁ ବାବୁଙ୍କ ମୃତ୍ୟୁ ଘଟିଲା ଏବଂ ଏହାପରେ ହୋଇଥିବା ଉପନିର୍ବାଚନରେ ତାଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ଆସିକା ଲୋକସଭା ଉପନିର୍ବାଚନ ଜିଣି ୧୯୯୭ ଜୁନ୍‍ ମାସରେ ଜନତାଦଳର ସାଂସଦ ହୋଇଥିଲେ ।

ପରବର୍ତ୍ତୀ ସମୟରେ ସେ ପୁଣି ଆସିକାରୁ ନିର୍ବାଚିତ ହୋଇ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ବିଜୁ ବାବୁଙ୍କ ଅବର୍ତ୍ତମାନରେ ନବୀନ ବାବୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା ଏବଂ ସେହି ଦଳର ନେତା ହିସାବରେ ସେ ୨୦୦୦ ମାର୍ଚ୍ଚ ୫ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ଏଯାବତ୍‍ ୫ଥର ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିଛନ୍ତି ।

ତେବେ ୱିକ୍‍ପେଡିଆ ନବୀନ ବାବୁଙ୍କ ସାଂସଦ କାଳ ସମ୍ପର୍କରେ ଯେଉଁ ତଥ୍ୟ ରଖିଛି ତାହା ନିର୍ବାଚନ କମିଶନଙ୍କ ତଥ୍ୟ ସହ ମେଳ ଖାଉନାହିଁ । ୧୯୯୭ ଏପ୍ରିଲ ୧୭ରେ ବିଜୁ ବାବୁଙ୍କ ଦେହାନ୍ତ ହେବାରୁ ଆସିକା ଲୋକସଭା ଆସନ ଖାଲି ହୋଇଥିଲା ଏବଂ ପରେ ସେଠାରୁ ନବୀନ ବାବୁ ଉପନିର୍ବାଚନ ଲଢି ଜିଣିଥିଲେ । ଅଥଚ ୱିକ୍‍ପେଡିଆର ତଥ୍ୟ ମୁତାବକ ନବୀନ ବାବୁ ୧୯୯୭ ଏପ୍ରିଲ ୧୨ତାରିଖରୁ ଅର୍ଥାତ୍‍ ବିଜୁ ବାବୁଙ୍କ ମୃତ୍ୟୁର ୫ଦିନ ପୂର୍ବରୁ କିଭଳି ସାଂସଦ ହେଲେ ତାହା ତ୍ରୁଟିପୂର୍ଣ୍ଣ । ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଦେଶ ବିଦେଶର ଲୋକେ ତଥ୍ୟ ସଂଗହ କରୁଥିବାବେଳେ ଏହା ସେମାନଙ୍କୁ ଭ୍ରମରେ ପକାଉଥିବାରୁ ୱିକ୍‍ପେଡିଆ ଏହି ତ୍ରୁଟି ସଂଶୋଧନ କରିବାଲାଗି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)