Home Election ନବଙ୍କ ପରିବାରରୁ ପ୍ରାର୍ଥୀ ନିଶ୍ଚିତ

ନବଙ୍କ ପରିବାରରୁ ପ୍ରାର୍ଥୀ ନିଶ୍ଚିତ

ଭୁବନେଶ୍ୱର : ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିନଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ପରିବାରରୁ ଜଣେ କେହି ବିଜେଡି ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ।

ଅନ୍ୟପକ୍ଷରେ ନବ ଦାସଙ୍କ ବିୟୋଗ ପରେ ଯେଉଁ ଅନୁକମ୍ପା ହାୱା ବୋହୁଛି ଏବଂ ଉଭୟ କିଶୋର ମହାନ୍ତି ଓ ନବ ଦାସଙ୍କର ଝାରସୁଗୁଡାରେ ଥିବା ଦୃଢ ସଙ୍ଗଠନରୁ ବିଜେଡି ଫାଇଦା ଉଠାଇବା ସମ୍ଭାବନା ଅଧିକ । ନବ ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ୫୦ହଜାରରୁ ଅଧିକ ଲୋକ ଝାରସୁଗୁଡାରେ ସମବେତ ହେବା ଏବଂ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଯୋଗଦେଇଥିବା ପରିପ୍ରେକ୍ଷୀରେ ଉପ ନିର୍ବାଚନ ପାଇଁ ବିଜେଡି କର୍ମୀମାନଙ୍କ ଉତ୍ସାହ ଢେର ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି ।

ବିଜେପି ଓ କଂଗ୍ରେସ ପକ୍ଷରୁ ଏଠାରୁ କିଏ ପ୍ରାର୍ଥୀ ହେବ ସେ ସଂକ୍ରାନ୍ତରେ ଦୁଇଟିଯାକ ଜାତୀୟ ଦଳ ପକ୍ଷରୁ କୌଣସି ସୂଚନା ମିଳୁ ନଥିବାବେଳେ ଏହି ଦୁଇ ଦଳର ନେତାମାନେ କିନ୍ତୁ ଗଣମାଧ୍ୟମରେ ନବ ଦାସଙ୍କ ହତ୍ୟା ତଦନ୍ତ ପରିପ୍ରେକ୍ଷୀରେ ବିବୃତି ଯୁଦ୍ଧ ଚଳାଇଛନ୍ତି ।

ନବ ଦାସ ଜୀବିତ ଥିବାବେଳେ ତାଙ୍କ କନ୍ୟା ଦୀପଳିଙ୍କୁ ରାଜନୈତିକ କ୍ଷେତ୍ରରେ ବେଶ୍‍ ସକ୍ରିୟ କରି ରଖିଥିଲେ । ଗତ ୫ବର୍ଷ ଧରି ନବ ଦାସଙ୍କ ସହ ଓ ସ୍ୱତନ୍ତ୍ର ଭାବେ ଦୀପାଳି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛନ୍ତି । ଏମିତି କି ବ୍ରଜରାଜନଗର, ପଦ୍ମପୁର ଓ ବିଜେପୁର ଉପନିର୍ବାଚନରେ ମଧ୍ୟ ତାଙ୍କୁ ବିଜେଡିର ପ୍ରଚାର ମଇଦାନରେ ଦେଖିବାକୁ ମିଳୁଥିଲା ।

ଏହାଛଡା ସମଗ୍ର ଝାରସୁଗୁଡା ଜିଲ୍ଲାରେ ସେ ଗତ ୨ବର୍ଷ ମଧ୍ୟରେ ଅନ୍ୟୁନ ୨୦ଟି ମହିଳା ସମାବେଶରେ ଅଂଶଗ୍ରହଣ କରିଥିବା ଝାରସୁଗୁଡା ଦାୟିତ୍ୱରେ ଥିବା ବିଜେଡି ପର୍ଯ୍ୟବେକ୍ଷକମାନେ କହୁଛନ୍ତି । ଦୀପାଳି ଉଚ୍ଚଶିକ୍ଷିତା ଏବଂ ସଙ୍ଗଠନ, ସମାଜସେବା ଓ ରାଜନୀତି କ୍ଷେତ୍ରରେ ତାଙ୍କର ବେଶ୍‍ ରୁଚି ଥିବା ସହିତ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀମାନଙ୍କ ସହ ତାଙ୍କର ସମ୍ପର୍କ ବି ରହିଛି । ତେବେ ଶେଷ ମୂହୁର୍ତ୍ତରେ ଦୀପାଳିଙ୍କୁ ବିଜେଡି ଟିକେଟ ମିଳିବ କି ତାଙ୍କ ଭାଇ ଅଥବା ମା’ଙ୍କୁ ଦଳ ପ୍ରାର୍ଥୀ କରିବ ତାହା ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିଉପରେ ନିର୍ଭର କରେ ।

ଏଠାରେ ଉଲ୍ଲେଖନୀୟ ଯେ, ଝାରସୁଗୁଡା ଜିଲ୍ଲାର ଅନ୍ୟତମ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରକୁ ଏକଦା ବିଜେପି କବ୍‍ଜା କରିଥିଲା । କିନ୍ତୁ କିଶୋର ମହାନ୍ତିଙ୍କ ମୃତ୍ୟୁପରେ ସେଠାରେ ହୋଇଥିବା ଉପନିର୍ବାଚନରେ ବିଜେପି ତୃତୀୟ ସ୍ଥାନକୁ ଖସି ଯାଇଥିବାବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା ଏବଂ ୪ବର୍ଷ ଭିତରେ ହୋଇଥିବା ଉପନିର୍ବାଚନଗୁଡିକ ମଧ୍ୟରୁ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ସର୍ବାଧିକ ୬୦ହଜାରରୁ ଅଧିକ ଭୋଟ୍‍ ବ୍ୟବଧାନରେ ଜିଣିଥିଲା । ଝାରସୁଗୁଡା ଉପନିର୍ବାଚନରେ ଏହି ବ୍ୟବଧାନ ହାର ଅଧିକ ହୋଇପାରେ ବୋଲି ଦଳୀୟ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ।

୨୦୨୪ରେ ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଝାରସୁଗୁଡା ବିଧାନସଭା ଉପନିର୍ବାଚନର ଫଳାଫଳ ବିଶେଷ ଗୁରୁତ୍ୱ ବହନ କରେ । ପଶ୍ଚିମ ଓଡିଶାର ୬ଟି ଯାକ ଲୋକସଭା ଆସନ ୨୦୧୯ରେ ବିଜେପି କବ୍‍କା କରିଥିଲା । ଏଥି ମଧ୍ୟରେ ଝାରସୁଗୁଡା, ବ୍ରଜରାଜନଗର, ପଦ୍ମପୁର ଓ ବିଜେପୁର ବିଧାନସଭା କ୍ଷେତ୍ର ଆସୁଥିବା ବରଗଡ ଲୋକସଭା କ୍ଷେତ୍ର ବିଶେଷ ଚର୍ଚ୍ଚାରେ ରହିଛି ।

ଏହି ଗୋଟିଏ ଲୋକସଭା କ୍ଷେତ୍ର ଭିତରେ ୪ବର୍ଷ ମଧ୍ୟରେ ତିନୋଟି ବିଧାନସଭା ଆସନରେ ବିଜେଡି ଉପନିର୍ବାଚନ ଜିଣିଥିବାବେଳେ ଏବେ ଚତୁର୍ଥସ୍ଥାନ ଲାଗି ଉପନିର୍ବାଚନ ହେବାକୁ ଯାଉଛି । ଏହା ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦୁଇଦଳ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି । ଶତାଧିକ ଆସନ ଜିଣି ବିଜେପି ଓଡିଶାରେ କ୍ଷମତା ଦଖଲ କରିବ ବୋଲି କହୁଥିବାବେଳେ କଂଗ୍ରେସ ତାହାର ଆସନ ସଂଖ୍ୟା ୯ରୁ ୯୦କୁ ବଢାଇବ ଏବଂ ବିଜେଡି ୨୦୧୯ ତୁଳନାରେ ଅଧିକ ଆସନ ଜିଣି ନୂଆ ରେକର୍ଡ ସୃଷ୍ଟି କରିବ ବେଲି ମଧ୍ୟ ଆଶା ରଖିଛି ।
(ତଥ୍ୟ)