Home General ଜନପଥରେ ପାର୍କିଂ ପାଇଁ ହଟହଟା

ଜନପଥରେ ପାର୍କିଂ ପାଇଁ ହଟହଟା

ଭୁବନେଶ୍ୱର : ସ୍ମାର୍ଟ ଜନପଥର ପାର୍କିଂ ସ୍ଥଳ ଏବେ ବ୍ୟବସାୟୀଙ୍କ କବଳରେ । ଏଠାରେ ପାର୍କିଂସ୍ଥଳ ସଙ୍କୁଚିତ ହୋଇଥିବାବେଳେ ଯେତିକି ବି ସ୍ଥାନ ରହିଛି ସେଠାରେ ସାଧାରଣ ଲୋକଙ୍କ ପାଇଁ ଗାଡି ରଖିବାକୁ ସ୍ଥାନ ଟିକେ ମିଳୁନାହିଁ ।

ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଲମ୍ବିଛି ସ୍ମାର୍ଟ ଜନପଥ । ଦୁଇ ପାଶ୍ୱର୍ରେ ପାର୍କିଂ ପାଇଁ ସ୍ଥାନ ଛାଡିବା ସହିତ ଚଲାପଥ, ସାଇକେଲ ଟ୍ରାକ ଆଦି ରହିଛି । ଏଥି ସହିତ ରାସ୍ତାପାଶ୍ୱର୍ରେ ସ୍ମାର୍ଟ କିଓସ୍କୋ ତିଆରି ହୋଇଥିବା ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି ଯାହା ଉପରେ ରାଜଧାନୀବାସୀ ଅଧିକାଂଶ ଭାବେ ନିର୍ଭରଶୀଳ ।

ହେଲେ କପଡା ଠାରୁ ଆରମ୍ଭକରି ସୁନା, କାଠ, ଇଲେକଟ୍ରୋନିକ ଆଦି ସୋରୁମ୍‍ ଥିବା ଏହି ବ୍ୟବସାୟିକ କେନ୍ଦ୍ରକୁ କିନ୍ତୁ ଗ୍ରାହକମାନେ ଯିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦୁଇ ଚକିଆ ଯାନରେ ଗଲେ କୌଣସି ପ୍ରକାରେ ସ୍ଥାନ ଟିକେ ମିଳୁଥିଲେ ଚାରିଚକିଆ ଯାନରେ ଯାଉଥିବା ଲୋକେ କିନ୍ତୁ ହୀନସ୍ତା ହେଉଛନ୍ତି ।

ଏହିସବୁ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀମାନେ ପ୍ରଥମେ ଆସି ଖାଲିଥିବା ସ୍ଥାନରେ ସେମାନଙ୍କର ଚାରିଚକିଆ ଓ ଦୁଇଚକିଆ ଯାନ ରଖି ଦେଉଛନ୍ତି । ଏହିସବୁ ଗାଡିମୋଟରଗୁଡିକ ବିଳମ୍ବିତ ରାତ୍ରୀପର୍ଯ୍ୟନ୍ତ ସେଠାରେ ରହୁଛି । ବିଶେଷକରି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେଲାପରେ ନିଜ ନିଜ ଗାଡିମୋଟର ବାହାର କରୁଛନ୍ତି ।

ଯେହେତୁ ଏଠାରେ ବିଏମ୍‍ସିର ପାର୍କିଂ ବ୍ୟବସ୍ଥା ଅଛି ତେଣୁ ଏହି ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀମାନେ ସକାଳୁ ସକାଳୁ ଆସି ପାର୍କିଂ ଫି ଦେଇ ସେମାନଙ୍କ ଯାନବାହାନ ରଖି ଦେଉଛନ୍ତି । ହେଲେ ସାଧାରଣ ଗ୍ରାହକଟିଏ ସଞ୍ଜ ସମୟରେ ତ ଦୂରରକଥା ଖରାବେଳେ ଆସିଲେ ବି ସ୍ଥାନ ଟିକେ ପାଉନାହିଁ । ଅନେକ ଚାରିଚକିଆ ଆରୋହୀ ଗାଡି ରଖିବାକୁ ସ୍ଥାନଟିକେ ନପାଇ ବାଧ୍ୟହୋଇ ଘରକୁ ଫେରୁଛନ୍ତି । ଆଉ କିଛି ଲୋକ ପ୍ରାୟ ଏକ କିଲୋମିଟର ଦୂରରେ ଗାଡି ରଖି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ ଯାଉଛନ୍ତି ।

ସ୍ମାର୍ଟ ଜନପଥ ନିର୍ମାଣ କରିଥିବା ସ୍ମାର୍ଟସିଟି କର୍ତ୍ତୃପକ୍ଷ ବ୍ୟବସାୟ ପ୍ରତିଷ୍ଠାନ ନିକଟରେ ଗାଡିମୋଟର ଲୋକେ କିଭଳି ରଖିବେ ସେଥିପ୍ରତି ଧ୍ୟାନ ଦେଇନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ତେବେ ସ୍ମାର୍ଟ ଜନପଥର ଆଉ ଗୋଟିଏ ପାଶ୍ୱର୍ରେ ସ୍ଥାନ ଥିଲେ ମଧ୍ୟ ମଝିରେ ବାଉଁଶ ବାଡ ପଡିଥିବାରୁ ଲୋକେ ସେଠାରେ ଗାଡି ରଖି ରାସ୍ତାପାର ହୋଇ ପାରୁନାହାନ୍ତି ।

ତେବେ ବିଏମ୍‍ସି କର୍ତ୍ତୃପକ୍ଷ ସ୍ମାର୍ଟ ଜନପଥରୁ ପାର୍କିଂ ଫି ଆଦାୟ ପାଇଁ ଯେତିକି ତତ୍ପରତା ଦେଖାଉଛନ୍ତି ଅନୁରୂପ ତତ୍ପରତା କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଦେଖାଉନଥିବା ଅଭିଯୋଗ ହେଉଛି । ସ୍ମାର୍ଟ ଜନପଥରେ ଥିବା ମନ୍ଦିର ସାମ୍ନା ଠାରୁ ଆରମ୍ଭକରି ସମସ୍ତ ସ୍ଥାନରୁ ପାର୍କିଂ ଫି ଆଦାୟ ପାଇଁ ଏକାଧିକ ବ୍ୟକ୍ତି ନିୟୋଜିତ ହୋଇଥିବାବେଳେ ସାଧାରଣ ଲୋକେ କିଭଳି ଗାଡିମୋଟର ରଖାଯିବ ସେଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି । ଏପରିକି ସହରରେ ଦୁଇ ଦୁଇଟି ବହୁତଳୀୟ ପାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ସେଥିରୁ ସେଭଳି ସୁଫଳ ମିଳିବା ଲକ୍ଷ୍ୟ କରାଯାଉ ନାହିଁ । (ତଥ୍ୟ)