ଭୁବନେଶ୍ୱର : ନନ୍ଦନକାନନ ଚିଡିଆଖାନାରେ ଏବେ ୪୦୩୮ଟି ପଶୁପକ୍ଷୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୮୩୮ଟି ସ୍ତନ୍ୟପାୟୀ, ୩୧୭ସରୀସୃପ, ୧୮୬୨ ପକ୍ଷୀ ଓ ୨୧ଟି ଉଭୟଚର ପ୍ରାଣୀ ରହିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ଏଠାରେ ୨୬୦ଟି ବିଭିନ୍ନ ବର୍ଗର ପଶୁପକ୍ଷୀ ମୃତ୍ୟୁବରଣ କରିଛନ୍ତି ।
ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ନନ୍ଦନକାନନରେ ୨୬୦ଟି ପଶୁ ପକ୍ଷୀ ମୃତ୍ୟୁବରଣ କରିଥିବାବେଳେ ଏହାର ମୁଖ୍ୟ କାରଣ ହେଉଛି ନିଜ ନିଜ ଭିତରେ କଳହ, ବାର୍ଦ୍ଧକ୍ୟ, ରୋଗ ଓ ମାତୃ ଯତ୍ନ ନପାଇବା ଇତ୍ୟାଦି ।
ସେହିଭଳି ବିଗତ ତିନି ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅନ୍ୟ ସ୍ଥାନରୁ ୬୪ଟି ନୂତନ ପଶୁ ପକ୍ଷୀ ଆସିଛନ୍ତି । ନନ୍ଦନକାନନରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାପାଇଁ କାଞ୍ଜିଆ ହ୍ରଦ ଉପରେ ନୂଆ ରୋପୱେ ପ୍ରତିଷ୍ଠା ପାଇଁ ରାଜିନାମା ସ୍ୱାକ୍ଷରିତ କରିଥିବାବେଳେ ବ୍ୟାଟେରୀ ଚାଳିତ ଖେଳନା ରେଳଗାଡି ଚଳାଚଳ ହେଉଛି । ପରିଚାଳନାଗତ ଜ୍ଞାନକୌଶଳର ଆଦାନ ପ୍ରଦାନ ପାଇଁ ଜର୍ମାନର ଟାୟାପାର୍କ ସହ ନନ୍ଦନକାନନ ଚୁକ୍ତିବଦ୍ଧ ହୋଇଛି । (ତଥ୍ୟ)