Home News in Odia ନଦୀ ବନ୍ଧ ଜଗିଛନ୍ତି ମହିଳା ଯନ୍ତ୍ରୀ

ନଦୀ ବନ୍ଧ ଜଗିଛନ୍ତି ମହିଳା ଯନ୍ତ୍ରୀ

ଭୁବନେଶ୍ୱର : ବିଭାଗର ଅବହେଳାରୁ ବଡ ଧରଣର ବନ୍ୟା ବା ଘାଇ ନହୁଏ, ସେଥିପ୍ରତି ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଜଳ ସଂପଦ ବିଭାଗ ତରଫରୁ ଯନ୍ତ୍ରୀମାନେ ରାତ୍ରିକାଳୀନ ପାଟ୍ରୋଲିଂ କୁ ବ୍ୟାପକ କରିଛନ୍ତି । ମହିଳା ଯନ୍ତ୍ରୀମାନେ ବି ରାତିରେ ବନ୍ଧ ଜଗି ବସିଛନ୍ତି ।

ସୃଷ୍ଟି ହୋଇଥିବା ମଧ୍ୟମ ଧରଣର ବନ୍ୟା ପରିସ୍ଥିତିରେ ରାଜ୍ୟ ଜଳସଂପଦ ବିଭାଗ ସଜାଗ ରହି ଏହାର ମୁକାବିଲା କରୁଛି । ବିଶେଷ କରି ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରର ଜଳପତ୍ତନ ନିୟନ୍ତ୍ରଣାଧୀନ ରହିବା ଓ ନଦୀରେ ବିପଦ ସଂକେତ ସ୍ତରରୁ କମ୍ ଜଳ ପ୍ରବାହ ହେବା ନେଇ ବିଭାଗର କନିଷ୍ଟ ଯନ୍ତ୍ରୀଙ୍କ ଠାରୁ ଆରମ୍ବ କରି ବିଭାଗର ପ୍ରମୁଖ ଶାସନ ସଚିବ ତଥା ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ ରହି ପରିସ୍ଥିତିର ମୁକାବିଲା କରୁଛନ୍ତି ।

ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ସମସ୍ତ ଯନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରୁଛନ୍ତି । ଏପରିକି କ୍ଷେତ୍ର ସ୍ତରରେ କାର୍ଯ୍ୟକରୁଥିବା ମହିଳା ଯନ୍ତ୍ରୀମାନେ ମଧ୍ୟ ରାତି ଡ୍ୟୁଟି କରି ତଦାରଖ, ବନ୍ଧ ନିରାପତ୍ତା, ଜଳ ପତନ ସ୍ତର ସ୍ଥିିତି ସଂପର୍କରେ ସଜାଗ ଦୃଷ୍ଟି ରଖି ନିୟମିତ ସୂଚନା ପ୍ରଦାନ କରିଆସୁଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଜଳ ସଂପଦ ବିଭାଗର ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି ।

ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପ୍ରତିଦିନ ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି, ବନ୍ଧ ନିରାପତ୍ତା, ନଦୀରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି ସଂପର୍କରେ ନିୟମିତ ସମୀକ୍ଷା କରିବା ସହି ଜଗତସିଂହପୁର, ଯାଜପୁର, ବାଲେଶ୍ୱର, କଟକ କେନ୍ଦ୍ରାପଡା ଜିଲ୍ଲା ଆଦି ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ତଥା ଜଳ ସଂପଦ ବିଭାଗ ତରଫରୁ ବନ୍ୟ ପରବର୍ତ୍ତୀ ବ୍ୟବସ୍ଥା ତଦାରଖ କରିବାକୁ ଯାଇଥିବା ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଙ୍କ ସହିତ କଥା ହୋଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।