Home Environment ନଦୀ ଜଳ ବିଷାକ୍ତ କରୁଛି ସହରୀ ବର୍ଜ୍ୟ

ନଦୀ ଜଳ ବିଷାକ୍ତ କରୁଛି ସହରୀ ବର୍ଜ୍ୟ

ଭୁବନେଶ୍ୱର : ସହରାଞ୍ଚଳର ବର୍ଜ୍ୟ ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡିକୁ ପ୍ରଦୂଷିତ ହେବାରେ ଲାଗିଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ଅନେକ ସ୍ଥାନରେ ନଦୀଜଳ ପିଇବା ଅବସ୍ଥାରେ ନାହିଁ । ଯେଉଁଠାରେ ଜଳ ବ୍ୟବହାର ଯୋଗ୍ୟ ତାହାକୁ ବିଶୋଧନ କରିବାକୁ ପରାମର୍ଶ ଦିଆଯାଉଛି ।

ନଦୀଜଳର ମାନ ପରୀକ୍ଷା ପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ୯ଟି ନଦୀର ଜଳକୁ ପରୀକ୍ଷା କରୁଛନ୍ତି । ଏହିସବୁ ନଦୀ ମଧ୍ୟରେ ରହିଛି ଋଷିକୂଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, କୋଲାବ, ବଂଶଧାରା, ଇନ୍ଦ୍ରାବତୀ ଏବଂ ବାହୁଦା । ଏହିସବୁ ନଦୀର ୧୨୯ଟି ସ୍ଥାନରେ ନିୟମିତ ବ୍ୟବଧାନରେ ଜଳ ପରୀକ୍ଷା ହେଉଛି ।

ହେଲେ ସଦ୍ୟ ପରୀକ୍ଷାରୁ ଜଣାପଡିଛି ଯେ ୧୨୯ରୁ ୧୧୩ ସ୍ଥାନରେ ନଦୀର ଦଳ ସଂକ୍ରମିତ । ପାରମ୍ପରିକ ପଦ୍ଧତିରେ ତାହାକୁ ବିଶୋଧନ କରି ବ୍ୟବହାର କରାଯାଇ ପାରିବ । ଯେମିତିକି ପାଣିକୁ ଫୁଟାଇ, ଛାଣି କରି ଲୋକେ ବ୍ୟବହାର କରିପାରିବେ । ହେଲେ ୧୬ଟି ସ୍ଥାନୀରେ ନଦୀର ଜଳ ଏହି ମାନ ମଧ୍ୟରେ ରହୁନଥିନାରୁ ତାହାକୁ ବ୍ୟବହାର କରିବା ବିପଦଜନକ ହୋଇଛି । ଏହି ୧୬ଟି ସ୍ଥାନ ମଧ୍ୟରୁ କେବଳ ମହାନଦୀରେ ୧୩ଟି ସ୍ଥାନ ରହିଛି । ବ୍ରାହ୍ମଣୀ ନଦୀରେ ରହିଛି ତିନିଟି ସ୍ଥାନ ।

ତେବେ ଏହିସବୁ ନଦୀ ପ୍ରଦୂଷଣର କାରଣ ମୁଖତଃ ନଦୀ କୂଳରେ ଥିବା ସହର ଓ ଶିଳ୍ପ । ରାଜ୍ୟର ବିଭିନ୍ନ ସହରାଞ୍ଚଳକୁ ବାହାରୁଥିବା ବର୍ଜ୍ୟକୁ ଯେଉଁ ହାରରେ ବିଶୋଧନ କରାଯିବା କଥା ଅନେକ ସ୍ଥାନରେ ତାହା ହେଉନାହିଁ । ବିଶେଷକରି ସହରାଞ୍ଚଳକୁ ବାହାରୁଥିବା ତରଳ ବର୍ଜ୍ୟକୁ କେତେକ ସ୍ଥାନରେ ସିଧାସଳଖ ଭାବେ ନଦୀଜଳରେ ଛାଡି ଦିଆଯାଉଛି । ଏହାଛଡା କଠିନ ବର୍ଜ୍ୟ ମଧ୍ୟରେ ନଦୀ ଜଳରେ ମିଶୁଛି ।

ସେହିଭଳି ନଦୀ କୂଳେ କୂଳେ ଥିବା କଳ କାରଖାନା ମଧ୍ୟ ଜଳ ପ୍ରଦୂଷଣର ଅନ୍ୟତମ କାରଣ ହୋଇଛନ୍ତି । ବିଭିନ୍ନ ତାଜପ କେନ୍ଦ୍ରରୁ ବାହାରୁଥିବା ପାଉଁଶ ଓ ଅନ୍ୟାନ୍ୟ ବର୍ଜ୍ୟକୁ ଲୁଚାଛପାରେ ନଦୀକୁ ଛାଡି ଦିଆଯାଉଛି । ଏହିସବୁ ଶିଳ୍ପସଂସ୍ଥାମାନେ ନିଜର ଜଳ ଆବଶ୍ୟକତା ମେଣ୍ଟାଇବାପାଇଁ ନଦୀରୁ ଜଳ ନେଇ ତାହାକୁ ଶୁଖାଇ ଦେଉଥିବାବେଳେ ସେଥିରେ ନିଜ ନିଜ ବର୍ଜ୍ୟକୁ ଛାଡି ଦେଉଛନ୍ତି ।

ସହରାଞ୍ଚଳର ବର୍ଜ୍ୟ ଯୋଗୁଁ ମହାନଦୀ ଭଳି ରାଜ୍ୟର ପ୍ରମୁଖ ନଦୀଗୁଡିକ ପ୍ରଦୂଷିତ ହେବା ଜଣାପଡିବା ପରେ ସରକାର ପୌର କର୍ତ୍ତୃପକ୍ଷଙ୍କୁ ଏ ନେଇ ନିୟମିତ ଭାବେ ତାଗିଦା କରୁଛନ୍ତି । ହେଲେ ବର୍ଜ୍ୟ ବିଘଟନ ଠିକଣା ଭାବେ ହେଉନଥିବାରୁ ଅନେକ ପୌରସଂସ୍ଥାର ଅନିଚ୍ଛା ସତ୍ୱେ ବର୍ଜ୍ୟ ନଦୀ ଜଳରେ ମିଶି ତାହାକୁ ବିଷାକ୍ତ କରିବାରେ ଲାଗିଛି । ଏଥି ସହିତ ଚାଷବାସରେ ବ୍ୟବହୃତ ବ୍ୟାପକ କୀଟନାଶକ, ସାର ଆଦି ନଦୀଜଳକୁ ବିଷାକ୍ତ ବି କରିବାରେ ଲାଗିଛି । (ତଥ୍ୟ)