Home Environment ନଦୀକୁ ପ୍ରଦୂଷିତ କରୁଛି ସହରାଞ୍ଚଳ ବର୍ଜ୍ୟ

ନଦୀକୁ ପ୍ରଦୂଷିତ କରୁଛି ସହରାଞ୍ଚଳ ବର୍ଜ୍ୟ

ଭୁବନେଶ୍ୱର : ନଦୀଜଳ ପ୍ରଦୂଷଣ ମୁଖ୍ୟ କାରଣ ହେଉଛି ସହରାଞ୍ଚଳର ବର୍ଜ୍ୟ । ଏଥିଯୋଗୁଁ ୧୧ଟି ପ୍ରମୁଖ ନଦୀର ଜଳ ଏବେ ସିଧାସଳଖ ପାନୀୟ ଉପଯୋଗୀ ନୁହେଁ ।

ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ନଦୀଜଳ ପ୍ରଦୂଷଣ ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୧୧ଟି ନଦୀ ସମୂହ ଯଥା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, କୋଲାବ, ବଂଶଧାରା, ଇନ୍ଦ୍ରାବତୀ ଓ ବାହୁଡା ଆଦି ପ୍ରଭାବିତ ହେଉଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ୧୨୯ ଟି ସ୍ଥାନରେ ପ୍ରତି ମାସରେ ଏହି ନଦୀର ଜଳକୁ ପରୀକ୍ଷା କରାଯାଇଥାଏ ।

ଗତବର୍ଷ ଜାନୁଆରୀରୁ ଡିସେମ୍ବର ମାସ ମଧ୍ୟରେ ହୋଇଥିବା ପରୀକ୍ଷଣରୁ ଜଣାଯାଇଛି ଯେ ମୋଟ୍‍ ୧୨୯ଟି ସ୍ଥାନ ମଧ୍ୟରୁ ୧୧୩ଟି ସ୍ଥାନରେ ନଦୀଜଳ ‘ଗ’ ଶ୍ରେଣୀରେ ରହିଛି । ଅର୍ଥାତ୍‍ ଏହିସବୁ ସ୍ଥାନର ନଦୀଜଳକୁ ପାରମ୍ପରିକ ପଦ୍ଧତିରେ ବିଶୋଧନ କରି ପାନୀୟଜଳ ଭାବେ ବ୍ୟବହାର କରାଯାଇ ପାରିବ । ତେବେ ଅବଶିଷ୍ଟ ୧୬ଟି ସ୍ଥାନୀୟ ନଦୀଜଳର ମାନ ଉଦ୍ଦିଷ୍ଟ ମାନ ମଧ୍ୟରେ ରହୁନାହିଁ । ଅର୍ଥାତ୍‍ ଏହିସବୁ ସ୍ଥାନରେ ନଦୀଜଳକୁ ପାରମ୍ପରିକ ଭାବେ ବିଶୋଧନ କରି ମଧ୍ୟ ବ୍ୟବହାର ହୋଇପାରିବ ନାହିଁ ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଦୂଷିତ ସ୍ଥାନଗୁଡିକରେ ନଦୀ ଜଳ ପ୍ରଦୂଷଣ ମୁଖ୍ୟତଃ ସହରାଞ୍ଚଳ ବର୍ଜ୍ୟ ଜଳ ନିଷ୍କାସନ ତଥା ନଦୀ ଜଳର ଇନ-ଷ୍ଟ୍ରିମ ବ୍ୟବହାର ଯୋଗୁଁ ଘଟୁଥିବା ଆକଳନ କରାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନଦୀ ଜଳର ପ୍ରଦୂଷଣ ସଂକ୍ରାନ୍ତରେ କ୍ରମାଗତ ଭାବେ ସମ୍ପୃକ୍ତ ପୌରାଞ୍ଚଳ ଅଧିକାରୀମାନଙ୍କୁ ଅବଗତ କରାଇ ନଦୀଜଳର ପ୍ରଦୂଷଣ ନିରାକରଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି । ଏଥି ସହିତ ସମ୍ପୃକ୍ତ ଜିଲ୍ଲା ଅଧିକାରୀ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ, ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ, ରାଜ୍ୟ ଜଳ ଯୋଗାଣ ଓ ପରିମଳ ବୋର୍ଡକୁ ମଧ୍ୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଛି ।

ସେହିଭଳି ଦୟା ଓ ଗଙ୍ଗୁଆ ନଦୀଜଳ ପ୍ରଦୂଷଣ ସଂକ୍ରାନ୍ତରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଉଳ୍ଲେଖ କରିଛନ୍ତି ଯେ ଏହି ଦୁଇଟିର ପ୍ରଦୂଷଣ ସଂକ୍ରାନ୍ତରେ ସରକାର ଅବଗତ ଅଛନ୍ତି । ଦୟା ନଦୀ ଓ ଗଙ୍ଗୁଆ ନାଳ ଜଳର ପ୍ରଦୂଷଣ ମୁଖ୍ୟତଃ ଭୁବନେଶ୍ୱର ସହରାଞ୍ଚଳରୁ ନିର୍ଗତ ନର୍ଦ୍ଦମାଜଳ ଦ୍ୱାରା ହେଉଛି ।

ରାଜ୍ୟର କେବଳ ୫ଟି ସହର ଭୁବନେଶ୍ୱର, ପୁରୀ, କଟକ, ସମ୍ବଲପୁର ଓ ରାଉରକେଲାରେ ଘରୋଇ ବର୍ଜ୍ୟଜଳ ପରିଚାଳନା ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ କରାଯାଉଛି । ନିର୍ଗତ ତଳର ବର୍ଜ୍ୟବସ୍ତୁର ବିଶୁଦ୍ଧିକରଣ ଫିକଲ ସ୍ଲଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ହେଉଛି । ଜଳ ବିଶୋଧନ ପାଇଁ ଜୀବାଣୁ ନାଶକ ପଦାର୍ଥ ଭାବୋର ପ୍ରତିଦିନ ଲିଟର ପ୍ରତି ୫ମିଲିଗ୍ରାମ ଅନୁପାତରେ କ୍ଲୋରିନ୍‍ ଗ୍ୟାସର ବ୍ୟବହାର କରାଯାଉଛି । (ତଥ୍ୟ)