Home Administration ନଥିର ଗତି ଧିମା

ନଥିର ଗତି ଧିମା

ଭୁବନେଶ୍ୱର : ନାଲିଫିତା ସାହି ପ୍ରଶାସନିକ ବ୍ୟବସ୍ଥାର ଅନ୍ତ ଘଟାଇ ସରକାରୀକଳକୁ ଗତିଶୀଳ କରାଇବା ଲାଗି ବିଜେପି ପକ୍ଷରୁ ବାରମ୍ବାର କୁହାଯାଇ ଆସୁଥିବାବେଳେ ଏବେ ୪୦ଦିନର ନୂଆ ସରକାରରେ କିନ୍ତୁ ବ୍ୟବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ସ୍ଥାଣୁତା ବଢିଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ତେବେ ଏହି ସମସ୍ୟାର ତ୍ୱରିତ ସମାଧାନ ଉପରେ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଛନ୍ତି ।

ନୂଆ ମନ୍ତ୍ରୀମଣ୍ଡଳ ଜୁନ୍‍ ୧୨ତାରିଖରେ ଗଢାଯିବା ପୂର୍ବରୁ ଜୁନ୍‍ ୪ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଥିଲା । ଏହା ପରଠାରୁ ସରକାରୀ ନଥିର ଗତି ରାଜ୍ୟ ସଚିବାଳୟରେ ଏକ ପ୍ରକାର ଧିମା ପଡିଯାଇଥିଲା । ତାହା ପୂର୍ବରୁ ନିର୍ବାଚନୀ କଟକଣା ଯୋଗୁଁ ଅନେକ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ନଥି ସରକାରଙ୍କ ଚୂଡାନ୍ତ ଆଦେଶ ପାଇଁ ଗଦାହୋଇ ରହିଛି ।

ରାଜ୍ୟ ସଚିବାଳୟର ବହୁ ଅଧିକାରୀ କହୁଛନ୍ତି ଯେ ନୂଆ ସରକାର ଗଢାଯିବା ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଲାଗି ଓସ୍ୱାସ ପାଶ୍‍ୱାର୍ଡ ବ୍ୟବସ୍ଥା ଏବଂ ମନ୍ତ୍ରୀମାନଙ୍କ ଦପ୍ତର ଲାଗି ଅଧିକାରୀ ଓ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ସ୍ୱାଭାବିକ ଭାବରେ ସାମାନ୍ୟ ବିଳମ୍ବ ହୋଇଥାଏ । ଏହି ସମୟରେ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ନଥିକୁ ଛାଡିଦେଲେ ଅନ୍ୟଗୁଡିକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇ ନଥାଏ । କେବଳ ସେତିକି ନୁହେଁ, ରାଜ୍ୟରେ ସରକାର ବଦଳିବା ସହ ସଚିବାଳୟରେ ସଚିବ ବଦଳିବା ପରମ୍ପରା ଥିବା ଦୃଷ୍ଟିରୁ ଅନେକ ସଚିବ ମଧ୍ୟ ଏ ସଂକ୍ରାନ୍ତୀୟ ପ୍ରଶାସନିକ ନିଷ୍ପତ୍ତିକୁ ଅପେକ୍ଷାକରି ରହିଥାନ୍ତି ।

ସରକାରୀ ସୂତ୍ରରୁ ଜଣାପଡିଛି ଯେ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ଲାଗି ଓସ୍ୱାସ ପାଶ୍‍ୱାର୍ଡ ଦିଆଯାଇଛି । ତେବେ କେତେକ କ୍ଷେତ୍ରରେ ମନ୍ତ୍ରୀମାନଙ୍କ ଦପ୍ତରରେ ନୂଆ ଅଧିକାରୀମାନେ ଯୋଗ ଦେଇଥିବାରୁ ସେମାନେ ଏହି ବ୍ୟବସ୍ଥା ସହ ଖାପ ଖୁଆଇବାପାଇଁ କିଛି ସମୟ ଲାଗିଯିବାରୁ ନଥିପତ୍ରଗୁଡିକରେ ସରକାରୀ ନିର୍ଦ୍ଦେଶ ଆଣିବା କ୍ଷେତ୍ରରେ ଅବଶ୍ୟ ସାମାନ୍ୟ ବିଳମ୍ବ ହୋଇଛି । ଏବେ ନଥିଗୁଡିକର ତ୍ୱରିତ ଫଏସଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ସବୁ ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ।

ଅନ୍ୟ ପକ୍ଷରେ ଆଉ କିଛି ସରକାରୀ ଅଧିକାରୀ କହୁଛନ୍ତି ଯେ ସରକାରୀ ଆଦେଶ ପାଇବା କ୍ଷେତ୍ରରେ ବିଳମ୍ବ ଯୋଗୁଁ ଅଦାଲତ ଅବମାନନା ମାମଲାଗୁଡିକରେ ସରକାରଙ୍କୁ ହରଡଘଣାରେ ପଡିବାକୁ ହେଉଛି । ବହୁ କ୍ଷେତ୍ରରେ ସୁପ୍ରିମ୍‍କୋର୍ଟ, ହାଇକୋର୍ଟ ଆଦି ସେମାନଙ୍କ ରାୟର ଅନୁପାଳନ ଲାଗି ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ କରିଥାନ୍ତି । ଏହି ସମୟ ମଧ୍ୟରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭକରି ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ, ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତ ସମନ ପଠାଇ ହାଜର ହେବାକୁ ନିର୍ଦ୍ଦେଶ ଦେଉଛନ୍ତି । ତେଣୁ ଅନ୍ତତଃପକ୍ଷେ ଆଇନ୍‍ ଅଦାଲତର ନିର୍ଦ୍ଦେଶ ପାଳନ ସଂକ୍ରାନ୍ତୀୟ ନଥିଗୁଡିକରେ ଅଗ୍ରାଧିକାର ଭିତ୍ତିରେ ନିଷ୍ପତ୍ତି ନିଆନଗଲେ ସରକାର ଅପ୍ରସ୍ତୁତ ଓ ଅପଦସ୍ତ ହେବା ନିଶ୍ଚିତ ।

ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସରକାରୀ ନଥିଗୁଡିକରେ ତ୍ୱରିତ ନିଷ୍ପତ୍ତି ପାଇଁ ବାରମ୍ବାର ମତପୋଷଣ କରିଆସୁଛନ୍ତି । ଯେଉଁ କ୍ଷେତ୍ରରେ କିଛି ସମସ୍ୟା ରହୁଛି ସେଠାରେ ତଳକୁ ନଥି ନଫେରାଇ ତୁରନ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଡାକି ଆଲୋଚନା ମାଧ୍ୟମରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ଘେନି ବହୁ ଅଧିକାରୀ ମତ ଦେଉଛନ୍ତି । ନଥିଗୁଡିକ ଚୂଡାନ୍ତ ନିଷ୍ପତ୍ତି ଅପେକ୍ଷାରେ ପଡି ରହୁଥିବାବେଳେ ମାସ ମାସ ଧରି ଏ ସଂକ୍ରାନ୍ତରେ ବୁଝିବା ଲାଗି ବହୁ ଲୋକ ବିଭିନ୍ନ ମାଧ୍ୟମରେ ସଚିବାଳୟ ଦଉଡି ଅଯଥାରେ ଖର୍ଚ୍ଚାନ୍ତ ହେବା ସହ ଭିଡ ଜମାଉଛନ୍ତି । ଜନସାଧାରଣଙ୍କ ଅଭିଯୋଗର ତୁରନ୍ତ ଶୁଣାଣି ଓ ଫଏସଲା ଉପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଇ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଚଳ ଚଞ୍ଚଳ କରିଥିବାବେଳେ ନଥିଗୁଡିକରେ ବିଳମ୍ବିତ ନିଷ୍ପତ୍ତି ଯୋଗୁଁ ଅଭିଯୋଗ ଫଏସଲା ତୁରନ୍ତ ହୋଇପାରୁ ନାହିଁ । (ତଥ୍ୟ)