Home Environment ନଡା ନିଆଁରେ ବାୟୁ ମଣ୍ଡଳ ପ୍ରଦୂଷିତ

ନଡା ନିଆଁରେ ବାୟୁ ମଣ୍ଡଳ ପ୍ରଦୂଷିତ

ଭୁବନେଶ୍ୱର : ଓଡିଶାରେ ବାୟୁ ପ୍ରଦୂଷଣ ଅତି ଖରାପ ସ୍ତରକୁ ଯାଇଥିବାବେଳେ ଏହାର ପ୍ରତିକାର ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ । ବିଶେଷକରି କମ୍ପାଇନଡ୍‍ ହାର୍ଭେଷ୍ଟର (ଧାନ କଟା ଯନ୍ତ୍ର)ରେ ବିଲରେ ଧାନ ଅମଳ ସହଜରେ ଓ ଶସ୍ତାରେ ହେଉଥିବାରୁ ଚାଷୀମାନେ ଧାନ ଆଣି ପରିତ୍ୟକ୍ତ ନଡାରେ ନିଆଁ ଲଗାଇ ଦେବାରୁ ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି ।

ଉତ୍ତରପ୍ରଦେଶ, ହରିଆନା, ପଞ୍ଜାବ ଭଳି ରାଜ୍ୟରେ ଏହିଭଳି ଧାନ ଓ ଗହମ ଉତ୍ପାଦନ ପରେ ଚାଷୀମାନେ ବିଲରେ ନିଆଁ ଲଗାଇଦେବା କାରଣରୁ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ମଧ୍ୟ ବର୍ଷ ବର୍ଷ ଧରି ପ୍ରଦୂଷିତ ହୋଇଆସୁଛି । ଏଥିଘେନି ସୁପ୍ରିମକୋର୍ଟ ବାରମ୍ବାର ତାଗିଦା କରିବା ସତ୍ୱେ ବି ପରିସ୍ଥିତିରେ ସୁଧାର ଆସୁନାହିଁ ।

ଆଗେ ଗାଁ ଗହଳରେ ସଂଖ୍ୟାଧିକ ଘର ଚାଳଛପର ଥିଲା । ତେଣୁ ନଡା ଉପରେ ବେଶ୍‍ ଚାହିଦା ରହୁଥିଲା । ଏହାଛଡା ଘରେ ଘରେ ବଳଦ ଗାଈ ଇତ୍ୟାଦି ରହୁଥିବାରୁ ସେମାନଙ୍କ ପାଇଁ କୁଟା ଦରକାର ହେଉଥିଲା । ତେଣୁ ଧାନକାଟିବା ସହ ଚାଷୀମାନେ ନଡା ସଂଗ୍ରହ କରୁଥିଲେ ଏବଂ ଧାନ ବେଙ୍ଗଳା ପକାଇ କୁଟା ଗଦାମାଡି ରଖୁଥିଲେ । ଏହାଛଡା ଧାନ ସଂରକ୍ଷଣ ପାଇଁ କୁଟାରେ ଓଳିଆ ତିଆରି ହେଉଥିଲା ।

ଏବେ କିନ୍ତୁ ଗାଁ ଗହଳରେ ବି ପ୍ରାୟ ଚାଳଘର ଦେଖିବାକୁ ମିଳୁନାହିଁ । କୃଷି ଶ୍ରମିକ ଖଟାଇବାରେ ଅଧିକ ଖର୍ଚ୍ଚ ହେଉଥିବାରୁ କୃଷକମାନେ ଯାନ୍ତ୍ରିକ କୃଷିକୁ ଆପଣାଇ ଟ୍ରାକ୍ଟରରେ ବିଲ ହଳ କରିବାଠାରୁ ଆରମ୍ଭକରି କମ୍ପାଇନଡ୍‍ ହାର୍ଭେଷ୍ଟରରେ ବିଲରେ ଧାନ ଅମଳ କରି ନେଇ ଆସୁଛନ୍ତି ଏବଂ ତାହାକୁ ଅଖାରେ ଭର୍ତ୍ତିକରି ବିକ୍ରିପାଇଁ ମଣ୍ଡିକୁ ନେଉଛନ୍ତି । ଫଳରେ ନଡା ଓ କୁଟାର ଚାହିଦା କମିଯାଉଛି ।

କୃଷକମାନେ କହୁଛନ୍ତି ଯେ ନଡା ଉପଯୋଗ କରି କେବଳ ଛତୁଚାଷ କରିହେଉଛି । କିନ୍ତୁ ବିଲରେ ପଡି ରହୁଥିବା ନଡା, କୁଟା ଆଦିକୁ କମ୍ପୋଷ୍ଟ ଖତରେ ପରିଣତ କରିବାକୁ କିଛି ବ୍ୟବସ୍ଥା ନାହିଁ । ତେଣୁ ଜମି ଚାଷ କରିବା ପୂର୍ବରୁ ବିଲରେ ହିଁ ନଡା କୁଟା ଆଦିକୁ ଚାଷୀମାନେ ଜାଳିବାକୁ ବାଧ୍ୟ ହେଉଛନ୍ତି ।

ବିଲରେ ନଡା ଜଳାଯିବା ଫଳରେ ଚାଷଜମିର ଉର୍ବରତା ହ୍ରାସପାଉଛି । ଜିଆ ଭଳି ଯେଉଁ ଆମିଓବାମାନେ ପ୍ରାକୃତିକ ଉପାୟରେ ମାଟିକୁ ତଳ ଉପର କରି ଉର୍ବର କରୁଥିଲେ ସେମାନଙ୍କ ବଂଶ ବୁଡିଯାଉଛି । ଏଣେ ଗାଈ ବଳଦଙ୍କ ସଂଖ୍ୟା କମୁଥିବାରୁ ଚାଷଜମିପାଇଁ ପର୍ଯ୍ୟାପ୍ତ ପରିମାଣର ଗୋବରଖତ ମିଳୁନାହିଁ । ଫଳରେ ରସାୟନିକ ସାର ଓ କୀଟନାଶକକୁ ଭରସା କରି ଚାଷକାର୍ଯ୍ୟ ଚାଲୁଛି ।

ଓଡିଶାରେ ଚାଷୀମାନେ ଅଧିକ ପରିମାଣର ଧାନଚାଷ କରୁଛନ୍ତି । କିନ୍ତୁ ଆଳୁ,ପିଆଜ, ଅଦା ଭଳି ମସଲା ଜାତୀୟ ପନିପରିବା ଓ ଆଖୁ, ଡାଲି, ତୈଳବୀଜ ଭଳି ଅର୍ଥକରୀ ଫସଲ ଅଧିକ ପରିମାଣରେ ରାଜ୍ୟରେ ଚାଷ କରାଯାଉନାହିଁ । ଏଥିଲାଗି ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।ପ୍ରତି ଗାଁରେ ଯଦି ଚାଷ ଜମିଗୁଡିକର ଠିକଣା ସର୍ଭେ କରାଯାଇ କେଉଁ ଜମିରେ କେଉଁ କିସମର ଅର୍ଥକରୀ ଫସଲ ଅଧିକ ପରିମାଣରେ ଫଳାଯ।।ଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କଲେ ରାଜ୍ୟର ଅର୍ଥନୀତି ବିକଶିତ ହେବା ସହିତ ଲୋକଙ୍କ ଆର୍ଥିକ ସମସ୍ୟା ବି ମେଣ୍ଟିପାରନ୍ତା ଏବଂ ଏଥିଯୋଗୁଁ ନଡାପୋଡି ସମସ୍ୟା ବନ୍ଦହୋଇ ବାୟୁ ପ୍ରଦୂଷଣର ଅନ୍ୟତମ ଉତ୍ସକୁ ରୋକାଯାଇ ପାରନ୍ତା ବୋଲି କୃଷି ବିଶେଷଜ୍ଞ ଓ ପରିବେଶବିଜ୍ଞାନୀମାନେ କହୁଛନ୍ତି । (ତଥ୍ୟ)