Home Covid ନଜଗିଲେ କରୋନା ସ୍ଥିତି ବିଗିଡିବ

ନଜଗିଲେ କରୋନା ସ୍ଥିତି ବିଗିଡିବ

ଭୁବନେଶ୍ୱର : କରୋନା ଯେଭଳି ପୁଣିଥରେ କଡ ଲେଉଟାଉଛି ସେଥିପ୍ରତି ଏବେଠାରୁ ସତର୍କ ନରହିଲେ ଭବିଷ୍ୟତରେ ଅନେକ ସମସ୍ୟା ଉପୁଜିପାରେ ବୋଲି ଏହି ରୋଗର ଗବେଷଣା ସହିତ ଆର୍ନ୍ତଜାତିକ ସ୍ତରରେ ଜଡିତ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଭାରତରେ କୋଭିଡ-୧୯ ର ପ୍ରଥମ ସଂକ୍ରମଣ ୨୦୨୦ ଜାନୁୟାରୀ ୩ କେରଳରେ ଜଣାପଡିଥିଲା । ଏହାପରେ ଓଡିଶାରେ ସେହିବର୍ଷ ମାର୍ଚ୍ଚ ୧୬ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନିତ ହୋଇଥିଲେ । ଲକଡାଉନ୍‍, ସଟ୍‍ଡାଉନ୍‍ ଭଳି ବ୍ୟାପକ ପ୍ରତିଷେଧାତ୍ମକ ବ୍ୟବସ୍ଥା ସତ୍ୱେ କରୋନାରେ ସେତେବେଳେ ଦେଶରେ ସାଢେ ୪କୋଟିରୁ ଅଧିକ ଲୋକ ସଂକ୍ରମିତ ହେବା ସହିତ ପାଖାପାଖି ସାଢେ ୫ଲକ୍ଷ ଲୋକଙ୍କର ଜୀବନ ଯାଇଥିଲା । ଓଡିଶାରେ ବି ୧୦ଲକ୍ଷରୁ ଅଧିକ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବାବେଳେ ସରକାରୀ ଭାବେ ଏହି ରୋଗରେ ମୃତ୍ୟୁସଂଖ୍ୟା ୭ହଜାରରୁ ଅଧିକ ବୋଲି କୁହାଯାଇଥିଲା ।

ସେ ସମୟରେ ଭାରତରେ ୧୦୨ କୋଟି ଲୋକଙ୍କୁ କରୋନା ପ୍ରତିଷେଧକ ଟୀକା ଦିଆଯାଇଥିଲା । ବସ୍ତୁତଃ ଏହି ଟୀକା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏଥିଲାଗି ଅନେକ ବ୍ୟକ୍ତି ବୁଷ୍ଟର ଡୋଜ୍‍ ସହିତ ୩ପାନ ଟୀକା ନେଇଥିଲେ । ଭାରତ ସରକାର ବିଭିନ୍ନ ରାଜ୍ୟକୁ ସେ ସମୟରେ ମାଗଣାରେ ଟୀକା ଯୋଗାଇଥିଲେ ।

ଚୀନ୍‍ରୁ ବ୍ୟାପିଥିବା କୋଭିଡ-୧୯ ଭୌଗଳିକ ସୀମା ସରହଦ ନମାନି ସମଗ୍ର ବିଶ୍ୱକୁ ଥରହର କରିଥିଲା । ସେତେବେଳେ ବିଦେଶରେ ବୈଜ୍ଞାନିକମାନେ ଯେଉଁ ଟୀକା ବାହାର କରିଥିଲେ ତାହାକୁ ଆଷ୍ଟ୍ରାଜେନିକା, ମଡେର୍ଣ୍ଣା ଭଳି ସଂସ୍ଥାମାନେ ସାରା ବିଶ୍ୱରେ ବିତରଣ କରିଥିଲେ । ଭାରତରେ ବି ସେ ସମୟରେ ଦୁଇ ପ୍ରକାର ଟୀକା ବାହାରିଥିଲା । ମଡେର୍ଣ୍ଣା ଟୀକା ଗବେଷଣା କ୍ଷେତ୍ରରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଗବେଷଣାରତ ଓଡିଆ ଯୁବ ବୈଜ୍ଞାନିକ ଡକ୍ଟର ସ୍ୱୟଂ ପ୍ରକାଶ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଏବେ ବି ସେ ସେଠାରେ କରୋନା ପରବର୍ତ୍ତୀ ଅବସ୍ଥା ସହିତ ଅନ୍ୟ ରୋଗ ପାଇଁ ବି ଟୀକା ଓ ଔଷଧ ପ୍ରସ୍ତୁତି କାର୍ଯ୍ୟରେ ଗବେଷଣାରତ ଅଛନ୍ତି ।

ଏକ ସାକ୍ଷାତକାରରେ ଡକ୍ଟର ସ୍ୱୟଂପ୍ରକାଶ କହିଛନ୍ତି ଯେ କୋଭିଡ-୧୯ର ବିଭିନ୍ନ ପ୍ରଜାତିର ଭୂତାଣୁ ଏବେ ବି ସେମାନଙ୍କ କାୟା ବିସ୍ତାର କରୁଛନ୍ତି । ଏଯାବତ୍‍ ଭାରତରେ ଏବର୍ଷ ୬ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ୧୯ଜଣଙ୍କର ବି ପ୍ରାଣହାନି ଘଟିଥିବା ସରକାରୀ ତଥ୍ୟ କହୁଛି । ଗତଥର ଭଳି କୋଭିଡ-୧୯ ଭୂତାଣୁ ପରୀକ୍ଷା ବ୍ୟାପକ ହେଉନଥିବାରୁ ବାସ୍ତବରେ ଭାରତ ସମେତ ସମଗ୍ର ବିଶ୍ୱରେ କେତେଲୋକ କୋଭିଡ ସଂକ୍ରମିତ ତାହାର ନିର୍ଦ୍ଦିଷ୍ଟ ତଥ୍ୟ ସଙ୍କଳିତ ହୋଇପାରୁନାହିଁ ।

ପୁଣି କରୋନା କଡ ଲେଉଟଉଥିବାରୁ ସବୁ ଲୋକେ ବିଶେଷକରି ଛାତ୍ରଛାତ୍ରୀମାନେ ମାସ୍କ ବ୍ୟବହାର କରିବା ଏବଂ ଆବଶ୍ୟକ ନଥିଲେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଛଡା ଥଣ୍ଡା ଓ ଜ୍ୱରର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସହିତ ଔଷଧ ସେବନ କରିବା ଏବଂ ଅନ୍ୟାନ୍ୟ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସେ ଆଶଙ୍କା କରୁଛନ୍ତି ଯେ ଏବେ ଠାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସହିତ ବ୍ୟାପକ ସଚେତନତା ସୃଷ୍ଟି କରାନଗଲେ ଆଗାମୀ ୩/୪ମାସ ଭିତରେ ପରିସ୍ଥିତି ବିଗିଡିଯାଇପାରେ । (ତଥ୍ୟ)