ଭୁବନେଶ୍ୱର : ଅମାନିଆ ଗାଡିଚାଳକଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ପରିବହନ ବିଭାଗ ଉନ୍ନତ କିସମର ପୋସ୍ ମେସିନ ଆଣି ନିଜ ବିଭାଗ କର୍ମଚାରୀଙ୍କ ସମେତ ପୁଲିସ୍କୁ ଦେଇଛି । ତେବେ ପୁଲିସ୍ କର୍ତ୍ତୃପକ୍ଷ ଏହା ଜରିଆରେ ଜୋରିମାନା ଅର୍ଥ ଆଦାୟ ବଦଳରେ ଲୋକଙ୍କ ଠାରୁ ନଗଦ ଅର୍ଥ ଦାବି କରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ରାଜଧାନୀର ଏକ ନମ୍ବର ଟ୍ରାଫିକ ଥାନାରେ ଜଣେ ଗାଡିଚାଳକଙ୍କ ଠାରୁ ନଗଦ ଅର୍ଥ ଆଦାୟ ପାଇଁ ତଙ୍କର ଗାଡି ସହିତ ଭୋକରେ ଆଉଟୁ ପାଉଟୁ ହେଉଥିବା ସ୍କୁଲ ପେରନ୍ତା ଛୋଟ ପିଲାଟିକୁ ଗାଡି ଭିତରେ ବନ୍ଦକରି ରଖିଥିବା ଅଭିଯୋଗରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଟ୍ରାଫିକ ପୁଲିସ୍ ନିକଟରେ ସବୁ ପ୍ରକାର ଡିଜିଟାଲ ସାଜ ସରଞ୍ଜାମ ଥିବାବେଳେ ସେମାନେ କାହିଁକି ଓ କାହା ସ୍ୱାର୍ଥରେ ନଗଦ ଅର୍ଥ ଆଦାୟ କରୁଛନ୍ତି ସେ ସଂକ୍ରାନ୍ତରେ କିନ୍ତୁ ପୁଲିସ୍ କିଛି ସ୍ପଷ୍ଟ କରୁନାହାନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ମୋଟରଯାନ ଆଇନ୍ ଏବଂ ସହରାଞ୍ଚଳ ପୁଲିସ୍ ଆଇନ୍ ଅନୁଯାୟୀ ଅମାନିଆ ଗାଡିଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥାଏ । ତେବେ ଏହି ଜୋରିମାନା କାହାରିଠାରୁ ଜବରଦସ୍ତ ଆଦାୟ ପାଇଁ ନିୟମ ନାହିଁ । ଯଦି କୌଣସି ଚାଳକ ଜୋରିମାନା ଦେବାକୁ ରାଜି ନହୁଅନ୍ତି ତେବେ ତାଙ୍କୁ ଅଦାଲତରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ସୁଯୋଗ ଦିଆଯିବା କଥା । ହେଲେ ଅଧିକାଂଶ ସ୍ଥାନରେ ଦେଖାଯାଉଛି ଯେ ପୁଲିସ୍ କର୍ତ୍ତୃପକ୍ଷ ଗାଡି ଚାଳକଙ୍କୁ ଜୋରିମାନା ଅର୍ଥ ଦେବାପାଇଁ ବାଧ୍ୟ କରୁଛନ୍ତି । ଗାଡିମୋଟରକୁ ଘଣ୍ଟା ଘଣ୍ଟା ଧରି ଅଟକାଇ ରଖୁଛନ୍ତି ।
ତେବେ ଜୋରିମାନା ଅର୍ଥ ଯେଭଳି ସୁରୁଖୁରୁରେ ଆଦାୟ ହୋଇପାରିବ ସେଥିପାଇଁ କିଛିଦିନ ତଳେ ପରିବହନ ବିଭାଗ ପକ୍ଷରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସହିତ ବୁଝାମଣା ହୋଇଥିଲା ଏବଂ ବ୍ୟାଙ୍କ୍ କର୍ତ୍ତୃପକ୍ଷ ପୋସ୍ ମେସିନ୍ ଯୋଗାଇ ଦେଇଥିଲେ । ଏହି ମେସିନ୍ରେ ଜରିଆରେ ଗାଡିଚାଳକ ଚାହିଁଲେ କ୍ରେଡିଟ୍, ଡେବିଟ୍ କାର୍ଡ କିମ୍ବା ୟୁପିଆଇ ଜରିଆରେ ଅର୍ଥ ପଇଠ କରିପାରିବେ । ଜୋରିମାନା ଆଦାୟ ପାଇଁ ଗାଡିମୋଟରଗୁଡିକ ଯେଭଳି ରାସ୍ତା ଉପରେ ଘଣ୍ଟା ଘଣ୍ଟା ଅପେକ୍ଷା ନକରିବେ ସେଥିପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା । ବହୁ ଆଡମ୍ବରରେ ପରିବହନ ଓ ପୁଲିସ୍ ବିଭାଗ ଏହାର ଶୁଭାରମ୍ଭ କରି ଜୋରଦାର ପ୍ରଚାର ବି କରାଇଥିଲେ ।
ହେଲେ କୌଣସି ସ୍ଥାନରେ ଏହି ମେସିନ୍ ଜରିଆରେ ଜୋରିମାନା ଅର୍ଥ ଆଦାୟ ହେଉଥିବା ଦେଖିବାକୁ ମିଳୁନାହିଁ । ସବୁଠାରେ ନଗଦ ଅର୍ଥ ଦେବାକୁ ଗାଡିଚାଳକଙ୍କୁ ବାଧ୍ୟ କରାଯାଉଛି । ତେବେ ଏହି ମେସିନ୍ଗୁଡିକ କ’ଣ ହେଲା ଓ କାହିଁକି ଏହା ବ୍ୟବହାର କରାଯାଉ ନାହିଁ ସେ ସଂକ୍ରାନ୍ତରେ ଉଭୟ ପୁଲିସ୍ ଓ ପରିବହନ ବିଭାଗ ନିରବତା ଅବଲମ୍ବନ କରୁଛନ୍ତି । ଯାହା ଫଳରେ କମିଶନରେଟ ପୁଲିସ୍କୁ ଏଭଳି ସମାଲୋଚନାର ଶିକାର ହେବାକୁ ପଡିଲା ।
ତେଣୁ ନଗଦ ଟଙ୍କା ଆଦାୟ ଉପରେ ପୁଲିସ୍ କମିଶନର ତୁରନ୍ତ କଟକଣା ଲଗାଇବା ସହିତ ପରିବହନ ବିଭାଗ ପ୍ରଦାନ କରିଥିବା ପୋସ୍ ମେସିନ୍ ଜରିଆରେ ଜୋରିମାନା ଅର୍ଥ ଆଦାୟ କରିବାକୁ ପଦକ୍ଷେପ ନିଅନ୍ତୁ । ଏଥି ସହିତ ପରିବହନ ଆଇନ୍ ଅନୁଯାୟୀ କାହାରିକୁ ଜୋରିମାନା ପାଇଁ ବାଧ୍ୟ ନକରିବାକୁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)