Home General ନଗଣ୍ୟ ପାରିଶ୍ରମିକ ଦେଉଛନ୍ତି ଆଇଟି କମ୍ପାନୀ

ନଗଣ୍ୟ ପାରିଶ୍ରମିକ ଦେଉଛନ୍ତି ଆଇଟି କମ୍ପାନୀ

ଭୁବନେଶ୍ୱର : ରାଜ୍ୟରେ ଏବେ ୩୫୦ ଆଇଟି କମ୍ପାନୀ ସେମାନଙ୍କର ଦପ୍ତର ଖୋଲିଛନ୍ତି । ଗତ ୧୬ମାସ ମଧ୍ୟରେ ୩୩ଟି କମ୍ପାନୀ ଆସିଛନ୍ତି । ଏମାନେ ରାଜ୍ୟରେ ୩୫ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଥିବା ଉଲ୍ଲେଖ କରୁଥିଲେ ମଧ୍ୟ ଏମାନେ ଖୁବ୍‍ କମ୍‍ ପରିଶ୍ରମିକ ପ୍ରଦାନ କରୁଛନ୍ତି ।

ରାଜ୍ୟକୁ ଆସୁଥିବା ଆଇଟି କମ୍ପାନୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଷ୍ଟାର୍ଟଅପ୍‍ । ଏମାନେ ଓଡିଶାରେ ଦପ୍ତର ଖୋଲିବା ସହିତ ସରକାରୀ ଓ ବେସରକାରୀ ସଂସ୍ଥାରେ କାମ ଖୋଜୁଛନ୍ତି । ଓଡିଶାରେ ଦପ୍ତର ଖୋଲିବା ସହିତ ନିଜର ପତିଆରା ଜାହିର ପାଇଁ ନୂଆ ନୂଆ ଉତ୍ତୀର୍ଣ୍ଣ ଆଇଟି ଡିଗ୍ରୀଧାରୀଙ୍କୁ ନିଯୁକ୍ତି ଦେଉଛନ୍ତି । ସେଥିପାଇଁ ବିଭିନ୍ନ ଆଇଟି ଶିକ୍ଷାଦାନ କରୁଥିବା ଅନୁଷ୍ଠାନ ସହିତ ଚୁକ୍ତି ବି କରୁଛନ୍ତି ।

ହେଲେ ଏହିସବୁ ସଂସ୍ଥାମାନେ ଖୁବ୍‍ କମ୍‍ ପରିମାଣର ପାରିଶ୍ରମିକ ପ୍ରଦାନ କରୁଛନ୍ତି । କାହାକୁ ମାସକୁ ୧୫ହଜାର ତ ଆଉ କାହାକୁ ୨୦ ହଜାର । ଏହିସବୁ କମ୍ପାନୀରେ ମାସକୁ ୩୦/୩୫ହଜାର ଟଙ୍କା ପାରିଶ୍ରମିକ ପାଉଥିବା ଡିଗ୍ରୀଧାରୀଙ୍କ ସଂଖ୍ୟା ଅତି ନଗଣ୍ୟ ରହୁଛି । ତେବେ ଅଭିଜ୍ଞତା ସାର୍ଟିଫିକେଟ ପାଇଁ ଅନେକ ଡିଗ୍ରୀଧାରୀ ଯୁବକ ଯୁବତୀ ଏଠାରେ ମୁହଁମାଡି କାର୍ଯ୍ୟ କରୁଛନ୍ତି । ବର୍ଷେ କିମ୍ବା ଦେଢବର୍ଷ ପରେ କେତେକ ନିଜଆଡୁ କାର୍ଯ୍ୟ ଛାଡୁଛନ୍ତି ତ ଆଉ କେତେକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ବିଦା କରୁଛନ୍ତି ।

ସେହିଭଳି ରାଜ୍ୟରେ ନିଜ ନିଜର ଦପ୍ତର ଖୋଲିଥିବା ବିପିଓଗୁଡିକ ଗ୍ରାଜୁଏଟ୍‍ ଓ ଆଇଟି ଡିଗ୍ରୀଧାରୀଙ୍କୁ ମାସକୁ ୧୫ହଜାର ଟଙ୍କା ପାଉଣାରୁ ଆରମ୍ଭ କରୁଛନ୍ତି । ଏହା ସହିତ ରଖୁଛନ୍ତି ମାଳ ମାଳ ସର୍ତ୍ତ । ଯଦି କୌଣସି କର୍ମଚାରୀ ଅନ୍ୟ ଭଲ ସଂସ୍ଥାରେ ହେଉ କିମ୍ବା ସରକାରୀ ଦପ୍ତରରେ ହେଉ ନିଯୁକ୍ତି ପାଉଛନ୍ତି ତେବେ ସେମାନଙ୍କୁ ବିପିଓ ଚାକିରି ଛାଡିବାପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯିଏ ଛାଡୁଛନ୍ତି ସେମାନଙ୍କର ବାକିଆ ପାଉଣା ସମ୍ପୃକ୍ତ ସଂସ୍ଥା ପ୍ରଦାନ କରୁନାହାନ୍ତି । ଉଲ୍ଲେଖନୀୟ ଯେ ଏହିସବୁ ସଂସ୍ଥାଗୁଡିକ ଦେଢମାସ କାର୍ଯ୍ୟ କଲାପରେ ଗୋଟିଏ ମାସର ପାଉଣା ଦେଉଛନ୍ତି । ହାତରେ ୧୫ଦିନର ରଖୁଛନ୍ତି । ଯାହାକୁ ବିଦା କରୁଛନ୍ତି ବା ଯିଏ ଚାକିରି ଛାଡୁଛନ୍ତି ସେମାନଙ୍କର ୧୫ ଦିନର ପାଉଣା ବୁଡୁଛି ।

ରାଜ୍ୟରେ ହାତ ଗଣତି କେତୋଟି ନାମୀ ଦାମୀ ଆଇଟି ସଂସ୍ଥାଙ୍କୁ ବାଦ୍‍ ଦେଲେ ଅନ୍ୟଗୁଡିକର ସେଭଳି ପରିଚୟ ନାହିଁ । କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍‍ ଯୋଜନାରେ ପଞ୍ଜିକୃତ ହୋଇ ଏଠାରେ ଦପ୍ତର ଖୋଲିବା ସହିତ ନିଯୁକ୍ତି ଦେଉଥିବା ଉଲ୍ଲେଖ କରୁଛନ୍ତି । ତେବେ ଏମାନେ କେଉଁ କେଉଁ ଅନୁଷ୍ଠାନରୁ କେତେ ଡିଗ୍ରୀଧାରୀ କିମ୍ବା ଅନ୍ୟ ଶିକ୍ଷାଗତ ଯୋଗ୍ୟତାର ଯୁବକ ଯୁବତୀଙ୍କୁ ନିଯୁକ୍ତ କରୁଛନ୍ତି ତାହା ବିସ୍ତୃତ ସୂଚନା ନାହିଁ । ଏମାନେ କେତେ ପାରିଶ୍ରମିକ ଦେବେ ତାହା ମଧ୍ୟ ନିର୍ଦ୍ଧାରଣ ହେଉନାହିଁ କିମ୍ବା ସରକାରଙ୍କର ସେଭଳି କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ନାହିଁ ।

ଏଥିଯୋଗୁଁ ରାଜ୍ୟରେ ଖୋଲୁଥିବା ଏଭଳି ଆଇଟି କମ୍ପାନୀଙ୍କୁ ତାଲିକାକୁ ନେଇ ସରକାର ଖୁସି ହେଉଥିବାବେଳେ ବାସ୍ତବରେ ଏମାନଙ୍କ ମଧ୍ୟରୁ ଅନେକ ରାଜ୍ୟର ଡିଗ୍ରୀଧାରୀମାନଙ୍କୁ ଏକ ପ୍ରକାର ଶୋଷଣ କରୁଥିବା ଲକ୍ଷ୍ୟ କରାଯାଉଛି । ତେଣୁ ରାଜ୍ୟ ସରକାର ତୁରନ୍ତ ଏମାନଙ୍କ ପାଇଁ ସ୍ପଷ୍ଟ ନୀତି ପ୍ରଣୟନ ସହିତ ରାଜ୍ୟର ଯୁବକ ଯୁବତୀମାନେ ଯେଭଳି ଠିକଣା ପାରିଶ୍ରମିକ ପାଇବେ ତାହା ଉପରେ ଧ୍ୟାନ ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)