Home General ନକଲି ସାମଗ୍ରୀ ନେଇ ଖାଉଟି ଚିନ୍ତିତ

ନକଲି ସାମଗ୍ରୀ ନେଇ ଖାଉଟି ଚିନ୍ତିତ

ଭୁବନେଶ୍ୱର : ଖାଦ୍ୟ ସାମଗ୍ରୀରୁ ନିଶା ସାମଗ୍ରୀ ଏବଂ ତେଲ, ଘିଅଠାରୁ ମୋଟର ଗାଡ଼ିର ଇଞ୍ଜିନ ତୈଳ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀର ବ୍ୟାପକ ଅପମିଶ୍ରଣ କରାଯାଇ ବିପୁଳ ପରିମାଣର ନକଲି ଜିନିଷ ବଜାରରେ ବିକ୍ରି ହେଉଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗ ସମେତ ଖାଦ୍ୟ କମିଶନ ଓ ଅନ୍ୟାନ୍ୟ ବିଭାଗୀୟ ସଂସ୍ଥା ଯେତେ ତତ୍ପର ହେବା କଥା ତାହା ଦେଖାଯାଉନାହିଁ । ତେବେ ବିଭିନ୍ନ ସ୍ଥାନରେ ପୁଲିସ ଚଢଉ କରି କୋଟି କୋଟି ଟଙ୍କା ମୂଲ୍ୟର ନକଲି ସାମଗ୍ରୀ ଜବତ କରିବା ଘଟଣା ଖାଉଟି ମହଲରେ ଆତଙ୍କ ସୃଷ୍ଟି କରିଛି ।

ଯୋଗାଣ ବିଭାଗ ଅଧିନରେ ପ୍ରତି ଜିଲ୍ଲାରେ ମାନ ନିୟନ୍ତ୍ରଣ ସହିତ ବଜାରରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ଲାଗି ସ୍ୱତନ୍ତ୍ର ପଦବୀମାନ ରହିଛି । ଅନ୍ତତଃପକ୍ଷେ ଯୋଗାଣ ବିଭାଗର ମାର୍କେଟ ଇଣ୍ଟେଲିଜେନ୍ସ ଶାଖା ଅପମିଶ୍ରଣ ତଥା ନକଲି ଖାଦ୍ୟ ସାମଗ୍ରୀ ଓ ଏହାର ବିକ୍ରେତା, ମହଜୁଦକାରୀ ଏବଂ ପ୍ରସ୍ତୁତକାରୀଙ୍କ ସମ୍ପର୍କରେ ଖବର ରଖି ଧରାଇବା କଥା । କିନ୍ତୁ ଗତ କିଛିମାସ ମଧ୍ୟରେ ଯେତେ ପରିମାଣର ନକଲି ଘିଅ, ତେଲ, ମସଲାଠାରୁ ଆରମ୍ଭ କରି ଜର୍ଦା, ଗୁଟ୍‍ଖା ଆଦି କାରଖାନା ଜବତ କରାଗଲାଣି ତାହା କେବଳ ପୁଲିସର ସକ୍ରିୟ କାର୍ଯ୍ୟାନୁଷ୍ଠାନ ଯୋଗୁ ସମ୍ଭବପର ହେଉଛି ।

ଅସଲି କମ୍ପାନୀ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ କରି ମୁନାଫାଖୋର ବ୍ୟବସାୟୀମାନେ ବିପୁଳ ଲାଭ ଉଠାଇବା ସହ ଖାଉଟିମାନଙ୍କୁ ସାଙ୍ଘାତିକ ରୋଗ ମୁହଁକୁ ଠେଲି ଦେଉଛନ୍ତି । ସତେ ଯେମିତି ଏମାନେ ଗଣହତ୍ୟା କରିବାର ଠିକା ନେଇଛନ୍ତି । ଏହି ଅପମିଶ୍ରଣକାରୀମାନେ ଭେଜାଲ ଘିଅ ବଜାରକୁ ଛାଡ଼ି ଭଗବାନଙ୍କୁ ଠକିବାକୁ ବି ଭୁଲୁନାହାନ୍ତି । କିଛିମାସ ତଳେ ଅପମିଶ୍ରିତ ସୁନା ଓ ସୁନା ବିକ୍ରି ବେଳେ ଓଜନରେ ଠକେଇ ଧରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ସୁନା ଦୋକାନଗୁଡ଼ିକ ଉପରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ କିନ୍ତୁ ଲାଭଖୋର ବ୍ୟବସାୟୀମାନେ ସାଧାରଣ ଲୋକଙ୍କ ତେଲ ଲୁଣରେ ବିଷ ମିଶାଇ ବେଧଡ଼କ ଭାବେ ବଜାରକୁ ଛାଡ଼ୁଥିଲେ ।

ଏବେ ସଚେତନ ଖାଉଟିଟିଏ ତେଲ, ହଳଦୀ ଗୁଣ୍ଡ, ଘିଅ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଦୋକାନରେ ପହଞ୍ଚି ତାହା ଅସଲି କି ନକଲି ବୋଲି ପଚାରିବାକୁ ବାଧ୍ୟ ହେଉଛି । ତେବେ ଦୋକାନୀଙ୍କ କଥାରେ ଭରସା କରି ଯେଉଁ ନାମୀଦାମୀ ବ୍ରାଣ୍ଡର ଖାଦ୍ୟ ସାମଗ୍ରୀ ଖାଉଟି ସଂଗ୍ରହ କରୁଛନ୍ତି ତାହା ଯେ ନକଲି କିମ୍ବା ବିଷାକ୍ତ ନ ହୋଇଥିବ ସେ ଗ୍ୟାରେଣ୍ଟି କେହି ଦେଇପାରୁନାହାନ୍ତି ।

ଏହା ସହରାଞ୍ଚଳର ଖାଉଟିମାନଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ବିପଜ୍ଜନକ ସାମଗ୍ରୀର ବ୍ୟାପକ କାରବାର ଚାଲିଥିବା ଅଭିଯୋଗ ମିଳୁଛି । ଏ ପ୍ରସଙ୍ଗରେ ଯୋଗାଣ ବିଭାଗ ସମେତ ଖାଦ୍ୟ ଓ ଖାଉଟି ସୁରକ୍ଷା ପାଇଁ ଥିବା ବିଭିନ୍ନ ସରକାରୀ ସଂସ୍ଥାର ଅଧିକ ସକ୍ରିୟ ହେବା ଆବଶ୍ୟକ ବୋଲି ଖାଉଟିମାନେ କହୁଛନ୍ତି ।