Home General ନକଲି ଦୁଗ୍ଧଜାତ ସାମଗ୍ରୀ ହାଉଯାଉ

ନକଲି ଦୁଗ୍ଧଜାତ ସାମଗ୍ରୀ ହାଉଯାଉ

ଭୁବନେଶ୍ୱର : ଓଡ଼ିଶାରେ ଗାଁରୁ ରାଜଧାନୀ ପର୍ଯ୍ୟନ୍ତ ଭେଜାଲ କ୍ଷୀର, ପନୀର ଓ ଘିଅ ବ୍ୟାପକ ପରିମାଣରେ ମିଳୁଥିବା ଘେନି ଅଭିଯୋଗ ହୋଇଛି । କଟକ ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅପମିଶ୍ରିତ ଭେଜାଲ କ୍ଷୀର ପ୍ରସ୍ତୁତି ଘଟଣା ଧରାପଡ଼ିବା ପରେ ଏବେ ଖାଉଟି ମହଲରେ ଦୁଗ୍ଧଜାତ ପଦାର୍ଥ ଘେନି ସନ୍ଦେହ ଘନିଭୂତ ହେଉଛି ।

ଏକ ଦୁଗ୍ଧ ବିତରଣକାରୀ ପ୍ଲାଣ୍ଟରୁ ଆସୁଥିବା ଏକ ଦୁଗ୍ଧ ବୋଝେଇ ଟ୍ୟାଙ୍କରରୁ ଅଧା ଖାଲି କରି ସେଥିରେ ପାଣି, ଲୁଣ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମିଶାଇ ନକଲି ଦୁଗ୍ଧ ତିଆରି ହେଉଥିବା ଘଟଣା ଧରାପଡ଼ିବା ସହ ଏଥିରେ ସଂପୃକ୍ତ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି । ତେବେ କଅଁଳା ଶିଶୁଙ୍କ ଠାରୁ ଆରମ୍ଭ କରି ଶତାୟୁ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିଭିନ୍ନ ବୟସର ଲୋକେ ପୁଷ୍ଟିସାଧନ ପାଇଁ ଦୁଗ୍ଧ ଓ ଦୁଗ୍ଧଜାତ ଅନ୍ୟାନ୍ୟ ସାମଗ୍ରୀ ଖାଉଥିବା ଦୃଷ୍ଟିରୁ ସେମାନେ କିଣୁଥିବା ସାମଗ୍ରୀ ଅସଲି ନା ନକଲି ତାହା ପରୀକ୍ଷା କରିବା ପାଇଁ ବ୍ୟାପକ ଭିତ୍ତିଭୂମି ନାହିଁ । ଫଳରେ ଅନେକ ଖାଉଟି ଅସଲି ଭାବି ନକଲି ଦୁଗ୍ଧଜାତ ସାମଗ୍ରୀ ବ୍ୟବହାର କରି ରୋଗ ବ୍ୟାଧିରେ ପଡ଼ିବା ସାର ହେଉଛି । ଏଥିପାଇଁ ପରିବାର ସହିତ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ଏବେ ବହୁ ଅଞ୍ଚଳରେ ଗାଡ଼ିରେ ଟ୍ୟାଙ୍କର ଟ୍ୟାଙ୍କର ଦୁଗ୍ଧ ବିକ୍ରି ହେଉଛି । ଏଗୁଡ଼ିକ ମିଲ୍କ ଏଟିଏମ୍‍ ନାମରେ ଜଣାଶୁଣା । ଏହାଛଡ଼ା ବିଭିନ୍ନ ଫାର୍ମରୁ ଦୁଗ୍ଧ ଆଣି ବୋତଲରେ ଭର୍ତ୍ତି କରି ଘରେଘରେ ପହଞ୍ଚାଉଥିବା କଥା କେତେକ ସଂସ୍ଥା ଦାବି କରୁଛନ୍ତି । ଏଗୁଡ଼ିକୁ ଅସଲି କ୍ଷୀର ଦର୍ଶାଇ ସେମାନେ ଅଧିକ ପଇସା ମଧ୍ୟ ନେଉଛନ୍ତି । ଆଉ କେତେକେ ଗୋପାଳକ ଓ ଦୁଗ୍ଧ ବ୍ୟବସାୟୀ ଉତ୍ପାଦନଠାରୁ ଢେର ଅଧିକ ପରିମାଣର ଦୁଗ୍ଧ ଯୋଗାଉଛନ୍ତି । ପ୍ରଶ୍ନ ଉଠୁଛି ଏମାନେ ଏତେ ପରିମାଣରର ଦୁଗ୍ଧ କେଉଁଠୁ ପାଉଛନ୍ତି? ଏହି ଦୁଗ୍ଧ ସବୁ ଅସଲି କି ନକଲି ତାହାର ନିୟମିତ ଯାଞ୍ଚ ସରକାରୀ କର୍ତ୍ତୃପକ୍ଷ କରୁନାହାନ୍ତି । କେବଳ ସେତିକି ନୁହେଁ, ଯେଉଁ ସଂସ୍ଥା ସବୁ ପ୍ୟାକେଟ୍‍ରେ କ୍ଷୀର ଯୋଗାଉଛନ୍ତି ତାହାର ଗୁଣବତ୍ତା ମଧ୍ୟ ନିରପେକ୍ଷ ସଂସ୍ଥା ଦ୍ୱାରା ଦୈନିକ ଯାଞ୍ଚ ହେଉନାହିଁ ।

ଭୋଜି ଭାତଠାରୁ ହୋଟେଲ ପର୍ଯ୍ୟନ୍ତ ପନୀରରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ, ପକୋଡ଼ା ଆଦି ପ୍ରସ୍ତୁତ ହେଉଛି । ଏମିତିକି ଖିରୀଠାରୁ ଚାଓମିନ୍‍ରେ ମଧ୍ୟ ପନୀର ବ୍ୟବହାର କରାଯାଉଛି । ବର୍ଷବର୍ଷ ଧରି ଓଡ଼ିଶା ବାହାରୁ ଟନ୍‍ଟନ୍‍ ସିନ୍ଥେଟିକ୍‍ ପନୀର ଓଡ଼ିଶା ବଜାରକୁ ଭିନ୍ନଭିନ୍ନ ବାଟ ଦେଇ ଆସୁଛି । ବେଳେବେଳେ ଏହି ନକଲି ଓ ନିମ୍ନମାନର ପନୀର ମଧ୍ୟ ଧରାପଡୁଛି । ତେବେ ବଜାରରେ ମିଳୁଥିବା ଛେନା, ପନୀର, ଦହି ଆଦି ଅସଲି କି ନକଲି ତାହାର ମଧ୍ୟ ଦୈନନ୍ଦିନ ପରୀକ୍ଷା ହେଉନାହିଁ ।

ଶୁଦ୍ଧ ଗାଈ ଘିଅ ନାମରେ ବଜାରରେ ଯେଉଁ ସାମଗ୍ରୀ ମିଳୁଛି ସେଥିରୁ ଅନେକ ବି ନକଲି । ବିଶେଷକରି ପୂଜା ପାଇଁ ମିଳୁଥିବା ଏହି ତଥାକଥିତ ଗାଈ ଘିଅରୁ ଅଧିକାଂଶ ପୋଡ଼ା ମୋବିଲ୍‍ ଓ ଅନ୍ୟ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ହେଉଥିବା ସର୍ବଜନବିଦିତ । ଏହି ସମସ୍ୟାକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ସମେତ ଆଉ କେତେକ ଧର୍ମପୀଠରେ ଏବେ ପ୍ରସାଦ ପ୍ରସ୍ତୁତି, ଦୀପଦାନ ଓ ଯଜ୍ଞ ଆଦିରେ ଓମ୍‍ଫେଡ୍‍ ଘିଅର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ପୂଜା ପାଇଁ ନକଲି ଘିଅ ବଜାରରେ ଲିଟର ପିଛା ୧୦୦ରୁ ୨୦୦ ଟଙ୍କା ଦରରେ ସହଜରେ ମିଳିଯାଉଛି । ନାମୀଦାମୀ ବ୍ରାଣ୍ଡର ଘିଅ ଖୋଳରେ ନକଲି ଘିଅ ପୂରାଇ ମଧ୍ୟ ବ୍ୟବସାୟ ହେଉଛି । ଏଭଳି ନକଲି ଘିଅ, ତେଲ, ମସଲା ଗୁଣ୍ଡ ଆଦି ବାରମ୍ବାର ଜବତ ହେଉଛି । ଏସବୁ ସତ୍ତ୍ୱେ ସବୁଠାରୁ ପବିତ୍ର ବୋଲି କୁହାଯାଉଥିବା ଗୋମାତାର ଦୁଗ୍ଧ ଓ ଦୁଗ୍ଧଜାତ ଅନ୍ୟାନ୍ୟ ସାମଗ୍ରୀକୁ ଭେଜାଲ୍‍ କରି ଯେଭଳି ବିଷ ବଣ୍ଟା ଯାଉଛି ତାହାର ନିୟନ୍ତ୍ରଣ ଓ ନିରାକରଣ ପାଇଁ ବିଭିନ୍ନ ଅଞ୍ଚଳରୁ ଦାବି ଉଠୁଛି । (ତଥ୍ୟ)