ରାଜ୍ୟରେ ଯେଭଳି ବିପୁଳ ପରିମାଣର ନକଲି ଔଷଧ, ନକଲି ମଦ, ଅପମିଶ୍ରିତ ଖାଦ୍ୟ ସାମଗ୍ରୀ, ବିଷାକ୍ତ ମସଲା ସମେତ ବ୍ୟାପକ ପରିମାଣର ଜାଲିଆତି ଖାଉଟି ସାମଗ୍ରୀ କାରବାର ହେଉଛି ତାହା ସମ୍ପୂର୍ଣର୍ ଭାବେ ନିୟନ୍ତ୍ରିତ ହୋଇପାରୁ ନାହିଁ । ଏହା ଫଳରେ ସାଧାରଣ ଲୋକେ ଠକେଇର ଶିକାର ହେବା ସହିତ ନକଲି ସାମଗ୍ରୀ ମାଧ୍ୟମରେ ଦୁରାରୋଗ୍ୟ ବ୍ୟାଧି କିଣୁଥିବାବେଳେ ଏହାର ନିୟନ୍ତ୍ରଣ ପାଇଁ ଥିବା ସଂସ୍ଥାଗୁଡିକରେ ବ୍ୟାପକ ପଦ ପଦବୀ ଖାଲିପଡିଛି ।
ଏବେ କଟକ, ଜଗତ୍ପୁର ସମେତ ଆଉ କେତେକ ସ୍ଥାନରେ ଚଢାଉବେଳେ ନାମୀ ଦାମୀ କମ୍ପାନୀ ବ୍ରାଣ୍ଡ୍ରେ ପ୍ରସ୍ତୁତ କରାଯାଉଥିବା ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ସମେତ ଅନ୍ୟାନ୍ୟ ମସଲା ସାମଗ୍ରୀ ଜବତ କରାଯାଇଛି । ଅଧିକାରୀମାନେ କହୁଛନ୍ତି ଯେ ଏହି ଗୁଣ୍ଡ ମସଲା ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ବିପଦଜନକ ରସାୟନିକ ସାମଗ୍ରୀ କର୍କଟ ରୋଗ ଠାରୁ ଆରମ୍ଭକରି ଲିଭର, କିଡ୍ନୀ ପର୍ଯ୍ୟନ୍ତ ଅନେକ ମାରାତ୍ମକ ରୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।
ନିକଟରେ ନକଲି ଘିଅ ଓ ତେଲ କାରଖାନାର ସନ୍ଧାନ ବି ମିଳିଛି । ସଦ୍ୟ ସମାପ୍ତ ଦୀପାବଳୀରେ ଖୋଲା ବଜାରରେ ପୋଡା ମୋବିଲରୁ ପ୍ରସ୍ତୁତ ତେଲ ଓ ଘିଅ ବ୍ୟାପକ ପରିମାଣରେ ବିକ୍ରୟ ହୋଇଛି । ବିଶେଷକରି ଧର୍ମାନୁଷ୍ଠାନ ଓ ଘରୋଇ ପୂଜା ଲାଗି ବ୍ୟବହାର କରାଯାଉଥିବା ଘିଅଗୁଡିକ ଗାଈ କିମ୍ବା ମଇଁଷି କ୍ଷୀରରୁ ପ୍ରସ୍ତୁତ ହେବା ପରିବର୍ତ୍ତେ ପୋଡା ମୋବିଲ ଓ ଅନ୍ୟ ରସାୟନିକ ପଦାର୍ଥରୁ ତିଆରି ହେଉଥିବା ଜଣାଶୁଣା କଥା ।
ସେହିଭଳି ନକଲି ମଦ ଠାରୁ ଆରମ୍ଭକରି ଗୁଟ୍ଖା, ପାନମସଲା, ଗଞ୍ଜେଇ ସିଗାରେଟ, ବ୍ରାଉନସୁଗାର ଆଦି ରାଜଧାନୀରୁ ମାଲକାନଗିରି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କଳାବଜାରରେ ଉପଲବ୍ଧ ହେଉଛି । ଏହାର ବିପଦଜନକ ଦିଗ ପ୍ରତି ଆଖିବୁଜି ଦିଆଯାଉଛି । ବିଶ୍ୱବାସୀ କରୋନା ଟୀକାକୁ ଚାତକ ଭଳି ଅନାଇ ରହିଥିବାବେଳେ ନିକଟରେ ବରଗଡ ଜିଲ୍ଲାରେ ବିପୁଳ ପରିମାଣର ନକଲି କରୋନା ଟୀକା ଜବତ ହୋଇଛି । ଏହାଛଡା ନାମୀ ଦାମୀ କମ୍ପାନୀ ନାମରେ ବି ବ୍ୟାପକ ନକଲି ଔଷଧ ବଜାରକୁ ଆସୁଛି । ଅପପୁଷ୍ଟି ଓ ରକ୍ତହୀନତା ଓଡିଶାର ପ୍ରମୁଖ ସମସ୍ୟା ହୋଇଥିବାବେଳେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଯୋଗୁଁ ଲୋକଙ୍କ ଦୁରବସ୍ଥା ବଢିବାରେ ଲାଗିଛି ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ସାଢେ ୩କୋଟି ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ଓଡିଶାରେ ବ୍ୟବସ୍ଥା ହୋଇଛି । ନବେ ଲକ୍ଷରୁ ଅଧିକ ପରିବାର ଏଥିରେ ଉପକୃତ ହେବାକଥା । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୧୮ହଜାର କୋଟି ଟଙ୍କା ରିହାତି ଦେଉଛନ୍ତି । ଅଥଚ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଖାଲି ପଡିଥିବା ସଦସ୍ୟ ପଦବୀ ପାଇଁ ବିଜ୍ଞାପନ ବାହାରୁଥିଲେ ବି ଏହା ପୂରଣ ହେଉନାହିଁ । ବସ୍ତୁତଃ ଏହି ସଂସ୍ଥାରେ ଅବସରପ୍ରାପ୍ତ ଅଧିକାରୀ ଓ ରାଜନେତାଙ୍କୁ ନିଯୁକ୍ତି ଦିଆଯାଉଛି ।
ରାଜ୍ୟ ଖାଉଟି ସୁରକ୍ଷା ମଞ୍ଚ ଓ ତାହାର ଜିଲ୍ଲା ଶାଖାଗୁଡିକରେ ବି ନିଯୁକ୍ତି ସମସ୍ୟା ଲାଗି ରହିଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ବି ତଦାରଖ କରିବାପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପଦବୀ ନାହିଁ ଓ ଯେତିକି ବି ପଦବୀ ଅଛି ତାହା ବି ପୂରଣ ହେଉନି । ଫଳରେ ଖାଦ୍ୟର ମାନ ଯାଞ୍ଚ କରିବା ଓ ଅପମିଶ୍ରଣ ସଂକ୍ରାନ୍ତରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା କାଠିକରପାଠ ହେଉଛି ବୋଲି ବିଭାଗୀୟ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।