Home General ଧିମେଇ ଚାଲିଛି ପୁରୀ ବିମାନବନ୍ଦର

ଧିମେଇ ଚାଲିଛି ପୁରୀ ବିମାନବନ୍ଦର

ଭୁବନେଶ୍ୱର : ପୁରୀ ଉପକଣ୍ଠରେ ନିର୍ମିତ ହେବାକୁ ଥିବା ଶ୍ରୀଜଗନ୍ନାଥ ଅର୍ନ୍ତଜାତୀୟ ବିମାନବନ୍ଦର ପ୍ରକଳ୍ପ ପାଞ୍ଚବର୍ଷ ହେବ ଧିମା ଗତିରେ ଚାଲିଛି । ଏଠାରେ ଉଲ୍ଲେଖନୀୟ ଯେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୨୧ ମସିହାରେ ପୁରୀରେ ଅର୍ନ୍ତଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତୀ ସମୟରେ ତତ୍କାଳୀନ ୫-ଟି ସଚିବ ଭି.କେ.ପାଣ୍ଡିଆନ ଏହି ପ୍ରକଳ୍ପକୁ ଆଗେଇ ନେବାପାଇଁ ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ଓ କେନ୍ଦ୍ର ପ୍ରଶାସନ ପର୍ଯ୍ୟନ୍ତ ବିଭିନ୍ନ ମହଲରେ ଯୋଗାଯୋଗ କରିଥିଲେ ।

ବର୍ତ୍ତମାନର ପରିବହନ ବିଭାର ପ୍ରମୁଖ ସଚିବ ଉଷା ପାଢୀ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଥିବାବେଳେ ଏହି ପ୍ରକଳ୍ପପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ଏଥିଲାଗି ପୁରୀ, ସାତପଡା ମଝିରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ସ୍ଥାନ ଚିହ୍ନଟ ହୋଇଥିଲା । ଇତି ମଧ୍ୟରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ଲାଗି ସର୍ତ୍ତମୂଳକ ପରିବେଶ ମଞ୍ଜୁରୀ ଦେଇଥିବା କୁହାଯାଉଛି । ଏହାକୁ ଆଖିଆଗରେ ରଖି ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଚାଲିଛି ।

ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦର ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ପୁରୀରେ ଅନ୍ୟ ଯେଉଁ ଅର୍ନ୍ତଜାତୀୟ ବିମାନବନ୍ଦର ପାଇଁ ପ୍ରସ୍ତାବ ରହିଛି ତାହାକୁ ପରିବେଶପ୍ରେମୀମାନେ ବିଭିନ୍ନ ସ୍ତରରେ ବିରୋଧକରି ଆସୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଚିଲିକାହ୍ରଦ ବକ୍ଷରେ ସି-ପ୍ଲେନ ଅବତରଣ ପାଇଁ ପ୍ରସ୍ତାବ ଥିଲା । ଏହାଦ୍ୱାରା ଚିଲିକାକୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି କୁହାଯାଉଥିଲା । ତେବେ ପରିବେଶପ୍ରେମୀମାନେ ଏହି ପ୍ରକଳ୍ପକୁ ବିରୋଧ କରିବାପରେ ତାହା ବନ୍ଦ ରହିଛି ।

ପରିବେଶପ୍ରେମୀମାନେ କହୁଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦର ସମୁଦ୍ର କୂଳରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିଲେ ମଧ୍ୟ ମହାବାତ୍ୟାବେଳେ ତାହା ବ୍ୟାପକଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଣିକି ବାତ୍ୟା ଆଶଙ୍କା ଅଧିକ ରହୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରରେ ସମୁଦ୍ରକୂଳରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ହେଉନାହିଁ ଏବଂ ପୁରୁଣା ବିମାନବନ୍ଦରଗୁଡିକୁ କେତେକ କ୍ଷେତ୍ରରେ ମଧ୍ୟ ସ୍ଥାନାନ୍ତର କରାଯାଉଛି ।

ପୁରୀରେ ଅର୍ନ୍ତଜାତୀୟ ବିମାନବନ୍ଦର ପ୍ରତିଷ୍ଠା ହେଲେ ନିୟମିତ ବିମାନ ଚଳାଚଳ ହେବ ଏବଂ ଏହାର କମ୍ପନ ଶ୍ରୀମନ୍ଦିର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ କି ନାହିଁ ସେ ସଂକ୍ରାନ୍ତରେ ଗଭୀର ଅନୁଧ୍ୟାନ କରାଯିବା ଆବଶ୍ୟକ । ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମନ୍ଦିରର ଆଖପାଖ ଅଞ୍ଚଳକୁ ‘ନୋ ଫ୍ଲାଇଙ୍ଗ୍‍ ଜୋନ୍‍’ ଭାବେ ଘୋଷଣା କରାଯାଇଛି ।

ଅନ୍ୟ ଏକ ଯୁକ୍ତ ହେଉଛି ଯେ ପୁରୀରେ ଅର୍ନ୍ତଜାତୀୟ ବିମାନବନ୍ଦର ଯଦି କାର୍ଯ୍ୟକ୍ଷମ ହୁଏ ତେବେ ଚିଲିକାର ଜୈବ ବିବିଧତା ବିଶେଷକରି ବିଦେଶାଗତ ପକ୍ଷୀମାନଙ୍କ ଉପରେ ତାହାର କୁପ୍ରଭାବ ପଡିବ । ଏଥିଯୋଗୁଁ ଚିଲିକାକୁ ପକ୍ଷୀ ଆଗମନ ସଂଖ୍ୟା ମଧ୍ୟ ହ୍ରାସ ପାଇବ । କେବଳ ସେତିକି ନୁହେଁ, ପକ୍ଷୀଙ୍କ ଯୋଗୁଁ ଏଠାରେ ବିମାନ ଚଳାଚଳ ପ୍ରତି ବିପଦ ଉପୁଜିବ କି ନାହିଁ ସେ ସଂକ୍ରାନ୍ତରେ ମଧ୍ୟ ବିଜ୍ଞାନସମ୍ମତ ଅଧ୍ୟୟନ କରାଯିବା ଆବଶ୍ୟକ ।

ରାଜ୍ୟ ସରକାର ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ରାଜପଥର ପୁନଃ ପ୍ରଶସ୍ତିକରଣ କରିବାକୁ ଯାଉଛନ୍ତି । ଏହାଛଡା ଭୁବନେଶ୍ୱର ସହିତ ପୁରୀକୁ ଯୋଗାଯୋଗ କରିବାଲାଗି ଅନ୍ୟଏକ ଉତ୍ସର୍ଗୀକୃତ ସଡକପଥ ନିର୍ମାଣ ପାଇଁ ମଧ୍ୟ ପୂର୍ବରୁ ପ୍ରସ୍ତାବ ରହିଛି । ଏବେ ଭୁବନେଶ୍ୱରରୁ ପୁରୀ ସଡକପଥରେ ଯିବାପାଇଁ ଅତି ବେଶିରେ ଦେଢଘଣ୍ଟା ସମୟ ଲାଗୁଛି । ସ୍ୱତନ୍ତ୍ର ସଡକପଥ ନିର୍ମାଣ ଓ ପ୍ରଶସ୍ତିକରଣ ହେବାପରେ ଯାତ୍ରା ସମୟ ଆହୁରି କମି ପାରେ । ଏ ପରିପ୍ରେକ୍ଷୀରେ ବିମାନ ଚଳାଚଳର ନିରାପତ୍ତା, ଶ୍ରୀମନ୍ଦିର ପ୍ରସଙ୍ଗ, ଜୈବ ବିବିଧତା, ପକ୍ଷୀ ପ୍ରସଙ୍ଗ ଏବଂ ଆର୍ଥିକ ଦିଗ ଉପରେ ଅଧିକ ତର୍ଜମା କରିବାଲାଗି ମତପ୍ରକାଶ ପାଉଛି । ଅବଶ୍ୟ ନୂଆ ବିମାନବନ୍ଦର ପ୍ରକଳ୍ପ କଥା ଜଣାପଡିବାପରେ ସମ୍ପୃକ୍ତ ଅଞ୍ଚଳରେ ଜମି ଦର ଢେର ବଢିଯାଇଛି । (ତଥ୍ୟ)