ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଆଜି ସୁଦ୍ଧା ୧୫ଲକ୍ଷ ଟନ୍ରୁ ଅଧିକ ଧାନ ସଂଗ୍ରହ ହୋଇଥିବାବେଳେ ଗତବର୍ଷ ତୁଳନାରେ ଏହା ୨୩ ପ୍ରତିଶତ ଅଧିକ ରହିଛି । ଗତବର୍ଷ ଏହି ସମୟରେ ୧୨ଲକ୍ଷ ୩୫ହଜାର ଟନ୍ରୁ ସାମାନ୍ୟ ଅଧିକ ଧାନ ସଂଗୃହୀତ ହୋଇଥିଲା ।
ସରକାରଙ୍କୁ ଧାନ ବିକ୍ରି କରିବାପାଇଁ ରାଜ୍ୟରେ ୧୪,୯୯,୬୬୧ଜଣ ଚାଷୀ ନିଜକୁ ପଞ୍ଜିକୃତ କରିଥିବାବେଳେ ଯାଞ୍ଚ ସମୟରେ ଏମାନଙ୍କ ମଧ୍ୟରୁ ୧୨,୫୮,୨୧୩ ଜଣ ଧାନ ବିକିବାପାଇଁ ଯୋଗ୍ୟ ଥିବା ଜଣାଯାଇଛି । ଚାଷ ଜମି କାଗଜପତ୍ରରେ ତ୍ରୁଟି ଯୋଗୁଁ ଅନେକ ବାଦ୍ ପଡିଛନ୍ତି । ତେବେ ସବୁଠାରୁ ଅଧିକ ୧,୩୫,୨୦୦ ଜଣ ଚାଷୀ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ବରଗଡରେ ଏହି ସଂଖ୍ୟା ୧,୩୧,୭୦୦ ରହିଛି ।
ଚଳିତବର୍ଷ ଖରିଫ ଧାନ ଖରିଦ ପ୍ରକ୍ରିୟାରେ ୧୧୫୦ଟି ସମବାୟ ସମିତି ଅଂଶଗ୍ରହଣ କରିଥିବାବେଳେ ଗତବର୍ଷ ଏହି ସଂଖ୍ୟା ୨୮୩୫ ରହିଥିଲା । ସେହଭଳି ଚଳିତ ଖରିଫ ଋତୁରେ ୩୨୭୯ ପିପିସି ଅଂଶଗ୍ରହଣ କରିଥିବାବେଳେ ଗତ ଖରିଫ ଋତୁରେ ଏହି ସଂଖ୍ୟା ୩୫୪୩ ରହିଥିଲା । ଏହିସବୁ ସମବାୟ ସମିତି ଓ ପିପିସି ଜରିଆରେ ଆଜି ସୁଦ୍ଧା ମୋଟ୍ ୧୫,୨୬,୭୦୧ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଗତ ବର୍ଷ ଏହି ସମୟରେ ଖରିଫ ଧାନ ସଂଗ୍ରହ ପରିମାଣ ଥିଲା ୧୨,୩୬,୩୨୩ ମେଟ୍ରିକ ଟନ୍ ।
ଚଳିତ ଖରିଫ ଋତୁରେ ବର୍ତ୍ତମାନ ସୁଦ୍ଧା ଧାନ ସଂଗ୍ରହ କ୍ଷେତ୍ରରେ ଗଜପତି, କଟକ, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଖୋରଧା, ନୟାଗଡ ଓ ପୁରୀ ଆଦି ଜିଲ୍ଲା ପଛରେ ପଡିଛନ୍ତି । ଏହିସବୁ ଜିଲ୍ଲାରେ ପଛୁଆ ଅମଳ ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି । ଖୋରଧା, କଟକ ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇପାରି ନାହିଁ । ତେବେ ଡିସେମ୍ବର ୨୨ ତାରିଖରେ ଗୋଟିଏ ଦିନରେ ୮୦,୨୯୧ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ପୁରୀ, ଖୋରଧା, କଟକ ଆଦି ଜିଲ୍ଲାରୁ ଆଦୌ ଧାନ ଉଠିନାହିଁ ।