Home Agriculture ଧାନ ବିହନ ଚାଷୀ ପ୍ରାପ୍ୟ ପାଇବେ କେବେ ?

ଧାନ ବିହନ ଚାଷୀ ପ୍ରାପ୍ୟ ପାଇବେ କେବେ ?

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଧାନ ବିହନ ବିକ୍ରି କରିଥିବା ଚାଷୀମାନେ ଏବେ ସଙ୍କଟରେ । ବିହନ ବିକ୍ରି କରିବାର ସାତମାସ ପରେ ବି ସେମାନେ ବହୁ ଚାଷୀ ଏ ବାବଦୀୟ ପ୍ରାପ୍ୟ ପାଇପାରୁ ନାହାନ୍ତି । ଏଥିଯୋଗୁଁ କାହାର ଋଣ ବୋଝ ବଢି ଚାଲିଛି ତ ଆଉ କାହାର ଚିକିତ୍ସା ବି ପ୍ରଭାବିତ ହେଲାଣି ।

ଧାନ ବିହନ ଚାଷୀମାନେ ରାଜ୍ୟ ସରକାରଙ୍କ ବିହନ ନିଗମକୁ ପ୍ରମାଣିକ ଧାନ ବିହନ ବିକ୍ରି କରିଥାନ୍ତି । ଏଥିପାଇଁ ବିହନ ନିଗମ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିବା ସହିତ ପିଣ୍ଡ ବିହନ ଯୋଗାଣ କରିଥାନ୍ତି । ଚାଷୀମାନେ ଏଥିରୁ ପ୍ରାମାଣିକ ବିହନ ଫଳାଇ ସରକାରଙ୍କୁ ଦେଇଥାନ୍ତି । ଏଥିପାଇଁ ଚାଷୀମାନେ ବିହନ ନିଗମ ସହିତ ଚୁକ୍ତି କରିଥାନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସରୁ ଧାନ ବିହନ ଯୋଗାଣ କରିଥିବା ପଶ୍ଚିମଓଡିଶାର ଅଧିକାଂଶ ଚାଷୀ ସେମାନଙ୍କ ବିହନ ବାବଦ ପାଉଣା ପାଇପାରୁ ନାହାନ୍ତି । କୃଷି ବିଭାଗର ସଚିବଙ୍କ ଠାରୁ ଆରମ୍ଭ କରି ନିଗମର ବଡ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟିଲେ ମଧ୍ୟ ଫଳ କିଛି ମିଳୁନାହିଁ । ଏଥିଯୋଗୁଁ ବହୁ ଚାଷୀଙ୍କର ଋଣବୋଝ ବଢିବାରେ ଲାଗିଛି ।

ବିହନ ଚାଷୀ ଦେଇଥିବା ପ୍ରାମାଣିକ ବିହନ ସରକାରଙ୍କ ବାଟ ଦେଇ ଯାଇ ଚାଷୀଙ୍କ ବିଲରେ ଅଧା ଚାଷ ହୋଇ ସାରିଥିବାବେଳେ କିନ୍ତୁ ବିହନ ଚାଷୀ ତାହାର ପ୍ରାପ୍ୟ ପାଇପାରୁ ନାହିଁ । ଯେଉଁ ଚାଷୀମାନେ ସେମାନଙ୍କର ଧାନକୁ ମଣ୍ଡିରେ ଦେଉଛନ୍ତି ସେମାନେ ୪୮ ଘଣ୍ଟା ମଧ୍ୟରେ ପାଉଣା ପାଇଯାଉଥିବାବେଳେ ବିହନ ଚାଷୀମାନେ କିନ୍ତୁ ନିଗମର ହାତ ଟେକାକୁ ଅପେକ୍ଷା କରି ବସିଛନ୍ତି ।

ବିହନ ଚାଷୀମାନେ ଯେଭଳି ସୁରୁଖୁରୁରେ ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ । ଲକ୍ଷ୍ୟଥିଲା ବିହନ ଚାଷୀମାନେ ଠିକଣା ସମୟରେ ଅର୍ଥ ପାଇଲେ ସେମାନେ ଅଧିକରୁ ଅଧିକ ପରିମାଣର ଉନ୍ନତ ଧାନ ବିହନ ଯୋଗାଇଦେବେ ଓ ଏହା ରାଜ୍ୟର ଧାନ ଉତ୍ପାଦନ କ୍ଷେତ୍ରରେ ବଡ ସହାୟକ ହେବ । ହେଲେ କର୍ପସ ପାଣ୍ଠି ଥିବା ସତ୍ୱେ କିନ୍ତୁ ବିହନ ଚାଷୀମାନେ ଏବେ ସାତମାସ ପରେ ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଖରିଫ ଋତୁରେ ବିହନ ନିଗମ ୧ଲକ୍ଷ ୬୫ ହଜାର ମେଟ୍ରିକ ଟନ୍‍ ବିହନ ସଂଗ୍ରହ ପାଇଁ ଲକ୍ଷ୍ୟ ଥିବାବେଳେ ଚାଷୀଙ୍କ ଠାରୁ ୧୦ହଜାର ମେଟ୍ରିକ ଟନ୍‍ ଅଧିକ ବିହନ ସଂଗ୍ରହ ହୋଇଥିଲା । ଅଧିକ ବିହନ ସଂଗ୍ରହର ତଦନ୍ତ ପାଇଁ ଏବେ ବିହନ ଚାଷୀଙ୍କ ଅର୍ଥ ଦିଆଯ।।ଇ ପାରୁନଥିବା ଜଣାଯାଇଛି । ଉଲ୍ଲେଖନୀୟ ଯେ ପୂର୍ବରୁ ବିହନ ନିଗମ ଜରିଆରେ ପ୍ରାୟ ୫ଲକ୍ଷ ମେଟ୍ରିକ ଟନ୍‍ ପ୍ରମାଣିକ ଧାନ ବିହନ ଚାଷୀମାନଙ୍କ ଯୋଗାଇ ଦିଆଯାଉଥିବାବେଳେ ବର୍ତ୍ତମାନ ତାହା ୨ଲକ୍ଷ ମେଟ୍ରିକ ଟନ୍‍ ତଳକୁ ଖସି ଆସିଛି । (ତଥ୍ୟ)