ଭୁବନେଶ୍ୱର : ଚାଷୀଙ୍କ ଉତ୍ପାଦିତ ବଳକା ଧାନ କିଣିବାକୁ ଚଳିତ ବର୍ଷ ବେପାରୀ ଅମଙ୍ଗ । ରାଜ୍ୟ ସରକାର ସୀମା ସିଲ୍ କରିବା ସହିତ ଧାନଗାଡି ଉପରେ କଡା ନଜର ରଖିଥିବାରୁ ବେପାରୀମାନେ ଧାନ ଖରିଦ କରୁନାହାନ୍ତି । ଫଳରେ ଅଧିକ ଧାନ ଫଳାଇଥିବା ଚାଷୀମାନେ ଏବେ ଚିନ୍ତାରେ ।
ରାଜ୍ୟର ପଶ୍ଚିମାଞ୍ଚଳରେ ଧାନ ମଣ୍ଡିକୁ ଯିବା ଆରମ୍ଭ ହୋଇଥିବାବେଳେ ଉପକୂଳ ଜିଲ୍ଲାରେ ଧାନ ବିକ୍ରି ପାଇଁ ପଞ୍ଜିକରଣ ସରିଲାଣି । ଜାନୁୟାରୀମାସରୁ ଏଠାରେ ମଣ୍ଡିକୁ ଧାନ ଯିବ । ତେବେ ଅଧିକ ଧାନ ଫଳାଉଥିବା ଚାଷୀମାନେ ବଳକା ଧାନକୁ ମଣ୍ଡିକୁ ନନେଇ ଦୁଆର ମୁହଁରେ ବେପାରୀଙ୍କୁ ବିକ୍ରି କରିଦେଉଥିଲେ । ହେଲେ ଚଳିତବର୍ଷ ସରକାର ଓଡିଶାରୁ ବାହାରକୁ ଯାଉଥିବା ଧାନଗାଡି ଉପରେ କଡା ନଜର ରଖିଥିବାରୁ ବାହାର ରାଜ୍ୟର ବ୍ୟବସାୟୀମାନେ ଧାନ କିଣିବାକୁ ଭୟ କରୁଛନ୍ତି । ଏହା ଫଳରେ ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଜଳସେଚିତ ଜମିରୁ ହେକ୍ଟର ପିଛା ୧୯ କୁଇଣ୍ଟାଲ ଧାନ କିଣିବାପାଇଁ ସ୍ଥିର କରିଥିବାବେଳେ ଅଣଜଳସେଚିତ ଜମିରୁ ଏହି ପରିମାଣ ୧୩ କୁଇଣ୍ଟାଲ ଧାର୍ଯ୍ୟ କରିଛନ୍ତି । ହେଲେ ରାଜ୍ୟର ଅନେକ ଚାଷୀ ଉନ୍ନତ ପ୍ରଣାଳୀରେ ଚାଷ କରି ଏହି ସୀମାଠାରୁ ଢେର ଅଧିକ ଧାନ ଫଳାଉଛନ୍ତି । ସରକାରୀ ଧାର୍ଯ୍ୟସୀମା ବାହାରେ ଥିବା ବଳକା ଧାନକୁ ସେମାନେ ବ୍ୟବସାୟୀଙ୍କ ହାତରେ ଟେକି ଦେଇଥାନ୍ତି । ଦୁଆର ମୁହଁରୁ ବେପାରୀମାନେ ଧାନ ଖରିଦ କରୁଥିବାରୁ କୁଇଣ୍ଟାଲ ପିଛା ୨୫୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ କମ୍ ଦେଇଥାନ୍ତି । ଚାଷୀମାନେ ମଧ୍ୟ ମଣ୍ଡିକୁ ଧାନ ପରିବହନ କରିବା, ସେଠାରେ ଲୋକ ଜଗାଇବା ଖର୍ଚ୍ଚ ସହିତ କଟ୍ନି ଛଟ୍ନୀ ଆଦିକୁ ହିସାବ କରିବାପରେ ସାମାନ୍ୟ କ୍ଷତି ସହି ବେପାରୀଙ୍କୁ ଧାନ ବିକ୍ରି କରିଥାନ୍ତି । ବ୍ୟବସାୟୀମାନେ ମଧ୍ୟ ଦୁଆର ମୁହଁରୁ ଧାନ ଓଜନ କରି ନେବା ସହିତ ନଗଦ ଅର୍ଥ ପ୍ରଦାନ କରିଥାନ୍ତି ।
ଚଳିତ ବର୍ଷ ରାଜ୍ୟ ସରକାର ପ୍ରତିଶ୍ରୁତି ମୁତାବକ ଧାନ କୁଇଣ୍ଟାଲ ଉପରେ ଅଧିକ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ପ୍ରଦାନ କରୁଥିବାରୁ ଚାଷୀମାନେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ । ତେବେ ବଳକା ଧାନକୁ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇପାରୁ ନାହିଁ । ଅନ୍ୟ ପକ୍ଷରେ ମଣ୍ଡିରେ ଏବେ ଧାନର ମାନ କୁ ନେଇ ଚାଷୀ ଅସନ୍ତୋଷ ବଢି ଚାଲିଥିବାବେଳେ ମିଲରମାନେ ଧାନ ଉଠାଉ ନଥିବାରୁ ବିଭିନ୍ନ ସ୍ଥାନରେ ହଜାର ହଜାର ବସ୍ତା ଧାନ ଗଦାହୋଇ ଗଲାଣି ।
ଏଭଳି ସ୍ଥିତିରେ ଚାଷୀ ଚାହିଁଲେ ମଧ୍ୟ ତାହାର ବଳକା ଧାନକୁ ବ୍ୟବସାୟୀଙ୍କୁ ବିକ୍ରି କରିପାରୁ ନାହିଁ । ଯଦିଓ ବ୍ୟବସାୟୀମାନେ ଗାଡି ଓ ଅର୍ଥ ଧରି ବସିଛନ୍ତି ହେଲେ ସରକାରଙ୍କ କଟକଣା ଭୟରେ ସେମାନେ ଧାନ ଖରିଦ କରୁନାହାନ୍ତି । ଚାଷୀଟି ଯେତେବେଳେ ବଳକା ଧାନକୁ ବିକିବାପାଇଁ ହଡଳ ବିକଳ ହେବ ଏହି ବ୍ୟବସାୟୀମାନେ ମୂଲଚାଲ କରି କମ୍ ଦରରେ କିଣିବେ ।
ତେଣୁ ଟୋକନ ବାହାରେ ଉତ୍ପାଦିତ ବଳକାଧାନକୁ ବାହାରେ ବିକ୍ରି ପାଇଁ ଚାଷୀଙ୍କୁ ସୁଯୋଗ ପ୍ରଦାନ କରାଯିବାପାଇଁ ବହୁ ଚାଷୀ ମତବ୍ୟକ୍ତ କରୁଛନ୍ତି । ଯଦି ସରକାର କଟକଣା ନଉଠାଇବେ ତେବେ ଧାନ ସଂଗ୍ରହର ସୀମା ଉଠାଇ ଚାଷୀ ଫଳାଇଥିବା ସମସ୍ତ ଧାନକୁ ଖରିଦ କରିବାକୁ ଚାଷୀମାନେ କହିବା ସହିତ ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି । (ତଥ୍ୟ)