ଭୁବନେଶ୍ୱର : ରାଜ୍ୟ ସରକାର ଧାନ କିଣିବାପାଇଁ ଯେତିକି ଟଙ୍କା ଋଣ କରିଛନ୍ତି ତାହାର ସୁଧ ପରିମାଣ ୬ହଜାର କୋଟି ଟଙ୍କାକୁ ଟପିଗଲାଣି । ଏଣେ କେନ୍ଦ୍ର ସରକାରଙ୍କ ଉପରେ ବକେୟା ପରିମାଣ ବଢି ବଢି ୧୧ହଜାର କୋଟି ଟଙ୍କାକୁ ଟପିଗଲାଣି ।
ଆଜି ରାଜ୍ୟ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଧାନ ଓ ଚାଉଳ ସଂଗ୍ରହ କାର୍ଯ୍ୟର ଖର୍ଚ୍ଚ ଭରଣା କରିବାପାଇଁ ପ୍ରତି ତିନିମାସରେ ଅଗ୍ରୀମ ସବସିଡ୍ ପ୍ରଦାନ କରିବାକଥା । କିନ୍ତୁ କେନ୍ଦ୍ର ସରକାର ନିୟମିତ ଭାବରେ ଏହା ଦେଉ ନାହାନ୍ତି ।
୨୦୦୩-୦୪ ଧାନ ସଂଗ୍ରହ ବର୍ଷରୁ ବର୍ତ୍ତମାନ ସୁଦ୍ଧା ଖାଦ୍ୟ ରିଆତି ବାବଦରେ କେନ୍ଦ୍ର ସରକାର ୧୧,୮୩୫ କୋଟି ଟଙ୍କାରୁ ଅଧିକ ରାଜ୍ୟକୁ ଦେଇ ନାହାନ୍ତି । ଏଥିପାଇଁ ଓଡିଶା ରାଜ୍ୟ ଯୋଗାଣ ନିଗମ ୨୫,୧୭୦ କୋଟି ଟଙ୍କା ବ୍ୟାଙ୍କ ଋଣ କରି ସୁଚାରୁ ରୂପେ ଧାନ ସଂଗ୍ରହ କରୁଛନ୍ତି । ଏହି ଋଣ ବାବଦ ସୁଧର ପରିମାଣ ୬୩୦୦ କୋଟି ଟଙ୍କା ହେଲାଣି । ସେହିଭଳି ପ୍ରତିବଦଳ କରାଯାଇଥିବା ଚାଉଳର ନିରୀକ୍ଷଣ କାର୍ଯ୍ୟ ଚଳିତବର୍ଷ ମାର୍ଚ୍ଚ ୨୧ତାରିଖରୁ ଭାରତ ସରକାରଙ୍କ ଅଧିକାରୀମାନେ ମିଳିତ ଭାବରେ ସମ୍ପାଦନ କରୁଥିବା ମନ୍ତ୍ରୀ ତାଙ୍କ ଉଲ୍ଲେଖ କରିଛନ୍ତି । (ତଥ୍ୟ)