Home General ଧାନ କିଣାରେ ମହିଳା ଏସଏଚଜିଙ୍କୁ ଗୁରୁତ୍ୱ

ଧାନ କିଣାରେ ମହିଳା ଏସଏଚଜିଙ୍କୁ ଗୁରୁତ୍ୱ

ଭୁବନେଶ୍ୱର : ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ୪୫୧ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ବର୍ତ୍ତମାନ ସୁଦ୍ଧା ସରକାରଙ୍କ ନିକଟରେ ନିଜକୁ ପଞ୍ଜିକୃତ କରିସାରିଲେଣି । ଅଧିକରୁ ଅଧିକ ମହିଳା ଗୋଷ୍ଠି ଯେଭଳି ଏଥିରେ ସାମିଲ ହେବେ ସେ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ରାଜ୍ୟରେ ଧାନ ସଂଗ୍ରହ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ନାୟକ କରିଥିବା ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି । ବୈଠକରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଧାନ ସଂଗ୍ରହ ପାଇଁ ୪୫୧ ଆଗ୍ରହୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ବିଭାଗ ନିକଟରେ ନିଜକୁ ପଞ୍ଜିକୃତ କରିଛନ୍ତି । ପଞ୍ଜିକୃତ ହେଉଥିବା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଧାନ କ୍ରୟ ଦାୟିତ୍ୱରେ ଥିବା ଅଧିକାରୀମାନେ ପି-ପାଶ୍‍ ଓ ଅନ୍ୟାନ୍ୟ ଖରିଦ ବ୍ୟବସ୍ଥା ସଂକ୍ରାନ୍ତରେ ତାଲିମ ପ୍ରଦାନ କରିବେ । ୨୦୨୧-୨୨ ବର୍ଷରେ ୬୮୭ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ୯ଲକ୍ଷ ମେଟ୍ରିକ ଟନ୍‍ରୁ ଅଧିକ ଧାନ ସଂଗ୍ରହ କରି ୨୮.୨୯ କୋଟି ଟଙ୍କା ଆୟ କରିଥିଲେ । ତେଣୁ ଚଳିତ ଧାନ ସଂଗ୍ରହ ଋତୁରେ ଅଧିକରୁ ଅଧିକ ଏସଏଚଜି ଯେଭଳି ଧାନ ସଂଗ୍ରହ କରିବେ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।

ସେହିଭଳି ଧାନ ବିକ୍ରି କରୁଥିବା ଚାଷୀମାନେ ଯେଭଳି ତୁରନ୍ତ ସେମାନଙ୍କ ପ୍ରାପ୍ୟ ପାଇବେ ତାହା ଉପରେ ବୈଠକରେ ଗୁରୁତ୍ୱଆରୋପ କରାଯାଇଛି । ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଖାତାକୁ ଯେଭଳି ଧାନ ବିକ୍ରି ଟଙ୍କା ଯିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ ୨୦୨୨-୨୩ ବର୍ଷର ଧାନ ସଂଗ୍ରହ ନୀତିକୁ ରାଜ୍ୟ କ୍ୟାବିନେଟ୍‍ ସେପ୍ଟେମ୍ବର ୩୦ତାରିଖରେ ସବୁଜ ସଙ୍କେତ ଦେଇଛନ୍ତି । ତଦନୁଯାୟୀ ଉଭୟ ଖରିଫ ଓ ରବିରେ ମୋଟ୍‍ ୭୧ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି । ଏଥିରୁ ପ୍ରାୟ ୪୮ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ମିଳିପାରିବ । ତେବେ ଆସନ୍ତା ଖରିଫ ଋତୁରେ ରାଜ୍ୟରୁ ୫୭ଲକ୍ଷ ଟନ୍‍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି । ସେହିଭଳି ଗାଁ ଗହଳରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଯେଭଳି ଅଧିକରୁ ଅଧିକ ଧାନ ସଂଗ୍ରହ କରାଯିବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ।

ତେବେ ଯେଉଁ ମିଲର୍ସମାନେ ୨୦୨୧-୨୨ରେ ଧାନ ସଂଗ୍ରହ କରିଥିଲେ ଓ ସେମାନଙ୍କ ଉପରେ ସରକାରଙ୍କର କୌଣସି ବାକିଆ ନଥିବ ସେମାନଙ୍କୁ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ । ଧାନ ଖରିଦ ସମୟରେ ଚାଷୀମାନଙ୍କର ଆଧାର କାର୍ଡ ଓ ଆଇଭିଆରଏଓ ସ୍କାନରକୁ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ । ଯାହା ଫଳରେ ସେମାନେ ସହଜରେ ଧାନ ବିକ୍ରି ବାବଦୀୟ ଅର୍ଥ ପାଇପାରିବେ । ତେବେ ଧାନ ଚାଷର ସାଟେଲାଇଟ୍‍ ସର୍ବେକ୍ଷଣ ସମୟରେ ସନ୍ଦେହ ସୃଷ୍ଟି ହୋଇଥିବା ଜମିର ତୁରନ୍ତ ତଦନ୍ତ ଓ ଫଏସଲା ପାଇଁ ମନ୍ତ୍ରୀ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ କେଉଁ ଅଞ୍ଚଳରୁ କେତେ ଧାନ ସଂଗ୍ରହ ହେବ ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ।

ଧାନ ସଂଗ୍ରହ ସମୟରେ ଗୁଣାତ୍ମକମାନକୁ ନେଇ ଅନେକ ସ୍ଥାନରେ ଦ୍ୱନ୍ଦ ଉପୁଜୁଥିବାବେଳେ କେନ୍ଦ୍ର ସରକାର ଉଭୟ ଧାନ ଓ ଚାଉଳ ପାଇଁ ଧାର୍ଯ୍ୟ କରିଥିବା ମାନଦଣ୍ଡ ଆଧାରରେ ଏହା ସଂଗ୍ରହ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ଚଳିତ ବର୍ଷ ସାଧାରଣ ଧାନ କୁଇଣ୍ଟାଲ ପିଛା ୨୦୪୦ ଓ ଏ ଗ୍ରେଡ୍‍ ଧାନ କୁଇଣ୍ଟା ପିଛା ୨୦୬୦ ଟଙ୍କାରେ ଖରିଦ କରାଯିବ । ଚଳିତ ଖରିଫ ଋତୁର ଧାନ କିଣା ୨୦୨୨ ନଭେମ୍ବରରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଚଳାଇବାକୁ ସ୍ଥିର ହୋଇଛି । (ତଥ୍ୟ)