ଭୁବନେଶ୍ୱର : ୨୦୨୫ ଖରିଫ ଋତୁରେ ରାଜ୍ୟରେ ୧୭୧ ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଧାନ ଫଳିଛି । ୩୫ଲକ୍ଷ ହେକ୍ଟରରୁ ଅଧିକ ଜମିରେ ହୋଇଥିବା ଧାନ ଚାଷରୁ ଏହା ଅମଳ ହୋଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ରାଜ୍ୟରେ ଧାନ ଓ ଅନ୍ୟାନ୍ୟ ଫସଲ ଉତ୍ପାଦନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କୃଷି ବିଭାଗ ଦାୟିତ୍ୱରେ ଥିବା ଶ୍ରୀ ସିଂହଦେଓ କହିଛନ୍ତି ଯେ ୨୦୨୫ ଖରିଫ ଋତୁରେ ରାଜ୍ୟରେ ୧୭୧ ଲକ୍ଷ ୭୯ ହଜାର ମେଟ୍ରିକ ଟନ୍ ଧାନ ଫଳିଛି । ତେବେ ସବୁଠାରୁ ଅଧିକ ୧୫ଲକ୍ଷ ଟନ୍ ଧାନ ମୟୁରଭଞ୍ଜ ଜିଲ୍ଲାରେ ଉତ୍ପାଦିତ ହୋଇଥିବାବେଳେ ବରଗଡରେ ୧୨ଲକ୍ଷ ଟନ୍, ବାଲେଶ୍ୱରରେ ୧୦ଲକ୍ଷ ଟନ୍ ଧାନ ଫଳିଛି । ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗିର ଭଳି ଜିଲ୍ଲାର ୧୦ଲକ୍ଷ ଟନ୍ ପାଖାପାଖି ଧାନ ଫଳିଥିବା ରେକର୍ଡ ହୋଇଛି । ସବୁଠାରୁ କମ୍ ଧାନ ଫଳିଛି ଦେବଗଡ ଜିଲ୍ଲାରେ । ଏଠାରେ ଉତ୍ପାଦିତ ଧାନର ପରିମାଣ ଦେଢ ଲକ୍ଷ ଟନ୍ ମଧ୍ୟରେ ରହିଛି ।
ଧାନ ସହିତ ରାଜ୍ୟରେ ଡାଲି, ତୈଳବୀଜ ଓ ସେରଲାକ ଜାତୀୟ ଶସ୍ୟ ଚାଷ ହୋଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୫ ଖରିଫ ଋତୁରେ ୫ଲକ୍ଷ ୩୬ ହଜାର ମେଟ୍ରିକ ଟନ୍ରୁ ଅଧିକ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ହୋଇଛି । ଡାଲି ଜାତୀୟ ଶସ୍ୟ ଉତ୍ପାଦନରେ ଭଦ୍ରକ, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲା ସବୁଠାରୁ ପଛରେ ପହିଛନ୍ତି । ଏହି ତିନି ଜିଲ୍ଲାରେ ଡାଲି ଉତ୍ପାଦନ ୧୫ କୁଇଣ୍ଟାଲ ବି ଅତିକ୍ରମ କରିପାରି ନାହିଁ । ତେବେ ଡାଲି ଜାତୀୟ ଶସ୍ୟ ଉତ୍ପାଦନରେ ସବୁଠାରୁ ଆଗରେ କଳାହାଣ୍ଡି ଜିଲ୍ଲା ରହିଛି । ଏଠାରେ ୮୮ ହଜାର ମେଟ୍ରିକ ଟନରୁ ଅଧିକ ଡାଲି ଫଳିଥିବାବେଳେ ଏହା ପଛକୁ ୬୫ହଜାର ମେଟ୍ରିକ ଟନ୍ ସହିତ ଗଞ୍ଜାମ ଜିଲ୍ଲା ରହିଛି ।
ସେହିଭଳି ତୈଳବୀଜ ଉତ୍ପାନ ପରିମାଣ ୨୦୨୫ ଖରିଫ ଋତୁରେ ରାଜ୍ୟରେ ଅଢେଇ ଲକ୍ଷ ମେଟ୍ରିକ ଟନ୍ରୁ ସାମାନ୍ୟ ଅଧିକ ରହିଛି । ତୈଳବୀଜ ଚାଷ ହେଉଥିବା ଜମିର ପରିମାଣ ୨ଲକ୍ଷ ହେକ୍ଟର ବି ଅତିକ୍ରମ କରିପାରି ନାହିଁ । ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋରଧା ଜିଲ୍ଲାରେ ତୈଳବୀଜ ଉତ୍ପାଦନ ଶୂନ ବୋଲି ଦର୍ଶାଯାଇଛି । ତେବେ ତୈଳବୀଜ ଉତ୍ପାଦନ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ବରଗଡ ଜିଲ୍ଲା । ଏହି ଜିଲ୍ଲାରେ ୨୫ହଜାର ମେଟ୍ରିକ ଟନ୍ରୁ ଅଧିକ ତୈଜବୀଜ ଉତ୍ପାଦନ ହୋଇଥିବାବେଳେ ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି ଆଦି ଜିଲ୍ଲାର ପ୍ରଦର୍ଶନ ବି ସନ୍ତୋଷଜନକ ରହିଛି ।
ତେବେ ରାଜ୍ୟରେ ସେରେଲାକ ତାଲିକାରେ ଥିବା ଶସ୍ୟ ଉତ୍ପାଦନ ୨୦୨୫ ଖରିଫ ଋତୁରେ ୧୩ଲକ୍ଷ ମେଟ୍ରିକ ଟନକୁ ଅତିକ୍ରମ କରିଥିବା ବେଳେ ଫାଇବର ଜାତୀୟ ଶସ୍ୟ ଉତ୍ପାଦନ ପରିମାଣ ୯ଲକ୍ଷ ଟନ୍କୁ ଟପିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)

