ଭୁବନେଶ୍ୱର : ରାଜ୍ୟରେ ଯେତିକି ଅନୁମତିପ୍ରାପ୍ତ କରତ କଳ ରହିଛି ଗତ ପାଞ୍ଚବର୍ଷ ମଧ୍ୟରେ ତାହାର ଦୁଇ ଗୁଣରୁ ଅଧିକ ବେଆଇନ୍ କରତକଳ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଆଜି ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି ।
ରାଜ୍ୟରେ କରତକଳ ସଂକ୍ରାନ୍ତରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଏବେ ସୁଦ୍ଧା ରାଜ୍ୟରେ ୧୫୪ଟି ଅନୁମତିପ୍ରାପ୍ତ କରତକଳରହିଛି । ଏଥି ମଧ୍ୟରେ ଅବିଭକ୍ତ କଟକ ଜିଲ୍ଲା ଅର୍ଥାତ କଟକ, ଜଗସିଂହପୁର, ଯାଜପୁର ଓ କେନ୍ଦ୍ରାପଡାରେ ସର୍ବାଧିକ ୭୩ଟି କରତକଳ ଥିବାବେଳେ ଖୋରଧା ଜିଲ୍ଲାରେ ୧୯ଟି କରତକଳ ଅଛି ।
ତେବେ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୩୮୭ଟି ବେଆଇନ୍ କରତକଳ ବିରୁଦ୍ଧରେ ମାମଳା ରୁଜୁ ହୋଇଛି । ବେଆଇନ୍ କରତକଳ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୨୧ଟି ଚିହ୍ନଟ ହୋଇଥିବାବେଳେ ଖୋରଧାରୁ ୫୪ଟି, ପୁରୀ ଜିଲ୍ଲାରୁ ୫୩ଟି, ସମ୍ବଲପୁର ଓ ବରଗଡରୁ ୩୧ଟି କରି, ଭଦ୍ରକରୁ ୨୪ ଏବଂ ରାଜନଗର ହେନ୍ତାଳବନ ଅଞ୍ଚଳରୁ ୨୬ଟି ବେଆଇନ୍ କରତକଳ ଚିହ୍ନଟ ହୋଇଛି ।
ସରକାରୀ ଅନୁମତିପ୍ରାପ୍ତ କରତକଳଗୁଡିକରେ ରକ୍ତ ଚନ୍ଦନ ଓ ଚନ୍ଦନ ବ୍ୟତିତ ଅନ୍ୟ ସମସ୍ତ କିସମର ଗଛକାଟିବାପାଇଁ ସାଧାରଣ ଭାବେ ଅନୁମତି ଦିଆଯାଇଥାଏ । ଏହି କିସମ ଗଛ ମଧ୍ୟରେ ଶାଗୁଆନ, ଆକାଶିଆ, ପିଆଶାଳ, ଆମ୍ବ, ଚାକୁଣ୍ଡା, ଶାଳ, ଜାମ୍ମୁ, ଦେବଦାରୁ, ଗମ୍ଭାରୀ, ଶିରିସ, ଅସନ, ଫାଶୀ, ଶିଶୁ, କୁରୁମ, କେନ୍ଦୁ ଓ ମହୁଲ ଆଦି ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)