Home News in Odia ଧରାପଡ଼ିଲେ୧୫୩ ନାବାଳକ

ଧରାପଡ଼ିଲେ୧୫୩ ନାବାଳକ

ଭୁବନେଶ୍ୱର : ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ର ଚଢାଉରେ ପ୍ରଥମ ଦିନରେ ନାବାଳକ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଇଥିଲା । ଏହି କ୍ରମରେ ସମୁଦାୟ ୧୫୩ ଟି ଚାଲାଣ କଟିଥିବା ୬୦ଟି ଗାଡ଼ିକୁ ଜବତ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର- ୨ ଆରଟିଓ ଅଧୀନରୁ ୧୧ ଚାଲାଣ କଟିଛି । ଭୁବନେଶ୍ୱର-୧ ଆରଟିଓରୁ ୭ ଓ ଖୋର୍ଦ୍ଧା ଏଆରଟିଓରୁ ୩ ଚାଲାଣ କଟିଛି । କଳାହାଣ୍ଡିରେ ୧୨, କଟକରେ ୧୦, କୋରାପୁଟରେ ୮ ଏବଂ ଗଞ୍ଜାମ ଓ ରାୟଗଡ଼ାରେ ୭ଟି କରି ଚାଲାଣ କଟିଛି । ସେହିଭଳି ରାୟଗଡ଼ାରେ ସର୍ବାଧିକ ୭ଟି ଗାଡ଼ି ଜବତ ହୋଇଥିବାବେଳେ ରାଉରକେଲା ଓ ବଲାଙ୍ଗିରରେ ୬ଟି କରି, ବାଲେଶ୍ୱର ଓ ସୋନପୁରରେ ୫ଟି କରି ଗାଡ଼ି ଜବତ ହୋଇଛି । କଳାହାଣ୍ଡିରେ ୪, ତାଳଚେର, ଅନୁଗୁଳ, ଭୁବନେଶ୍ୱର ୧ ଏବଂ ଏଆରଟିଓ ଖୋର୍ଦ୍ଧା ପକ୍ଷରୁ ୩ଟି ଲେଖାଏଁ ଗାଡ଼ିକୁ ଜବତ କରାଯାଇଛି ।

ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ନିକଟରେ ପରିବହନ ବିଭାଗର ଟିମ୍ ଯାଞ୍ଚ କରିଥିଲେ । ସାବାଳକ ହୋଇ ନଥିବା, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଅନେକ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ବାଇକ, ସ୍କୁଟି ନିଜେ ଚଲାଇ ଆସିଥିଲେ । ମୋଟର ଯାନ ଆଇନ ୧୯୮୮ର ଧାରା ୧୯୯ (କ) ଅନୁଯାୟୀ ଏଭଳି ବେଆଇନ ଗାଡ଼ି ଚାଳକଙ୍କୁ ଧରିଛି ଯାଞ୍ଚ ଟିମ୍ । ଏହି ଆଇନ ଅନୁଯାୟୀ ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କ ବିରୋଧରେ ୨୫ ହଜାର ଟଙ୍କାର ଜରିମାନା ଲଗାଇବାର ବ୍ୟବସ୍ଥା ରହିଛି । ଏପରିକି କିଛି କ୍ଷେତ୍ରରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଗାଡ଼ିକୁ ଜବତ କରିବାର ପ୍ରାବଧାନ ମଧ୍ୟ ରହିଛି ।

 କିଛି ଦିନ ତଳେ ପୁଣେରେ ଜଣେ ନାବାଳକ ଗାଡ଼ି ଚାଳକଙ୍କ ଯୋଗୁଁ ଯେଉଁ ଭୟାନକ ଦୁର୍ଘଟଣା ଘଟିଥିଲା ତାହା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ସଂପୃକ୍ତ ଚାଳକଙ୍କ ଅଭିଭାବକଙ୍କୁ ଜେଲ୍ ଯିବାକୁ ହୋଇଥିଲା । ଏହାସତ୍ତ୍ୱେ ଅନେକ ଏବେ ବି ସୁଧୁରି ନ ଥିବା ଲକ୍ଷ୍ୟ କରାଯାଉଛି । ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣାରେ ଅନେକ ସମୟରେ ସଂପୃକ୍ତ ଗାଡ଼ି ଚାଳକଙ୍କ ଅକାଳରେ ଜୀବନ ଚାଲିଯାଏ । ଏହାସହ ଠିକ୍ ବାଟରେ ଯାଉଥିବା ଅନ୍ୟମାନଙ୍କୁ ମଧ୍ୟ ଦୁର୍ଘଟଣାର ଶିକାର ହେବାକୁ ପଡ଼େ ।

୨୦୨୩ ରେ ଆମ ରାଜ୍ୟରେ ନାବାଳକ/ନାବାଳିକା ଗାଡ଼ି ଚାଳନା ଯୋଗୁଁ ୬୦ ଜୀବନ ଯାଇଥିବା ବେଳେ ୨୯୨ ଜଣ ଗୁରୁତର ହୋଇଥିଲେ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆସୁଥିବା ତଥ୍ୟ ଏକ୍ଷେତ୍ରରେ ଚିନ୍ତା ବୃଦ୍ଧି କରିଛି । ତେଣୁ ଏହାକୁ ରୋକିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି । ସମସ୍ତ ଅଭିଭାବକ ଓ ଶିକ୍ଷାନୁଷ୍ଠାନମାନେ ନାବାଳକ/ନାବାଳିକା ଗାଡ଼ି ଚାଳନା ରୋକିବା ଦିଗରେ ଗମ୍ଭୀରତାର ସହ ପଦକ୍ଷେପ ନେବାକୁ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।

ଏହି ଏନଫୋର୍ସମେଣ୍ଟ ଆଗକୁ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର କହିଛନ୍ତି । କେବଳ ନାବାଳକ/ନାବାଳିକା ଗାଡ଼ି ଚାଳନା ନୁହେଁ, ଫିଟନେସ, ହେଲମେଟ୍, ସିଟ୍ ବେଲ୍ଟ, ଦ୍ରୁତଗତି, ମଧ୍ୟପାନ କରି ଗାଡ଼ି ଚାଳନାଭଳି ବିଷୟକୁ ନେଇ ଏନଫୋର୍ସମେଣ୍ଟ କରାଯିବ । ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ କଠୋର ପଦକ୍ଷେପ ନେବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପଦକ୍ଷେପ ନେଉଛି । ଅନେକ ସଚେତନତା ସତ୍ତ୍ୱେ କିଛି ବେପରୁଆ ଚାଳକ ସୁଧୁରୁ ନ ଥିବାରୁ ସେମାନଙ୍କୁ ଧରିବାକୁ ଏହି ପଦକ୍ଷେପ ନିଆଯାଇଛି ।