Home Health ଧରାଛୁଆଁ ଦେଉନାହାନ୍ତି ଇଂଲଣ୍ଡ ଫେରନ୍ତା

ଧରାଛୁଆଁ ଦେଉନାହାନ୍ତି ଇଂଲଣ୍ଡ ଫେରନ୍ତା

ରାଜ୍ୟକୁ ଫେରିଥିବା ୬୨ ଜଣ ଇଂଲଣ୍ଡ ଫେରନ୍ତା ଧରାଛୁଆଁ ଦେଉନାହାନ୍ତି । କିଏ ଫୋନ୍‍ ଧରୁନି ତ ଆଉ କାହା ଫୋନ୍‍ ଲାଗୁନି । କେତେ ଜଣଙ୍କ ଠିକଣାରେ ବି ତାଳ ମେଳ ନାହିଁ । ବିଦେଶ ଫେରନ୍ତାଙ୍କ ଏଭଳି ଆଚରଣ ଏବେ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡବିନ୍ଧା ବଢାଇଛି ।

ଇଂଲଣ୍ଡରେ କରୋନାର ନୂଆ ଘାତକ ଷ୍ଟ୍ରେନ୍‍ ମିଳିବାପରେ ରାଜ୍ୟ ସରକାର ସେଠାରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ତଦନୁଯାୟୀ ନଭେମ୍ବର ୨୮ରୁ ଓଡିଶା ଫେରିଥିବା ୧୧୯ ଜଣଙ୍କର କୋଭିଡ ପରୀକ୍ଷା କରାଯାଇଛି ଓ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଛି । କିନ୍ତୁ ଏହି ପଜିଟିଭଙ୍କ ଭିତରେ କରୋନାର ନୂଆ ଷ୍ଟ୍ରେନ ଅଛି କି ନାହିଁ ତାହା ନିଶ୍ଚିତ ହୋଇନାହିଁ ।

ତେବେ ଏହି ସମୟ ମଧ୍ୟରେ ଇଂଲଣ୍ଡରୁ ୧୮୧ ଜଣ ଫେରିଥିବାବେଳେ ଏମାନଙ୍କ ମଧ୍ୟରୁ ୬୨ଜଣଙ୍କର ପରୀକ୍ଷା ହୋଇପାରି ନଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ୬୨ଜଣଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ । ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ୧୪ଦିନରୁ ଅଧିକ ସମୟ ଧରି ଓଡିଶାକୁ ଫେରିଥିବାରୁ ଡରିବାର କୌଣସି କାରଣ ନାହିଁ ।

ତେବେ କରୋନାର ନୂଆ ଭୟଙ୍କର ରୂପକୁ ନେଇ ସାରା ବିଶ୍ୱ ଆତଙ୍କିତ ହେବା ଓ ଭାରତ ସରକାର ବ୍ରିଟେନକୁ ବିମାନସେବା ବନ୍ଦ କରିଥିବାବେଳେ ସେଠାରୁ ଫେରିଥିବା ୬୨ଜଣ ଧରାଛୁଆଁ ନଦେବା ଏବେ ରାଜ୍ୟରେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।